ବେଙ୍ଗାଲୁରୁ:ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେଉଛନ୍ତି ଜନତା । ଏହାରି ମଧ୍ୟରେ କର୍ଣ୍ଣାଟକ ଶିବମୋଗାର ଏକ ପୁଲିଂ ବୁଥ ବେଶ୍ ଚର୍ଚ୍ଚାରେ ରହିଛି । କାରଣ ଏହି ଏମିତି ସେମିତି ବୁଥ୍ ନୁହେଁ, ବରଂ ଏହା ଗୋଟିଏ ରୟାଲ ବୁଥ୍ । ଏହାକୁ ରାଜକୀୟ କହିବା କାରଣ ହେଉଛି, ଏହି ବୁଥ ବାହାରେ ଭୋଟରଙ୍କ ପାଇଁ ପଡିଛି ରାଜସିଂହାସନ । ତା' ସହ ରାଜା ଓ ରାଣୀଙ୍କ ମୁକୁଟ ରଖାଯାଇଛି । ଭୋଟରମାନେ ମତଦାନ କରିସାରିବା ପରେ ଏହି ସିଂହାସନରେ ବସି ମୁଣ୍ଡରେ ମୁକୁଟ ପିନ୍ଧି ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ଯାହାକି, 'ଗଣତନ୍ତ୍ରରେ ପ୍ରଜା ହିଁ ଅସଲ ରାଜା' ବୋଲି ବାର୍ତ୍ତା ଦେଉଛି ।
କର୍ଣ୍ଣାଟକର ଶିମୋଗା ଜିଲ୍ଲା ପଞ୍ଚାୟତରେ ଏହି ରାଜକୀୟ ମତଦାନ କେନ୍ଦ୍ର କରାଯାଇଛି । ଏପରି ମତଦାନ କେନ୍ଦ୍ର କରି ଏହା ଜରିଆରେ ଖାସ୍ ବାର୍ତ୍ତା ଦିଆଯାଇଛି ଯେ, ଗଣତନ୍ତ୍ରରେ ରାଜାର ନୁହେଁ, ବରଂ ପ୍ରଜାର ଶାସନ ଚାଲେ । ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ ରାଜା । ତେବେ ଏହି ବାର୍ତ୍ତାଟି ସମସ୍ତେ ବହିରେ ପଢିଥିବେ ଅବା ନେତାଙ୍କ ଭାଷଣରେ ଶୁଣିଥିବେ । କିନ୍ତୁ ଗଣତନ୍ତ୍ରର ମନ୍ଦିର ମତଦାନ କେନ୍ଦ୍ରରୁ ଏହି ବାର୍ତ୍ତା ଦିଆଯିବା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଅଧିକ ସଂଖ୍ୟାରେ ଭୋଟରଙ୍କୁ ମତଦାନ ପାଇଁ ପ୍ରୋତ୍ସାହିତ କରିବା ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ।