ଭୁବନେଶ୍ବର:ନାମାଙ୍କନ ଭରିଲେ ବିଜେଡି ଏକାମ୍ର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା । ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ଅଶୋକ ପଣ୍ଡା । ଭୁବନେଶ୍ୱର ମେୟର ସୁଲୋଚନା ଦାସ , ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସିଥିଲେ ଅଶୋକ । ପ୍ରଥମେ ବିଜେଡି ଶିବିରର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଦେଇ ନାମାଙ୍କନ ପତ୍ର ଭରିଛନ୍ତି ଅଶୋକ ପଣ୍ଡା । ତେବେ ସେ ନାମାଙ୍କନ ପୂର୍ବରୁ ଲିଙ୍ଗରାଜ ମନ୍ଦିରରୁ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ପଦଯାତ୍ରା କରିଥିଲେ । ଏକାମ୍ର ବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦକୁ ପାଥେୟ କରି ବଢେଇବାଙ୍କ ଓ ମାଉସୀମା ମନ୍ଦିର ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାଜା, ପାରମ୍ପରିକ ନୃତ୍ୟ ଓ ଡିଜେର ତାଳେ ତାଳେ ନେତା କର୍ମୀ ଓ ସମର୍ଥକଙ୍କ ଗହଳିରେ ବିରାଟ ଶୋଭାଯାତ୍ରା ହୋଇଥିଲା । ଏହାସହ ଶୋଭାଯାତ୍ରାରେ ବିଜେଡିର ବହୁ କର୍ପୋରେଟରମାନେ ମଧ୍ୟ ସାମିଲ ହୋଇଥିଲେ । ଜୟଜଗନ୍ନାଥ, ଜୟ ନବୀନ, ଜୟ ବିଜେଡି, ନାରାରେ ମଧ୍ୟ ପ୍ରକମ୍ପିତ ହୋଇଥିଲା ଏକାମ୍ର କ୍ଷେତ୍ର। ତେବେ ନାମାଙ୍କନ ଭରିବା ପରେ ସେ ପ୍ରତିକ୍ରିୟା ରଖି କହିଛନ୍ତି । ଅଶୋକ ପଣ୍ଡା କହିଛନ୍ତି, "ଦୀର୍ଘ ୧୫ ବର୍ଷ ଧରି ଲୋକଙ୍କ ସହ ଯୋଡି ହୋଇ ରହିଛି । ଆଗକୁ ମଧ୍ୟ ଲୋକଙ୍କ ସହ ରହିବି ଓ ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ କାର୍ଯ୍ୟ କରିବି । ନବୀନ ସରକାରଙ୍କ ସମୃଦ୍ଧ କାର୍ଯ୍ୟଧାରା, ଏକାମ୍ର କ୍ଷେତ୍ରର ବହୁମୁଖୀ ବିକାଶ ହିଁ ମତେ ଜିତାଇବ। ବିଶେଷ କରି ମୋ ପ୍ରତି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଭୋଟରଙ୍କ ସହଯୋଗ ଓ ଭଲପାଇବା ରହିଛି। କାରଣ ବିଜେଡି ସରକାରର ବିକାଶର ଧାରା ଏକାମ୍ରବାସୀଙ୍କ ପାଖରେ ରହିଛି ।"