ଭୁବନେଶ୍ବର: ପାଖେଇଲାଣି ନିର୍ବାଚନ । ଟିକେଟ ବାଣ୍ଟିବା ପାଇଁ 3 ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଚଳାଇଛନ୍ତି । ଆଉ ଏହି ରେସ୍ରେ କଂଗ୍ରେସ ପାଦେ ଆଗରେ ରହିଛି । ଟିକେଟ କେଉଁ ପ୍ରାର୍ଥୀଙ୍କୁ ଦିଆଯିବ ଏବଂ କେଉଁ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ନାହିଁ ଏହା ଚୟନ କରିବା ପାଇଁ ଦିଲ୍ଲୀରେ ଆଜି କଂଗ୍ରେସର ସ୍କ୍ରିନିଂ କମିଟିର ବୈଠକ ବସିଛି । ପିସିସି ସଭାପତି ଦିଲ୍ଲୀ ଗସ୍ତରେ ଯାଇ ଏହି ବୈଠକରେ ଯୋଗ ଦେଉଛନ୍ତି । ତେବେ କଂଗ୍ରେସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ୍ ହେଲା ପ୍ରଗମନ ଆପ୍ ମାଧ୍ୟମରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବ ନା ବାସ୍ତବ ସ୍ଥିତିକୁ ପରଖି କେଉଁ ନିର୍ବାଚନ ମଣ୍ଡଳୀ ପାଇଁ କିଏ ଯୋଗ୍ୟ ତାହାକୁ ଚିନ୍ତା କରି ଟିକେଟ ଦେବ ।
ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି, "ବର୍ତ୍ତମାନ କଂଗ୍ରେସ ନିଜକୁ ରିଭାଇବ୍ କରିବାକୁ ଚେଷ୍ଟା କରୁଛି । ଅତୀତରେ କଂଗ୍ରେସ ଯେତେବେଳେ ଟିକେଟ ଦେଉଥିଲା ସେତେବେଳେ ଯେଉଁମାନେ ରାଜନୈତିକ ପରିବାରରୁ ଆସିଛନ୍ତି, ନେତା, ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ପିଲାମାନଙ୍କୁ ଟିକେଟ ଦେଉଥିଲା । କିନ୍ତୁ ଏଥର କଂଗ୍ରେସ ନୂଆ ପରମ୍ପରା ଆରମ୍ଭ କରିଛି । ପ୍ରଗମନ ଆପ୍ ମାଧ୍ୟମରେ ଟିକେଟ ଆଶାୟୀ ଟିକେଟ ପାଇଁ ଆବେଦନ କରିଛନ୍ତି । ଏହି ପ୍ରଗମନ ଆପରେ ମଧ୍ୟ ଆଉ ଏକ ବ୍ୟବସ୍ଥା ରହିଛି ଯେ ନିଜ ନିଜ ସପକ୍ଷରେ ଶୁଭେଚ୍ଛୁଙ୍କ ସମର୍ଥନ ଯୋଗାଡ କରିପାରିବେ । ଯାହାର ଯେତେ ସମର୍ଥକ ରହିବେ ତାର ଟିକେଟ ପାଇବା ଆଶା ସେତେ ଉଜ୍ବଳ ରହିବ । ଅନ୍ୟପକ୍ଷରେ କିଛି ପୁରୁଖା ନେତା ଅଛନ୍ତି, ଯଥା ଜୟଦେବ ଜେନା, ନିରଞ୍ଜନ ପଚ୍ଚନାୟକ, ଶରତ ରାଉତ, ସେମାନେ କଂଗ୍ରେସର ତୁଙ୍ଗ ନେତା । ବହୁଦିନ ଧରି ପାର୍ଟି ସହିତ ଜଡିତ । ଦଳ ପାଇଁ କାମ କରୁଛନ୍ତି । ତେଣୁ ସେମାନଙ୍କର ଟିକେଟ କ୍ଲେମକୁ ଅଗ୍ରାହ୍ୟ କରିପାରିବେ ନାହିଁ ପାର୍ଟି ସୁପ୍ରିମୋ । ତେଣୁ ପ୍ରଗମନ ଆପ୍ ମାଧ୍ୟମରେ ଆସିଥିବା ଆବେଦନକୁ ବିଚାର କରିବେ । କ୍ଲେମ କରୁଥିବା ନେତାଙ୍କ ପାଇଁ ମଧ୍ୟ ଚିନ୍ତା କରିବେ । କଂଗ୍ରେସ ଫାଷ୍ଟ୍ ମୁଭର୍ ପ୍ରକ୍ରିୟାରେ ରହିଛି । ଦଳୀୟ ସମ୍ବିଧାନ ଅନୁସାରେ କଂଗ୍ରେସ କାମ କରୁଛି ବୋଲି ବାର୍ତ୍ତା ଦେଉଛି କଂଗ୍ରେସ ।" ତେବେ ପ୍ରାର୍ଥୀ ଚୟନ କରିବାରେ ସେମିତି କିଛି ଚ୍ୟାଲେଞ୍ଜ୍ ରହିବ ନାହିଁ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ମାର୍ଚ୍ଚରେ ପ୍ରକାଶ ପାଇବ କଂଗ୍ରେସ ପ୍ରାର୍ଥୀ ତାଲିକା: ଅଜୟ କୁମାର