ଭୁବନେଶ୍ବର:ମୋଦିଙ୍କୁ କଡା ସମାଲୋଚନା କଲେ AICC ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ । ଚାକିରି ପାଇଁ ଭାରତୀୟମାନେ ଇସ୍ରାଏଲ ଯିବାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ଖଡଗେ । ଏହା ଦେଶରେ “ବେକାରୀ ପରିସ୍ଥିତି”ର ପ୍ରତିଫଳ ବୋଲି କହିଛନ୍ତି ସେ । ହଜାର ହଜାର ଭାରତୀୟ ଯୁଦ୍ଧ ସମୟରେ ନିଜ ଜୀବନକୁ ବିପଦରେ ପକାଇ ଇସ୍ରାଏଲରେ ଚାକିରି ଖୋଜୁଥିଲେ କାହିଁକି ? ସେ ସମ୍ପର୍କରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏନେଇ ଏକ୍ସରେ ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଖଡ଼ଗେ ଏକ୍ସରେ ଲେଖିଛନ୍ତି, ବିଗତ ୫ ବର୍ଷ ମଧ୍ୟରେ, ମୋଦି ସରକାରଙ୍କ ଅଧୀନରେ ପ୍ରକୃତ ଗ୍ରାମୀଣ ମଜୁରୀର ଅଭିବୃଦ୍ଧି ହାର ଉଭୟ କୃଷି (-୦.୬%) ଏବଂ ଅଣ କୃଷି (-୧.୪%) ପାଇଁ ନକାରାତ୍ମକ ହୋଇପାରିଛି, ଯାହା ଫଳରେ ଗ୍ରାମୀଣ ବିଭାଜନ ବ୍ୟାପକ ହେଉଛି । ୨୦୨୨-୨୦୨୩ ମସିହାରେ ପୁରୁଷମାନଙ୍କ ପାଇଁ ଭାରତର ଗ୍ରାମାଞ୍ଚଳରେ ଦୈନିକ ମଜୁରୀ ୨୧୨ ଟଙ୍କା ଅଟେ, ଯାହା କି ୨୦୧୪ ରେ ୨୨୦ ଟଙ୍କା ଠାରୁ କମ୍ ଅଟେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ କାମ ପାଇଁ ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ୨୦୨୩-୨୪ ବଜେଟରେ ମୋଦି ସରକାର ଏହାର ପାଣ୍ଠିକୁ ହ୍ରାସ କରିଛନ୍ତି, କିନ୍ତୁ ଗ୍ରାମାଞ୍ଚଳର ବେକାରୀ ଅଧିକ ହେତୁ ୨୮,୦୦୦ କୋଟି ଅଧିକ ଆବଣ୍ଟନ କରିବାକୁ ବାଧ୍ୟ ହୋଇଥିଲେ । ଆନୁଷ୍ଠାନିକ ନିଯୁକ୍ତି ସୃଷ୍ଟି ୩୦ ମାସର ନିମ୍ନକୁ ସ୍ତରକୁ ଖସି ଆସିଛି, ଅର୍ଥାତ୍ ଶିକ୍ଷିତ ଯୁବକମାନଙ୍କ ପାଇଁ କୌଣସି ଚାକିରି ନାହିଁ ।