ଓଡିଶା

odisha

ବିଜେପୁର ବିଧାନସଭା ଆସନ: ବିଜେଡି-ବିଜେପି ଅଙ୍କ ବିଗାଡିପାରେ ଗୋଷ୍ଠୀ କନ୍ଦଳ, ଫାଇଦ ଉଠାଇବ କି କଂଗ୍ରେସ ? - Odisha assembly election 2024

Odisha Assembly Election 2024: ଗ୍ରୀଷ୍ମ ତାତି ଠାରୁ ବଳି ଯାଉଛି ନିର୍ବାଚନୀ ତାତି । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ଚାଲିଛି ଜୋରଦାର ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବଳ କଷୁଛନ୍ତି ସବୁ ପ୍ରାର୍ଥୀ । ତେବେ ବରଗଡ଼ ଜିଲ୍ଲା ବିଜେପିରୁ ନିର୍ବାଚନ ମଣ୍ଡଳୀରେ କେମିତି ରହିଛି ରାଜନୈତିକ ମାହୋଲ, ପଢନ୍ତୁ

By ETV Bharat Odisha Team

Published : Apr 24, 2024, 12:01 PM IST

Published : Apr 24, 2024, 12:01 PM IST

Etv Bharat
Etv Bharat

ବିଜେପୁର ବିଧାନସଭା ଆସନ

ବରଗଡ଼:ଗ୍ରୀଷ୍ମ ଋତୁର ତାତି ଦିନକୁ ଦିନ ଯେତେ ବଢି ବଢି ଯାଉଛି ବରଗଡ ଜିଲ୍ଲାରେ ନିର୍ବାଚନୀ ଉଷ୍ଣତା ମଧ୍ୟ ସେତେ ବଢିବାରେ ଲାଗିଛି । ୫ ବର୍ଷ ପରେ ପୁଣି ନୂତନ ବିଧାୟକ ଓ ସାଂସଦ ବାଛିବାକୁ ଯାଉଛନ୍ତି ଜନତା ଏବଂ ଏଥିପାଇଁ ସମସ୍ତ ଦଳର ନେତା, କର୍ମୀ ଓ ଭୋଟରମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଦେଇଛି । ବରଗଡ ଜିଲ୍ଲାର ୫ ଗୋଟି ବିଧାନସଭାରେ ସମସ୍ତ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ବିଜେପୁର ବିଧାନସଭା ଆସନ ପାଇଁ ମଧ୍ୟ ସବୁ ଦଳର ଯୋଦ୍ଧା ତୟାର ହୋଇସାରିଛନ୍ତି । ନିର୍ବାଚନକୁ ଦିନ କେଇଟା ଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ପ୍ରାର୍ଥୀ ଓ ନେତା । ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ମେ' ୨୦ରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ୨୬ ଏପ୍ରିଲରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ଓ ଏହାର ଶେଷ ତାରିଖ ୩ ମେ' ରଖାଯାଇଛି । ୬ ମେ' ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଛି |

୩ ଦଳର ଯୋଦ୍ଧା ପ୍ରସ୍ତୁତ: ବରଗଡ ଜିଲ୍ଲାର ବିଜେପୁର ବିଧାନସଭା ଆସନରେ ବିଜେପି ଦଳରୁ ସନଥ ଗଡ଼ତିଆ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଏଥର ନୂତନ ଚେହେରା ଦେଇ କିଶୋର ଦଫାଦାରଙ୍କୁ ଟିକଟ ଦେଇଛି । ସେହିପରି ବିଜେଡି ଦଳ ମଧ୍ୟ ପୁଣିଥରେ ରୀତା ସାହୁଙ୍କ ଉପରେ ଭରଷା କରିଛି । ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପୁରରେ ଦୁଇ ପୁରୁଣା ଚେହେରା ମଧ୍ୟରେ ପୁଣି ଲଢେଇ ହେବାକୁ ଥିବାବେଳେ ଏଥର କିଏ ଭୋଟରଙ୍କ ଆସ୍ଥା ଓ ବିଶ୍ବାସ ଜିଣିପାରୁଛି ଓ ବିଜେପୁର ଆସନକୁ ଅକ୍ତିଆର କରୁଛି ତାହା ନିର୍ବାଚନ ପରେ ହିଁ ଜଣାପଡିବ ।

୫ଟି ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ବରଗଡ ଜିଲ୍ଲାରେ ବିଜେପୁର ନିର୍ବାଚନ ମଣ୍ଡଳୀର ଗୁରୁତ୍ବ ଢେର୍ ଅଧିକ । ବିଜେପୁର, ଗାଇସିଲେଟ ବ୍ଲକ ଏବଂ ବରପାଲି ବ୍ଲକର ୧୭ ପଞ୍ଚାୟତ ସହ ବରପାଲି ବିଜ୍ଞାପିତ ପରିଷଦ ଓ ବିଜେପୁର ବିଜ୍ଞାପିତ ପରିଷଦକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨,୪୦,୧୪୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ମହିଳା ୧,୨୧,୫୭୧ ଥିବାବେଳେ ୧,୧୮,୫୬୧ ପୁରୁଷ ଭୋଟର ଓ ୧୮ ଜଣ ତୃତୀୟ ଲିଙ୍ଗୀ ରହିଛନ୍ତି । ୧୯୫୭ ମସିହାରୁ ଗଠିତ ହୋଇଥ‌ିବା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ବିଧାୟକ ହୋଇଥିଲେ ନିକୁଞ୍ଜ ବିହାରୀ ସିଙ୍ଗ । ୧୯୫୭ ରୁ ୨୦୧୯ ପର୍ଯ୍ୟନ୍ତ ଏହି ଆସନରେ ସମୁଦାୟ ୧୭ ଥର ନିର୍ବାଚନ ହୋଇଥିବା ବେଳେ ସମୁଦାୟ ୮ ଥର ଏହି ଆସନକୁ କଂଗ୍ରେସ ଦଳ ଅକ୍ତିଆର କରି ନିଜ ହାତମୁଠାକୁ ନେଇଛି । ଜନତା ପାର୍ଟି ଥରେ ଏବଂ ଜନତା ଦଳ ୩ ଥର ଏହି ଆସନ କବଜା କରିଥିଲେ ।

୨୦୧୮ ଉପନିର୍ବାଚନରେ ବିଜେଡି ଖାତାକୁ ଆସିଥିଲା ବିଜେପୁର:ଏହି ଆସନରେ କଂଗ୍ରେସ ଦଳର ସୁବଳ ସାହୁ ଲଗାତାର ଭାବେ ୩ ଥର ବିଜୟୀ ହୋଇ ଏହାକୁ କଂଗ୍ରେସର ଗଡରେ ପରିଣତ କରିଥିଲେ । ମାତ୍ର ୨୦୧୮ରେ ତାଙ୍କର ମୃତ୍ୟୁ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା ଏବଂ ସ୍ଵର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ଦଳ ପ୍ରାର୍ଥୀ କରି ନିର୍ବାଚନୀ ମୈଦାନକୁ ଓହଲ୍ଲାଇଥିଲା । ବିଜେଡି ପ୍ରଥମ କରି ଏହି ଆସନକୁ ନିଜ ହାତମୁଠାକୁ ଆଣିବାରେ ସଫଳ ହୋଇଥିଲା ୨୦୧୮ ଉପନିର୍ବାଚନରେ । ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ରୀତା ସାହୁ ବିଜେଡି ଟିକଟରେ ନିର୍ବାଚନରେ ବିଜୟୀ ହୋଇଥିଲେ ଏବଂ ପୁଣି ଏହି ଆସନକୁ ଅକ୍ତିଆର କରିଥିଲା ବିଜୁ ଜନତା ଦଳ ।



ଏହା ମଧ୍ୟ ପଢନ୍ତୁ: ପଦ୍ମପୁରରେ ପୁଣି ବାଜି ମାରିବେ କି ବର୍ଷା ? ଫୁଟିବ ପଦ୍ମ ନା ଉଠିବ ହାତ - Padmapur Assembly Constituency



୨୦୦୯ ମସିହାରେ ବିଜେପୁର ଆସନକୁ କଂଗ୍ରେସ ଅକ୍ତିଆର କରି ଥିବାବେଳେ ଏହାର ପ୍ରାର୍ଥୀ ସୁବଳ ସାହୁ ୫୬,୮୬୪ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ଦଳର ପ୍ରାର୍ଥୀ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ୪୭,୮୯୩ ଖଣ୍ଡ ଭୋଟ ମିଳିଥିଲା ଏବଂ ବିଜେପି ପ୍ରାର୍ଥୀ ମହମ୍ମଦ ରଫିକଙ୍କୁ ୧୯,୪୯୩ ଭୋଟ ମିଳିଥିଲା । ୨୦୧୪ ସାଧାରଣ ନିର୍ବାଚନରେ ପୁଣି କଂଗ୍ରେସ ବିଜୟୀ ହୋଇଥିଲା । କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କୁ ୫୩, ୨୯୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଜୟ ଶଙ୍କର ପଟ୍ଟନାୟକଙ୍କୁ ମିଳିଥିଲା ୩୦,୦୦୧ ଖଣ୍ଡ ଭୋଟ । ବିଜେଡିର ହେଭିୱେଟ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୪୫୮ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ ସୁବଳ ସାହୁ ।

କିନ୍ତୁ ତାଙ୍କର ମୃତ୍ୟୁ ପରେ ବିଜେପୁର ଆସନରେ ବଡ ପରିବର୍ତ୍ତନ ଦେଖାଦେଇଥିଲା । କଂଗ୍ରେସ ସୁବଳ ସାହୁଙ୍କୁ ହରାଇବା ପରେ ବିଜେଡି ତାଙ୍କର ପତ୍ନୀ ରୀତା ସାହୁଙ୍କୁ ଦଳୀୟ ପ୍ରାର୍ଥୀ କରି ଉପନିର୍ବାଚନ ଲଢିଥିଲା ଓ ବହୁ ମାତ୍ରାରେ ଭୋଟ ପାଇ ବିଜୟୀ ହୋଇଥିଲା । ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୪୦ ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ରୀତା ସାହୁଙ୍କୁ ୧୦୨୮୭୧ ଖଣ୍ଡ ଭୋଟ ମିଲିଥିଲା । ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୬୦,୯୩୯ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୦,୨୭୪ ଖଣ୍ଡ ଭୋଟ ମିଳିଥିଲା ।

୨୦୧୯ରେ ବିଜେପୁରରୁ ଲଢିଥିଲେ ନବୀନ:ସେହିଭଳି ୨୦୧୯ ସାଧାରଣ ନିର୍ବାଚନରେ ବିଜେପୁର ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିଲେ ଏବଂ ବିଜେପିରୁ ସନଥ ଗଡ଼ତିଆ ଏବଂ କଂଗ୍ରେସରୁ ରିପୁନାଥ ଶେଠ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ନବୀନ ପଟ୍ଟନାୟକ ୫୭,୧୨୨ ଖଣ୍ଡ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ସେ ୫୯. ୭୮ % ଭୋଟ ପାଇଥିଲେ । ବିଜେପି ଦଳର ସନଥ ଗଡ଼ତିଆ ୨୮.୯୧ % ଭୋଟ ଓ କଂଗ୍ରେସ ପ୍ରାର୍ଥୀ ରିପୁନାଥ ଶେଠ ମାତ୍ର ୭. ୭୫% ଭୋଟ ପାଇଥିଲେ ।

ପୁଣି ବିଧାୟିକା ହେଲା ରୀତା ସାହୁ:ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡି ଦେବା ପରେ ପୁଣି ବିଜେପୁରରେ ହୋଇଥିଲା ୨୦୧୯ ଉପନିର୍ବାଚନ । ଏଥର ବିଜେଡି ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ସନଥ ଗଡ଼ତିଆଙ୍କୁ ଛିଡା କରିଥିଲା । କଂଗ୍ରେସ ଦଳ କିନ୍ତୁ ନୂତନ ଚେହେରା ଦେଇ ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା । ତେବେ ୨୦୧୯ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନବୀନ ପଟ୍ଟନାୟକଙ୍କ ଠାରୁ ମଧ୍ୟ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ସେ ୯୭,୯୯୦ ଅଧିକ ଭୋଟ ବା ୭୩. ୮୬% ଭୋଟ ପାଇଥିବାବେଳେ ବିଜେପି ୨୦.୬୨ % ଏବଂ କଂଗ୍ରେସ ମାତ୍ର ୩.୨ % ଭୋଟ ପାଇଥିଲା ।



୨୦୨୪ ନିର୍ବାଚନରେ ମଧ୍ୟ ବିଜେଡି ଓ ବିଜେପି ସେହି ସମାନ ଚେହେରାଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ନୂତନ ଚେହେରା ଦେଇଛି । ଚଳିତ ନିର୍ବାଚନରେ ପୁଣି ରୀତା ସାହୁ ଓ ସନଥ ଗଡ଼ତିଆ ମଧ୍ୟରେ ହେବ ଦ୍ଵିପାକ୍ଷିକ ଲଢେଇ । ହେଲେ ଏଥର କିନ୍ତୁ ବିଜେପୁରରେ ରାଜନୈତିକ ସମୀକରଣ କିଛି ଅଲଗା ରହିଛି | ବିଜେପୁର ନିର୍ବାଚାନ ମଣ୍ଡଳୀରେ ବିଜେଡି ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ରୀତା ସାହୁଙ୍କୁ ଅନେକ ବିଜେଡି କର୍ମୀ ଓ ନେତା ଖୋଲା ବିରୋଧ କରୁଛନ୍ତି ଯାହାର ପ୍ରଭାବ ନିର୍ବାଚନରେ ନିଶ୍ଚୟ ଦେଖିବାକୁ ମିଳିବ । ଅନ୍ୟପଟେ ବିଜେପି ପ୍ରାର୍ଥୀ ସନଥ ଗଡ଼ତିଆଙ୍କୁ ମଧ୍ୟ ବିଜେପି କର୍ମୀମାନେ ବିରୋଧ କରୁଛନ୍ତି । ତେବେ ଉଭୟ ଦଳର ଗୋଷ୍ଠୀ କନ୍ଦଳରେ କଂଗ୍ରେସ ପ୍ରାର୍ଥୀ କେତେ ଫାଇଦା ଉଠାଇ ପାରୁଛନ୍ତି ତାହା ଫଳାଫଳ ପରେ ଜଣାପଡିବ ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details