ଭୁବନେଶ୍ବର:ଡିସେମ୍ବର ମାସ ଅଧା ହେଲାଣି । ପାଗ ବି ଶୁଖିଲା, ଶୀତ ଲହରୀରେ ଥରୁଛି ରାଜ୍ୟ । ଏହାରି ଭିତରେ ଥଣ୍ଡା ମାହୋଲକୁ ସରଗରମ ପାଇଁ ରାଜ୍ୟକୁ ପୁଣି ଫେରିଛି ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗ । କାରଣ ମହାନଦୀ ଟ୍ରିବ୍ୟୁନାଲକୁ ମିଳିଛି ନୂଆ ଅଧ୍ୟକ୍ଷ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ ହୋଇଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ । ନୂଆ ଅଧ୍ୟକ୍ଷ ଆସିବା ପରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଏହି ବିବାଦରେ ପଡିବ କି ପୂର୍ଣ୍ଣଚ୍ଛେଦ ? ସମାଧାନ ହେବ କି ମହାନଦୀ ଜଳ ବିବାଦ । କଣ କହୁଛି ରାଜନୈତିକ ପାଣିପାଗ ।
ଓଡ଼ିଶାର ଲାଇଫଲାଇନ ମହାନଦୀ:
କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ଲାଇଫଲାଇନ ହେଉଛି ମହାନଦୀ । ଓଡିଶାର ଅଧାରୁ ଅଧିକ ଜିଲ୍ଲା ମହାନଦୀ ଉପରେ ନିର୍ଭରଶୀଳ । ବିଜୁଳି ବଳକା ରାଜ୍ୟ ଓଡିଶା ଏଥିପାଇଁ ମହାନଦୀ ଉପରେ ନିର୍ଭର କରେ । ସମ୍ବଲପୁର, କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହେଉଛି ମହାନଦୀ । 15 ଜିଲ୍ଲାର ଲୋକଙ୍କୁ ଚାଷ, ଜଳ ସେଚନ, ପାନୀୟ ଜଳ ଯୋଗାଣ, ଜୀବନ ଜୀବିକା, ମତ୍ସ୍ୟ ଚାଷ ସହ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଲାଗି ମହାନଦୀ ଉପରେ ନିର୍ଭର କରିବାକୁ ପଡେ । ଏଥିପାଇଁ ମହାନଦୀକୁ ଓଡ଼ିଶାର ଜୀବନରେଖା କୁହାଯାଏ ।
ମହାନଦୀ ଜଳ ବିବାଦ କଣ ?
ମହାନଦୀ କେବଳ ଏକ ନଦୀ ନୁହେଁ ଓଡ଼ିଶାବାସୀଙ୍କ ଜୀବନର ଧାରା କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାନଦୀ ଉପରେ ରାଜ୍ୟର ଅଧିକାଂଶ ଜିଲ୍ଲା ନିର୍ଭରଶୀଳ ଥିବା ବେଳେ ଛତିଶଗଡରେ ବିଜେପି ନେତୃତ୍ବାଧୀନ ତତ୍କାଳ ରମଣ ସରକାର ମହାନଦୀର ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ ଓ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଫଳରେ ମହାନଦୀର ଜଳ ପ୍ରବାହ ପ୍ରଭାବିତ ହେବାରେ ଲାଗିଲା । ଗତ 2016ରେ ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ଏହି ଜଳ ବିବାଦ ସାମ୍ନାକୁ ଆସିଥିଲା । ଏହାପରେ 2017ରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନେଇ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ତଥାପି ବାହାରି ପାରି ନଥିଲା ସମାଧାନର ବାଟ ।
2018ରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ:
ଛତିଶଗଡ ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଫଳରେ ହୀରାକୁଦର ଜଳସ୍ତର ମଧ୍ୟ ସ୍ୱାଭାବିକ ଠାରୁ କମ ରହିବାରେ ଲାଗିଛି । ଏହା ବିରୋଧରେ ତତ୍କାଳୀନ ବିଜେଡି ସରକାର କେନ୍ଦ୍ର ସରକାର ଓ ଆଇନ ଆଶ୍ରୟ ନେଇଥିଲେ । ଛତିଶଗଡ଼ ସହ ଓଡିଶାର ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର 2018 ମାର୍ଚ୍ଚ 12ତାରିଖରେ ଜଷ୍ଟିସ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଭାବେ ଦୁଇ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ କୌର କୋଚର କାର୍ଯ୍ୟ କରୁଥିଲେ । ଶେଷଥର ପାଇଁ ଟ୍ରିବ୍ୟୁନାଲରେ ଶୁଣାଣି 2024 ଫେବୃୟାରୀ 22ତାରିଖରେ ହୋଇଥିଲା ।
8 ମାସ ପରେ ନିଯୁକ୍ତ ହେଲେ ନୂଆ ଅଧ୍ୟକ୍ଷ:
ସାଧାରଣ ନିର୍ବାଚନ ପାଇଁ ନୂଆ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । 8 ମାସ ପଦ ଖାଲି ପଡ଼ିବା ପରେ କେନ୍ଦ୍ରରେ ନୂତନ ସରକାର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ପାଇଁ ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କ ନାମକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ବିଚାରପତି ବେଲା ଏମ ତ୍ରିବେଦୀ ସୁପ୍ରିମକୋର୍ଟର ବିଚାରପତି ଭାବେ 2021 ଅଗଷ୍ଟ 31ରୁ ଅବସ୍ଥାପିତ ଅଛନ୍ତି । ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଦୁଇ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ କୌର କୋଚର ପୂର୍ବବତ କାର୍ଯ୍ୟ କରିବେ । ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ କେନ୍ଦ୍ର ସରକାର ମଧ୍ୟ 2026 ଏପ୍ରିଲ 13 ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇଛି ।
ଏକାଧିକ ବୈଠକ ବାହାରି ପାରୁନି ସମାଧାନ ବାଟ:
ଉଭୟ ରାଜ୍ୟର ଜଳ ବିବାଦ ସମାଧାର କରିବା ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି ଏକାଧିକ ବାର ବୈଠକ ବି ହୋଇଛି । ହେଲେ ବାହାରି ପାରୁନି ସମାଧାନର ବାଟ । 2024 ଫେବୃୟାରୀ 22 ତାରିଖରେ ଟ୍ରିବ୍ୟୁନାଲର ଶେଷ ଶୁଣାଣି ହୋଇଥିବା ବେଳେ ଏବେ ଶୁଖିବାକୁ ଲାଗିଲାଣି ମହାନଦୀ । ପରେ ଟ୍ରିବ୍ୟୁନାଲର ବୈଠକ ପରେ ମାର୍ଚ୍ଚ 11 ତାରିଖରେ ପ୍ରସ୍ତାବିତ ଶୁଣାଣି ହୋଇପାରିନଥିଲା । ଜଷ୍ଟିସ ଖାନୱିଲକର ଭାରତର ଲୋକପାଳ ଭାବେ ନିଯୁକ୍ତି ପାଇବା ପରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରୁ ମାର୍ଚ୍ଚ 12 ତାରିଖରେ ଇସ୍ତଫା ଦେଇଥିଲେ । ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶାକୁ କିଛି ଆଶ୍ବସ୍ତି ମିଳିନାହିଁ । ଟ୍ରିବ୍ୟୁନାଲଙ୍କ ପକ୍ଷରୁ କୌଣସି ରିପୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇନାହିଁ । 32 ଥର ମାମଲାର ଶୁଣାଣି କରିବା ସହ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ କରିବା ପରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା ।
ହ୍ରାସ ପାଉଛି ହୀରାକୁଦ ସ୍ତର:
ବ୍ୟାରେଜ ନିର୍ମାଣ ଫଳରେ ହୀରାକୁଦର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ବିଗତ 3 ବର୍ଷରେ ମହାନଦୀର ହୀରାକୁଦରେ ପ୍ରବାହିତ ଜଳର ପରିମାଣ 2021/22ରେ 19.8 ନିୟୁତ ଏକର ଫୁଟ, 2022/23ରେ 27.7 ନିୟୁତ ଏକର ଫୁଟ ଓ 2023/24ରେ 25.4 ନିୟୁତ ଏକର ଫୁଟ ରହିଥିଲା । ଗତବର୍ଷ ହୀରାକୁଦର ଜଳସ୍ତର ଆଜିର ଦିନରେ 628.37 ଫୁଟ ଥିଲା । ଆଜି ପୂର୍ବାହ୍ନ 9ଟା ସୁଦ୍ଧା ହୀରାକୁଦର ଜଳସ୍ତର 626.73 ଫୁଟ ରହିଛି ।
ଏହା ମଧ୍ୟ ପଢନ୍ତୁ: ମହାନଦୀରେ ନିର୍ମାଣ ହେବ ଜଳଭଣ୍ଡାର ଏବଂ ବ୍ୟାରେଜ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ |
ମହାନଦୀର ଶେଷ ମୁଣ୍ଡରେ ଥିବା କେନାଲରେ ନାହିଁ ପାଣି:
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, "ମହାନଦୀ ଜଳ ବିବାଦ ସମାଧାନ ଲାଗି 2018ରୁ ଟ୍ରିବ୍ୟୁନାଲର ଗଠନ ହୋଇଛି । ଟ୍ରିବ୍ୟୁନାଲର କୌଣସି ଅନ୍ତରିଣ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇନାହାନ୍ତି । ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେଇ ସମୟ ନେବେ । କିଛି ନିଷ୍ପତ୍ତି ଆସିବ ନାହିଁ । ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ମହାନଦୀର ଉପର ମୁଣ୍ଡରେ କରିଥିବା ବ୍ୟାରେଜ ଭାଙ୍ଗିବ ନାହିଁ । ଏହାକୁ ଭାଙ୍ଗିଲେ ମହାନଦୀର ଜଳ ସମସ୍ୟା ଦୂର ହେବ । କ୍ୟାଚମେଣ୍ଟ ଅଞ୍ଚଳରେ ବର୍ଷା କମ ହେଉଛି । ମହାନଦୀକୁ ଜଳ ଇନ ଫ୍ଲୋ ନାହିଁ । ପ୍ରତିବର୍ଷ ମହାନଦୀକୁ ଜଳ ଇନ ଫ୍ଲୋ କମୁଛି । ହୀରାକୁଦକୁ ଆସୁଥିବା ଜଳକୁ ଓଡ଼ିଶାର ଶିଳ୍ପ କ୍ଷେତ୍ର ବ୍ୟବହାର ହେଉଛି । ବରଗଡ଼ କେନାଲରେ କିଛି ଜଳ ଜଳସେଚନ ପାଇଁ ଯାଉଛି । ମହାନଦୀର ଶେଷ ମୁଣ୍ଡରେ ଥିବା କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ କେନାଲରେ ପାଣି ନାହିଁ ।