ଭୁବନେଶ୍ବର:୨୦୨୪ ମହାସଂଗ୍ରାମର କାଲି (ଶନିବାର) ଅନ୍ତିମ ପର୍ଯ୍ୟାୟ ଲଢେଇ । ତୋଫାନି ପ୍ରଚାର ପରେ ୬ ଲୋକସଭା ଏବଂ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ । ଇଭିଏମ ମେସିନରେ ସିଲ୍ ହେବ ପ୍ରାର୍ଥୀଙ୍କ ଭାଗ୍ୟ । ଶେଷ ପର୍ଯ୍ୟାୟରେ ୪୨ ବିଧାନସଭା ଆସନ ପାଇଁ ୩୯୪ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେଥିମଧ୍ୟରେ ଅଛନ୍ତି ତିନି ଦଳର ଅନେକ ଟାଣୁଆ ନେତା । ବାଚସ୍ପତିଙ୍କ ସହ ଏକାଧିକ ମନ୍ତ୍ରୀ ଓ ଷ୍ଟାର ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ଅନ୍ତିମ ଲଢେଇ ଖୁବ୍ ରୋଚକ ହେବ ବୋଲି କୁହାଯାଉଛି । ଶେଷ ପର୍ଯ୍ୟାୟ ପାଇଁ ନିର୍ଣ୍ଣାୟକ ଲଢେଇ ଲଢିଛନ୍ତି ତିନି ଦଳର ନେତା । ବିଶେଷକରି ବିଜେପିକୁ ଅଧିକ ଆକ୍ରାମକ ମୁଡ୍ରେ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ତୋଫାନି ଗସ୍ତ ସହ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ କରିଛନ୍ତି ବିଜେପି ନେତା ।
୪୨ ବିଧାନସଭା ଆସନ:ଜଗତସିଂହପୁର, କାକଟପୁର, ନିମାପଡା, ବାଲିକୁଦା, ଏରସମା, ତିର୍ତ୍ତୋଲ, ପାରାଦ୍ବୀପ, ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡସାହି, ବାରିପଦା, ମୋରଡ଼ା, ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁରୀ, ଧାମନଗର, ଚାନ୍ଦବାଲି, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳି, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ମହାକାଳପଡା ।
ହେଭିୱେଟ ଆସନ:ଅନ୍ତିମ ପର୍ଯ୍ୟାୟର କିଛି ହାଇପ୍ରୋଫାଇଲ ଆସନଗୁଡିକ ହେଲା ଭଦ୍ରକ, ଚାନ୍ଦବାଲି, ଭଣ୍ଡାରିପୋଖରୀ, ସୁକିନ୍ଦା, ଆଳି, ପାରାଦ୍ବୀପ, ସାଲେପୁର, ବିଞ୍ଝାରପୁର, କୋରେଇ, କେନ୍ଦ୍ରାପଡା, ମହାକାଳପଡା, ବଡ଼ଚଣା । ଏହି ଆସନଗୁଡିକରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡେଇ, ପ୍ରତାପ କେଶରୀ ଦେବ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ପ୍ରତିନ୍ଦ୍ବନ୍ଦିତା କରୁଛନ୍ତି ।
ବିଞ୍ଝାରପୁରରେ ପ୍ରମିଳା-ବବିତା ଲଢେଇ:ବିଞ୍ଝାରପୁରରେ ୫ ଥରର ବିଜେଡି ବିଧାୟିକା ପ୍ରମିଲ୍ଲା ମଲ୍ଲିକ ପୁଣିଥରେ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ବବିତା ମଲ୍ଲିକଙ୍କ ଛିଡା କରିଛି ବିଜେପି । ଗତ ନିର୍ବାଚନରେ ପ୍ରମିଳା ବିଜେପି ପ୍ରାର୍ଥୀଙ୍କଠାରୁ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଚଳିତ ଥର ମଧ୍ୟ ତାଙ୍କୁ ଚେକ୍ ଦେବା ବିଜେପି ପାଇଁ ସହଜ ହେବନି ବୋଲି କୁହାଯାଉଛି ।
ସୁକିନ୍ଦାରେ ପ୍ରୀତିରଞ୍ଜନ ବନାମ ପ୍ରଦୀପ ବଳସାମନ୍ତ:ଯାଜପୁର ଜିଲ୍ଲା ସୁକିନ୍ଦାରେ ଏଥର ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ହେଉଛି । ବିଜେଡିର ପ୍ରୀତିରଞ୍ଜନ ଘଡେଇଙ୍କ ସହ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ବିଜେପିର ପ୍ରଦୀପ ବଳସାମନ୍ତ । ଏହି ଆସନରେ ଏବେ ପ୍ରୀତିରଞ୍ଜନ ବିଧାୟକ ଅଛନ୍ତି । ୨୦୧୯ ନିର୍ବାଚନରେ ସେ ପ୍ରଦୀପଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ହରାଇ ବିଜୟୀ ହୋଇଥିଲେ । ଏଥର ମଧ୍ୟ ରିପିଟ୍ ବିଜୟ ଲକ୍ଷ୍ୟରେ ଅଛନ୍ତି ।
କୋରେଇରେ ସନ୍ଧ୍ୟାରାଣୀ-ଆକାଶ:କୋରେଇରେ ସ୍ବର୍ଗତ ଅଶୋକ ଦାସଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କ ସହ ଲଢେଇ କରୁଛନ୍ତି ବିଜେପିର ଆକାଶ ଦାସନାୟକ । ସନ୍ଧ୍ୟାରାଣୀ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ମାଆ ମଧ୍ୟ ଅଟନ୍ତି । ଗତ ନିର୍ବାଚନରେ ଏଠି ବିଜେଡି ଅଶୋକ ବଳଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା । ବିଜେପି ବିଶ୍ବଜିତ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଚଳିତ ଥର ଦୁଇଟି ଯାକ ଦଳ ନିଜର ପ୍ରାର୍ଥୀ ବଦଳାଇଛନ୍ତି ।
ବଡଚଣାରେ ବର୍ଷା ପ୍ରିୟଦର୍ଶନୀ-ଅମର ନାୟକ:ଏଥର ବଡଚଣାରେ ଅମର ଶତପଥୀଙ୍କ ଟିକଟ କାଟି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଭରସା କରିଛି ବିଜେଡି । ସେହିପରି ପୁଣିଥରେ ଏଠାରେ ବିଜେପିରୁ ଅମର ନାୟକଙ୍କୁ ପ୍ରାର୍ଥୀ ହୋଇଛନ୍ତି । ଗତ ନିର୍ବାଚନରେ କମ୍ ମାର୍ଜିନରେ ବିଜେଡି ପ୍ରାର୍ଥୀଙ୍କଠାରୁ ହାରିଥିବା ଅମର ନାୟକ ଚଳିତ ଥର ବର୍ଷାଙ୍କୁ ଚେକ୍ ଦେବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରିଛନ୍ତି ।
ନିମାପଡ଼ାରେ ଦିଲ୍ଲୀପ-ପ୍ରତିଭା ଲଢେଇ:ଚଳିତ ଥର ନିମାପଡାରେ ରୋଚକ ଲଢେଇ ହେଉଛି । ଗତଥର ନିମାପଡା ଆସନରେ ବିଜେଡି ବିଧାୟକ ଥିବା ସମୀର ଦାସଙ୍କ ଟିକଟ କଟିବା ପରେ ସେ ଏବେ ପଦ୍ମ ଶିବିରରେ । ଏଠି ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କୁ ଜିତାଇବାକୁ ପ୍ରଚାର କରୁଛନ୍ତି ସମୀର । ଅନ୍ୟପଟେ ଏହି ଆସନରେ କଂଗ୍ରେସ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ହେଲେ ମୁଖ୍ୟତଃ ନିମାପଡାରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ହେଉଛି । ଏଠି ପ୍ରଭାତୀଙ୍କ ରଥର ସାରଥୀ ସାଜିଥିବା ସମୀରଙ୍କୁ ମାତ୍ ଦେବାକୁ ଜୀ ଜାନ୍ ଲଗେଇ ଦେଇଛି ବିଜେଡି ।
କାକଟପୁରରେ ତୁଷାରକାନ୍ତିଙ୍କ ଭାଗ୍ୟ ପରୀକ୍ଷା: ଏଥର କାକଟପୁରରେ ହେଉଛି କଡ଼ା ଫାଇଟ୍ । ଏହି ଆସନରୁ ଲଢୁଥିବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଟକ୍କର ଦେଉଛନ୍ତି ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ । ଗତ ନିର୍ବାଚନରେ ବୃହତ୍ ମାର୍ଜିନରେ ବିଜୟୀ ହୋଇଥିଲେ ତୁଷାରକାନ୍ତି । ମାତ୍ର ୨୪ରେ ଚିତ୍ର ବଦଳିଛି । ଏଥର ଟିକଟ ଆଶାୟୀ ଥିବା ପୂର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀ ଟିକଟ କଟିବାରୁ ବିଜେପିରେ ମିଶିଛନ୍ତି । ସେପଟେ ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା ବିଶ୍ବଭୂଷଣଙ୍କୁ ମଧ୍ୟ ପୁଣିଥରେ ପ୍ରାର୍ଥୀ କରିଛି କଂଗ୍ରେସ । ବିଜେପି ବାଇଧର ମଲ୍ଲିକଙ୍କୁ ଟିକଟ ଦେଇଥିବାବେଳେ ସୁରେନ୍ଦ୍ରଙ୍କ ସମର୍ଥନ ତାଙ୍କ ପକ୍ଷେ ରହିଛି । ଏମିତିରେ ଗତଥର ଭଳି ଏଥର ତୁଷାରଙ୍କ ପାଇଁ ଆଦୌ ସହଜ ବିଜୟ ଆଶା କରାଯାଇନପାରେ ।