ଓଡିଶା

odisha

By ETV Bharat Odisha Team

Published : Jun 9, 2024, 8:42 AM IST

Updated : Jun 9, 2024, 9:16 AM IST

ETV Bharat / politics

ସନ୍ଧ୍ୟାରେ ଶପଥ ନେବେ ମୋଦି: 30 ମନ୍ତ୍ରୀ ନେଇପାରନ୍ତି ଶପଥ, ନୀତିଶ-ନାଇଡୁଙ୍କୁ ମିଳିପାରେ ଏହି ମନ୍ତ୍ରଣାଳୟ - lok sabha election results 2024

30 Ministers To Take Oath As Modi 3.0 To Be Sworn: ଆଜି ମୋଦିଙ୍କ ତୃତୀୟ ପାଳିର ଆରମ୍ଭ । ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ଅଂଶଗ୍ରହଣ କରିବେ ଏକାଧିକ ପଡୋଶୀ ରାଷ୍ଟ୍ରମୁଖ୍ୟ । ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି । ଅଧିକ ପଢନ୍ତୁ

ସଂଧ୍ୟାରେ ଶପଥ ନେବେ ମୋଦି: 30 ମନ୍ତ୍ରୀ ନେଇପାରନ୍ତି ଶପଥ, ନୀତିଶ-ନାଇଡୁଙ୍କୁ ମିଳିପାରେ ଏହି ମନ୍ତ୍ରଣାଳୟ
ସଂଧ୍ୟାରେ ଶପଥ ନେବେ ମୋଦି: 30 ମନ୍ତ୍ରୀ ନେଇପାରନ୍ତି ଶପଥ, ନୀତିଶ-ନାଇଡୁଙ୍କୁ ମିଳିପାରେ ଏହି ମନ୍ତ୍ରଣାଳୟ (ETV Bharat Odisha)

ନୂଆଦିଲ୍ଲୀ: ଆଜି ଆରମ୍ଭ ହେବ ମୋଦି ଶାସନର ତୃତୀୟ ପାଳି । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମୋଦିଙ୍କ ସହ ‘ଏନଡିଏ’ ମେଣ୍ଟର ବିଭିନ୍ନ ଦଳର 30 ନବନିର୍ବାଚିତ ସାଂସଦ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହାସହ ଆରମ୍ଭ ହେବ ସ୍ବାଧୀନ ଭାରତର ଅଷ୍ଟାଦଶ ଲୋକସଭା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ମୋଦି ‘ଏନଡିଏ’ ମେଣ୍ଟର ନେତା ନିର୍ବାଚିତ (ETV Bharat Odisha)

ବିଭିନ୍ନ ସ୍ଥାନରେ ମୋଦିଙ୍କ ଶ୍ରଦ୍ଧାଞ୍ଜଳି:-

ଆଜି ନିଜର ତୃତୀୟ ପାଳି ଆରମ୍ଭ କରିବା ପୂର୍ବରୁ ସକାଳୁ ପ୍ରଧାନମନ୍ତ୍ରୀ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହାପରେ ସେ ରାଜଘାଟରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ସମାଧି ପୀଠରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପରେ ବିଜେପି ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ପୀଠରେ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ସନ୍ଧ୍ୟା 7 ଟାରେ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିଶ୍ବବ୍ୟାପୀ ନିମନ୍ତ୍ରିତ ଅନ୍ତର୍ଜାତୀୟ ଅତିଥିଙ୍କ ସମେତ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଦିଲ୍ଲୀ ପହଞ୍ଚିବା ଆରମ୍ଭ କରିଛନ୍ତି । ସନ୍ଧ୍ୟା 7ଟାରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।

ସାମିଲ ହେବେ ଏକାଧିକ ରାଷ୍ଟ୍ରମୁଖ୍ୟ:-

ଭାରତର ବିଭିନ୍ନ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟମାନେ ଏହି ଭବ୍ୟ ସମାରୋହକୁ ନିମନ୍ତ୍ରିତ ହୋଇଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ), ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ଟୋବଗେ ପ୍ରମୁଖ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ଆସିବେ । ଗତକାଲି ଠାରୁ କିଛି ବିଦେଶୀ ରାଷ୍ଟ୍ରମୁଖ୍ୟ ଦିଲ୍ଲୀରେ ପହଞ୍ଚି ସାରିଥିବାବେଳେ ଆଜି ପୂର୍ବାହ୍ନରେ ଅନ୍ୟ କିଛି ଅତିଥି ପହଞ୍ଚିବାକୁ ଯାଉଛନ୍ତି ।

ରାଷ୍ଟ୍ରପତିଙ୍କୁ ସରକାର ଗଠନ ପାଇଁ ଦାବି ଜଣାଇଲେ ପ୍ରଧାନମନ୍ତ୍ରୀ (ETV Bharat Odisha)

ନୀତିଶ-ନାଇଡୁଙ୍କୁ ମିଳିବ କେତେ ମନ୍ତ୍ରୀ ପଦ:-

ତେବେ ବିଜେପିର ତୃତୀୟ ପାଳିରେ ବେଶ ରୋଚକ ମୋଡରେ ରହିଛି ମୋଦି କ୍ୟାବିନେଟର ରୂପରେଖକୁ ନେଇ ଜାରି ରହିଥିବା ଚର୍ଚ୍ଚା । କାରଣ ଗତ ଦୁଇ ନିର୍ବାଚନ (2019 ଓ 2014) ପରି ଭାରତୀୟ ଜନତା ପାର୍ଟି ଏକକ ବହୁମତ ନପାଇ ଅନ୍ୟ ସହଯୋଗୀ ଦଳ ଉପରେ ମାତ୍ରାଧିକ ନିର୍ଭରଶୀଳ ହୋଇପଡିଛି । ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ‘ଟିଡିପି’ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ‘ଜେଡିୟୁ’ ମୋଦି ସରକାରର ସଂଖ୍ୟା ଗରିଷ୍ଠତାର ଏକମାତ୍ର ଭରସା ସାଜିଛନ୍ତି । ଏହାସହ ଉଭୟ ସହଯୋଗୀ ଦଳ ମଧ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ହାତେଇବା ପାଇଁ ବିଜେପି ଉପରେ ଚାପ ସୃଷ୍ଟି କରୁଥିବା ଚର୍ଚ୍ଚା ଗତ 4 ଦିନ ଧରି ଲାଗି ରହିଛି ।

ସଂଧ୍ୟାରେ ଶପଥ ନେବେ ମୋଦି (ETV Bharat Odisha)

78 ରୁ 81 ମନ୍ତ୍ରଣାଳୟ ବିଶିଷ୍ଟ ହୋଇପାରେ ମୋଦି କ୍ୟାବିନେଟ:

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୋଦିଙ୍କ ତୃତୀୟ ପାଳିର କ୍ୟାବିନେଟ ପ୍ରାୟ 78 ରୁ 81 ମନ୍ତ୍ରଣାଳୟ ବିଶିଷ୍ଟ ହୋଇପାରେ । ଏଥିରେ ସିଂହଭାଗ ମେଣ୍ଟର ସବୁଠୁ ବଡ ଦଳ ବିଜେପି ନିକଟରେ ରହିବା ଏକପ୍ରକାର ସ୍ପଷ୍ଟ ଥିବା ବେଳେ କିଛି ଗୁରୁ ମନ୍ତ୍ରଣାଳୟ ମଧ୍ୟ ଏହି ଦୁଇ ପ୍ରମୁଖ ସହଯୋଗୀଙ୍କ ବ୍ୟାଗକୁ ଆସିବ । ସୂତ୍ର ଅନୁସାରେ, ନୀତିଶଙ୍କ କ୍ୟାମ୍ପକୁ 4 ଓ ନାଇଡୁଙ୍କ କ୍ୟାମ୍ପରୁ 4 ଜଣ କ୍ୟାବିନେଟ ପ୍ୟାହାର ମନ୍ତ୍ରୀ ହୋଇପାରନ୍ତି । ଉଭୟ ଦଳ ମନ୍ତ୍ରୀ ପଦ ପାଇଁ ସେମାନଙ୍କ ବରିଷ୍ଠ ସାଂସଦଙ୍କ ନାମ ସୁପାରିଶ ମଧ୍ୟ କରିସାରିଥିବା ଚର୍ଚ୍ଚା ହେଉଛି ।

ନୀତିଶଙ୍କ କ୍ୟାମ୍ପର ଦୁଇ ବରିଷ୍ଠ ନେତା ଲଲନ ସିଂ ଓ ରାମନାଥ ଠାକୁରଙ୍କୁ କ୍ୟାବିନେଟ ବର୍ଥ ମିଳିପାରେ । ଲଲନ ପୂର୍ବରୁ ଜେଡିୟୁ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଏବେ ସେ ମୁଙ୍ଗେର ଆସନରୁ ନିର୍ବାଚିତ ହୋଇଛନ୍ତି । ସେହିପରି ରାମନାଥ ଠାକୁର ହେଉଛନ୍ତି, ନିର୍ବାଚନ ପୂର୍ବରୁ ମରୋଣତ୍ତର ‘ଭାରତରତ୍ନ’ରେ ସମ୍ମାନିତ ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ପୁତ୍ର । ସେହିପରି 16 ସାଂସଦ ସହ ବିଜେପିକୁ ସମର୍ଥନ ଦେଇଥିବା ନାଇଡୁଙ୍କ ‘ଟିଡିପି’ ଖାତାରେ ମଧ୍ୟ 4ଟି ବଡ ମନ୍ତ୍ରଣାଳୟ ରହିବା ନେଇ ଜଣାପଡିଛି । ଚନ୍ଦ୍ରବାବୁଙ୍କ କ୍ୟାମ୍ପରୁ କି’ଏ ମନ୍ତ୍ରୀ ପଦ ପାଇଁ ସୁପାରିଶରେ ଅଛନ୍ତି, ସେନେଇ କୌଣସି ସୂଚନା ଏଯାଏ ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ:- ୧୦ରେ ବିଜେପି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର; ଦିଲ୍ଲୀରୁ ବିଜେପି ବିଧାୟକଙ୍କୁ ଆସିଲା ଡକରା - BJP MLA meeting

ମୋଟ 543 ଆସନ ମଧ୍ୟରୁ ସରକାର ଗଢିବା ପାଇଁ ବହୁମତ ସଂଖ୍ୟା 272 ଥିବାବେଳେ ବିଜେପି 240 ଆସନ ଜିତିଛି । ତେଣୁ ‘ଏନଡିଏ’ର ଦୁଇ ସହଯୋଗୀ ଦଳ ‘ଟିଡିପି’ 16 ଓ ‘ଜେଡିୟୁ’ 12 ଆସନ ଜିତି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଏକକ ନାଗରିକ ସଂହିତା ଓ ଅନ୍ୟ କିଛି ବଡ ଆଇନ କାର୍ଯ୍ୟକାରୀ କରିବା ନେଇ ନିର୍ବାଚନୀ ଘୋଷଣା ପତ୍ରରେ କହିଥିବା ବିଜେପି ପାଇଁ ମେଣ୍ଟ ସରକାରରେ ଏହା କାର୍ଯ୍ୟକାରୀ କରିବା ପୂର୍ବାପେକ୍ଷା ସହଜ ହେବନାହିଁ, ତାହା ଏବେଠାରୁ ସ୍ପଷ୍ଟ । ସେହିପରି ମେଣ୍ଟ ସହଯୋଗୀ ଦଳ ମଧ୍ୟରେ କ୍ୟାବିନେଟ ଭାଗବଣ୍ଟା, ବିଭିନ୍ନ ପ୍ରସଙ୍ଗ ଓ ନିଷ୍ପତ୍ତିରେ ସହମତି ରକ୍ଷା କରି ଦେଶକୁ 5 ବର୍ଷ ସ୍ଥିର ଓ ପୂର୍ଣ୍ଣକାଳୀନ ସରକାର ଦେବାରେ ବିଜେପି କେତେ ସଫଳ ହେବ, ତାହା ମଧ୍ୟ ସନ୍ଦେହ ଘେରରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 9, 2024, 9:16 AM IST

ABOUT THE AUTHOR

...view details