ଝାରସୁଗୁଡା: ଗାଁଠୁ ସହର ଜମୁଛି ନିର୍ବାଚନୀ ପ୍ରଚାର । ସଭା ସମିତି, ଶୋଭାଯାତ୍ରା ସମାବେଶ କରି ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରୟାସରେ ପ୍ରମୁଖ ଦଳର ପ୍ରାର୍ଥୀମାନେ । ଏହି କ୍ରମରେ ଶନିବାର ଦିନ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଲଇକେରାଠାରେ ଥିବା ମିନି ଷ୍ଟାଡିୟମରେ ବିଜେଡ଼ି ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ମହିଳା ଭୋଟର ଏହି ସମାବେଶରେ ସାମିଲ ହୋଇଥିବା ବେଳେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ।
ଏହି ଅବସରରେ ଦୀପାଳି ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ ଓ ସ୍ଵାବଲମ୍ବୀ, ଚାଷୀ ମୂଲିଆଙ୍କ ପାଇଁ ଉନ୍ନତ ଯୋଜନା ରାଜ୍ୟବାସୀଙ୍କୁ ସଶକ୍ତ କରିଛି । ୬ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ, ସ୍ଵାସ୍ଥ୍ୟସେବାଠୁ ନେଇ କୀର୍ତ୍ତନ ମଣ୍ଡପ, କଲ୍ୟାଣ ମଣ୍ଡପ, ପୋଖରୀ ଓ ମନ୍ଦିର ରୂପାନ୍ତରୀକରଣ ଦିଗରେ ଲୋକାଭିମୁଖି ବିକାଶ ହୋଇଛି । ବିରୋଧୀ ବିଜେପି ଦଳ ପ୍ରାର୍ଥୀ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଛବି ଓ ସ୍ୱର୍ଗୀୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନୂତନ ଝାରସୁଗୁଡ଼ା ନିର୍ମାଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । ଲଇକେରା ମାଟି ମୋ ପରିବାର ସହ ଅଛି । ଲୋକେ କହି ଚାଲିଥିବେ ମୁଁ ମୋ କାମ କରି ଚାଲିଥିବି । ବିରୋଧୀଙ୍କୁ ଏଥର କଡା ଜବାବ ଦେବୁ । "