ଭୁବନେଶ୍ବର:ସଂସଦରେ ପୁଣି ଉଠିଛି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ଗତକାଲି ସର୍ବଦଳୀୟ ବୈଠକ ପରେ ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାନ ଓ ସସ୍ମିତ ପାତ୍ର । ଆଇନରେ ସଂଶୋଧନ କରି ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ କରାଯାଉ ବୋଲି ବିଜେଡି ଦାବି କରିଛି । ସ୍ବତନ୍ତ୍ର ରାଜ୍ୟର ମାନ୍ୟତା କିମ୍ବା ପ୍ୟାକେଜ ମିଳିଲେ ଓଡ଼ିଶାର ବିକାଶ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ । ପ୍ରସଙ୍ଗକୁ ଉଠାଇ ବିଜେପି ଠାରୁ ଆମେ ଭିନ୍ନ ବୋଲି ବିଜେଡି ଜଣେଇବାକୁ ଚାହୁଁଛି ବୋଲି ସେ କହିଛନ୍ତି ।
କାହିଁକି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି:-
ବିଜେଡିର ଦାବି ହେଉଛି ଓଡ଼ିଶା ବାରମ୍ବାର ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ସାମନା କରୁଛି । ଯାହାଦ୍ବାରା ରାଜ୍ୟର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡୁଛି । ସେହିପରି ରାଜ୍ୟରେ 480 କିଲୋମିଟର କୋଷ୍ଟଲାଇନ ରହିଛି । ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲେ ଓଡ଼ିଶାରେ ପର୍ଯ୍ୟଟନର ବିପୁଳ ସୁଯୋଗ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ 22 ପ୍ରତିଶତ ଆଦିବାସୀ ରହୁଛନ୍ତି । ତେଣୁ ରାଜ୍ୟରେ ଶାସନ କ୍ଷମତାରେ ଥିବାବେଳେ ବିଜେଡି ସରକାର ଦାବି କରିଆସୁଥିଲେ । ଆଜି ବିରୋଧୀ ଆସନ ବସିଥିବା ବିଜେଡିର ସମାନ ଆଭିମୁଖ୍ୟ ରହିଛି । ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପାଇଁ ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖିବା ସହ ବିଭିନ୍ନ ଫୋରମରେ ଦାବି ଉଠାଇଛନ୍ତି । ଏହା ସହ ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଜ୍ୟର ସାଂସଦମାନେ ବାରମ୍ବାର ଦାବି ଉଠାଇଛନ୍ତି । ବିରୋଧୀ ଆସନରେ ଥିବା ବିଜେଡି ଏହାକୁ ବଡ଼ ପ୍ରସଙ୍ଗ କରିଛି ।
11 ରାଜ୍ୟକୁ ମିଳିଛି ସ୍ବତନ୍ତ୍ର ରାଜ୍ୟ ପାହ୍ୟା:-
1969 ମସିହାରେ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ରାଜ୍ୟ ଗଠନ କରାଯାଇଥିଲା । ପ୍ରଥମେ ଜମ୍ମୁ-କଶ୍ମୀର, ଆସାମ ଓ ନାଗାଲାଣ୍ଡକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଥିଲା । ଏହା ପରେ ଆସାମ, ନାଗାଲାଣ୍ଡ, ହିମାଚଳ ପ୍ରଦେଶ, ମଣିପୁର, ମେଘାଳୟ, ସିକିମ, ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମିଜୋରାମ, ଉତ୍ତରାଖଣ୍ଡ ଓ ତେଲେଙ୍ଗାନାଙ୍କୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଛି । 11 ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଛି । ପଞ୍ଚମ ଅର୍ଥ ଆୟୋଗ କେନ୍ଦ୍ରୀୟ ସହାୟତା ଆକାରରେ କେତେକ ଅବହେଳିତ ରାଜ୍ୟକୁ ଅଗ୍ରାଧିକାର ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ । ସେହିପରି 1979 ମସିହାରେ ପ୍ରଥମ ଥର ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଥିଲା । ଜାତୀୟ ଉନ୍ନୟନ ପରିଷଦ ବା ଏନଡିସିରେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଥିଲା । 1990 ଦଶକରେ ଦଶମ ଓ ଏକାଦଶ ଓଡ଼ିଶା ବିଧାନସଭାରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ସଂକଳ୍ପ ଗୃହୀତ ହୋଇଥିଲା ।
ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ 2 ଦଶନ୍ଧି ଧରି ହେଉଛି ଦାବି:-
ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ବିଜେଡି ଦାବି କରି ଆସୁଛି । 2002/03ରେ ବିଜେପି ଓ ବିଜେଡିର ମେଣ୍ଟ ଥିବା ବେଳେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଘୋଷଣା ଦାବିକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିଥିଲା । ସେତେବେଳେ ଉତ୍ତରାଖଣ୍ଡର ଦାବି ଶୁଣାଯାଇଥିଲା । ଓଡ଼ିଶାର ଦାବି ଯଥାର୍ଥ ନୁହେଁ ବୋଲି ସେବେ ଯୋଜନା ଆୟୋଗ ମଧ୍ୟ ପକ୍ଷରୁ କୁହାଯାଇଥିଲା । ମେଣ୍ଟ ଭାଙ୍ଗିବା ପରେ 2013ରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ଗୃହୀତ ହୋଇଥିଲା । ଓଡ଼ିଶାର ବିକାଶ ପାଇଁ ଅତିରିକ୍ତ କେନ୍ଦ୍ରୀୟ ଅନୁଦାନ ଓ ଆର୍ଥିକ ପ୍ରୋତ୍ସାହନ ଦାବି କରାଯାଇଛି । 2018ରେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ବୈଠକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ଦୋହରାଇଥିଲେ ।