ଭୁବନେଶ୍ୱର:ଘନ ଘନ ନିର୍ବାଚନୀ ପ୍ରଚାର ମଧ୍ୟରେ ରାଜ୍ୟ ଗସ୍ତ କରିବାରେ ଲାଗିଛନ୍ତି ଭାରତୀୟ ଜନତା ପାର୍ଟିର ବହୁ କେନ୍ଦ୍ରୀୟ ହେଭିଓ୍ବେଟ ।ଭୁବନେଶ୍ବରରେ ପହଞ୍ଚିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଗତକାଲି (ମଙ୍ଗଳବାର) ସଂଧ୍ୟାରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ଓଡ଼ିଶାକୁ ପ୍ରଶଂସା କରିବା ସହ ରାଜ୍ୟରେ ଏଥର ପରିବର୍ତ୍ତନ ହେବ ବୋଲି କହିଥିଲେ ।
ଗତକାଲି ସଂଧ୍ୟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ବିର୍ଲା କହିଛନ୍ତି,‘‘ ଓଡ଼ିଶାରେ ଲୋକେ ଏଥର ପରିବର୍ତ୍ତନ ଚାହୁଁଛନ୍ତି । ଲାଗୁଛି ଏଥର କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ହେବ । ଦେଶର ଜନତା ନିଷ୍ପତ୍ତି ନେଇଛନ୍ତି ତୃତୀୟ ଥର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବେ । ଓଡିଶା ସଂସ୍କୃତି, ଆଧ୍ୟାତ୍ମିକତା ଓ ଜଗନ୍ନାଥଙ୍କ ଭୂମି । ଓଡ଼ିଶାର ଲୋକେ ବେଶ ପରିଶ୍ରମୀ । ସମଗ୍ର ବିଶ୍ବରେ ଓଡ଼ିଶାର କଳାର ପରିଚୟ ରହିଛି ।’’ ଅନ୍ୟପଟେ ଆଜି ବିଜେପିର ଅନ୍ୟ ଦୁଇ ଟପ୍ କେନ୍ଦ୍ରୀୟ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପାର୍ଟି ମୁଖ୍ୟ ଜେ.ପି ନଡ୍ଡା ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି ।
ରାଜ୍ୟରେ ବିଜେଡି ବିରୋଧରେ କଡା ପ୍ରଚାର ଜାରି ରଖିଛି ଭାରତୀୟ ଜନତା ପାର୍ଟି । ଯାହା ପ୍ରାୟତଃ ପୂର୍ବ ନିର୍ବାଚନଗୁଡିକରେ ଦେଖିବାକୁ ମିଳିନଥିଲା । ଦଳର ଶୀର୍ଷ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତମାମ କେନ୍ଦ୍ରୀୟ ନେତା ରାଜ୍ୟକୁ ସିରିଜ ଗସ୍ତ କରି ନିର୍ବାଚନୀ ପ୍ରଚାର ଜାରି ରଖିଛନ୍ତି । ସେହି କ୍ରମରେ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ସଂଧ୍ଯାରେ କଟକରେ ଅମିତ ଶାହ ବିଶାଳ ରୋଡ ଶୋ’ କରିବେ ।