ଓଡିଶା

odisha

ETV Bharat / politics

ବରଗଡ଼ରେ ନାମାଙ୍କନ ଭରିଲେ ଆପ୍ ପ୍ରାର୍ଥୀ, ଝାଡୁ ଧରି ସଫେଇ ଶୋଭାଯାତ୍ରା କଲେ ସମର୍ଥକ - AAP Candidate Nomination

AAP Candidate Nomination: ବରଗଡ଼ ଜିଲ୍ଲାରେ ଆମ ଆଦମୀ ଦଳ ମଧ୍ୟ 4ଟି ବିଧାନସଭା ଆସନରେ ନିଜର ଦଳୀୟ ପ୍ରାର୍ଥୀ ପ୍ରଦାନ କରିଛି । ଅଭିନବ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ଆପ୍ ପ୍ରାର୍ଥୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : May 2, 2024, 11:00 PM IST

AAP Candidate
AAP Candidate (Etv Bharat)

AAP Candidate (Etv Bharat)

ବରଗଡ଼:ଆସନ୍ତା ୨୦ ତାରିଖରେ ବରଗଡ଼ ଜିଲ୍ଲାରେ ହେବ ମତଦାନ ପ୍ରକ୍ରିୟା । ଏଥିପାଇଁ ୨୬ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇଯାଇଛି ନାମାଙ୍କନ ପତ୍ର ଦାଖଲ ଓ ଆସନ୍ତାକାଲି ( ମେ ୬ ) ଶେଷ ତାରିଖ ରହିଛି । ତେବେ ୬ ମେ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଥିବାବେଳେ ମେ ୨୦ରେ ହେବ ମତଦାନ ଏବଂ ୪ ଜୁନରେ ହେବ ଭୋଟ ଗଣତି । ସମସ୍ତ ଦଳର ଦଳୀୟ ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରୁଥିବା ବେଳେ ଚଳିତ ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲାରେ ଆମ ଆଦମୀ ଦଳ ମଧ୍ୟ 4ଟି ବିଧାନସଭା ଆସନରେ ନିଜର ଦଳୀୟ ପ୍ରାର୍ଥୀ ପ୍ରଦାନ କରିଛି । ଚଳିତ ସାଧାରଣ ନିର୍ବାଚନରେ ଆମ ଆଦମୀ ପାର୍ଟି ମଧ୍ୟ ନିର୍ବାଚନୀ ମଇଦାନକୁ ଓହ୍ଲାଇଛି । ପଦ୍ମପୁର, ଭଟଲି, ଅତାବିରା ଓ ବରଗଡ଼ ଆସନରେ ପ୍ରାର୍ଥୀ ଦେଇଛି ଦଳ ।


ବରଗଡ ସଂସଦୀୟ କ୍ଷେତ୍ରରେ ସମୁଦାୟ 7ଟି ବିଧାନସଭା ଆସନ ରହିଥିବାବେଳେ କେବଳ ବରଗଡ଼ ଜିଲ୍ଲାରେ 5ଟି ବିଧାନସଭା ଆସନ ରହିଛି । ଝାରସୁଗୁଡା ଜିଲ୍ଲାର ଝାରସୁଗୁଡ଼ା ଓ ବ୍ରଜରାଜନଗର ୨ଟି ଆସନ ରହିଛି । ତେବେ ବରଗ଼ଡ ଜିଲ୍ଲାର ସମୁଦାୟ 5ଟି ବିଧାନସଭା ଆସନରୁ 4ଟି ଆସନରେ ଚଳିତ ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲା ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଦେଇଛି । ବରଗଡ଼ ବିଧାନସଭା ଆସନରେ ଜଣେ ଡାକ୍ତର ନିଜ ପେଶା ଛାଡି ରାଜନୀତିରେ ପାଦ ଦେଇଛନ୍ତି । ଆମ ଆଦମୀ ପାର୍ଟିରୁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଡ. ଆଶିଷ ଶତପଥି। ବରଗଡ଼ ବିଧାନସଭା ଆସନ ଲଗାତାର ବିଜେଡି ଅକ୍ତିଆରରେ ଥିବାବେଳେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । କଂଗ୍ରେସ ଦଳ ମଧ୍ୟ ଲଢେଇର ବହୁ ପଛରେ ରହିଛି । ଏପରି ସ୍ଥିତିରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ଜନତା କେତେ ଗ୍ରହଣ କରୁଛନ୍ତି ତାହା ଉପରେ ନଜର ରହିଛି ।

ଏହା ବି ପଢନ୍ତୁ...ବଲାଙ୍ଗୀର କଂଗ୍ରେସ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ, ନାମାଙ୍କନ କଲେ ସମରେନ୍ଦ୍ର ଓ ମନୋଜ - Nomination By Samarendra And Manoj

ସେହିପରି ଅତାବିରା ବିଧାନସଭା ଆସନରେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଜୟକୃଷ୍ଣ ଛୁରିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭଟଲି ବିଧାନସଭା ଆସନ ପାଇଁ ଆପ୍ ପ୍ରାର୍ଥୀ ଏମ ଡି ଶାହରୁଖ ଲୋଧିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ପଦ୍ମପୁର ବିଧାନସଭା ଆସନ ପାଇଁ ଆପ୍ ପ୍ରାର୍ଥୀ ବାଲ୍ମୀକି ନାଏକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅନେକ ଆପ୍ ସମର୍ଥକ ନିଆରା ଢଙ୍ଗରେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ଶତାଧିକ ମହିଳା କର୍ମୀ ହାତରେ ଝାଡୁ ଧରି ରାସ୍ତାର ମଇଳା ସଫା କରିଥିଲେ ଓ ରାଜନୀତିରେ ଥିବା ଆବର୍ଜନା ସଫା କରିବାକୁ ନାରା ଦେଇଥିଲେ । ଆପର ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେପି କର୍ମୀ ଜୟ ଶ୍ରୀରାମ ନାର ଦେଇ କଟାକ୍ଷ କରିଥିବା ଦେଖିବାକୁ ମିଳିଥିଲା । ଚଳିତ ସାଧାରଣ ନିର୍ବାଚନରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର ଆଦି ବିଭିନ୍ନ ମୁଦ୍ଦାକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି କହିଛି ଆପ୍।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details