କେନ୍ଦ୍ରାପଡା:ଆଉ କିଛି ଘଣ୍ଟା ପରେ ଭୋଟ ଗଣତି । ସ୍ପଷ୍ଟ ହେବ ନିର୍ବାଚନ ଫଳାଫଳ । କିଏ ଗଢିବ ସରକାର ? ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଏହାରି ଭତରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଫଳାଫଳ କ'ଣ ହେବ ତାକୁ ନେଇ ବିଚାର ବିମର୍ଶ ଲାଗି ରହିଛି । ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ, କେନ୍ଦ୍ରାପଡାରେ କାହାର ବିଜୟ ହେବ ତାକୁ ନେଇ ପ୍ରମୁଖ 3ଦଳ କଂଗ୍ରେସ, ବିଜେଡି ଓ ବିଜେପି ନାତାଙ୍କ ହୃଦସ୍ପନ୍ଦନ ବଢ଼ିଯାଇଛି ।
ଚଳିତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ନିର୍ବାଚନ ରଣାଙ୍ଗନରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା ବେଳେ ନିର୍ବାଚନ ମଣ୍ଡଳୀ ଅଧିନରେ ରହୁଥିବା ସଂଖ୍ୟାଲଘୁ ଏବଂ ବଙ୍ଗୀୟ ଭୋଟରଙ୍କ ଉପରେ ତିନି ପ୍ରମୁଖ ଦଳର ଆଖି ରହିଥିଲା । କଂଗ୍ରେସ ମୂଳ ମୁଦ୍ଦାକୁ ନେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅଣ୍ଟା ଭିଡିଥିଲା ବେଳେ ବିଜେଡି ତୁଷ୍ଟୀକରଣ ରାଜନୀତିକୁ ଆୟୁଧ କରି ଏବଂ ବିଜେପି ପ୍ରାର୍ଥୀ ନାଗରିକତ୍ବା ସଂଶୋଧନ ଅଧିନିୟମ (CAA)କୁ ପାଥେୟ କରି ଆଗକୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଥିଲା । ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଏଠାରେ ପରସ୍ପରକୁ କଡା ଟକ୍କର ଦେଇଥିଲେ । ପୂର୍ବରୁ 2 ଥର କେନ୍ଦ୍ରାପଡା ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବୈଜୟନ୍ତ ପଣ୍ଡା ଏଠାରେ ଦ୍ଵିତୀୟ ଥର ବିଜେପି ଟିକଟରୁ ଲଢ଼ିଥିବା ବେଳେ ବିଜେଡି ପ୍ରତିଥର ଭଳି ନୂଆମୁହଁ ଦେଇ ବାଜି ମାରିନେବାକୁ ପ୍ରୟାସ କରିଛି । କଂଗ୍ରେସ ଛାଡି ଶଙ୍ଖ ଧରିଥିବା ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ଏଥର ଦଳ କରିଥିଲା । ସେପଟେ କଂଗ୍ରେସ କେନ୍ଦ୍ରାପଡାରେ ନୂଆ ଚେହେରାକୁ ନେଇ ଏକ୍ସପେରିମେଣ୍ଟ କରିଛି ।
କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନିର୍ବାଚନ ଲଢ଼ିଛନ୍ତି । ୨୦୦୯ ଓ ୨୦୧୪ ଦୁଇଥର ବୈଜୟନ୍ତ ବିଜେଡି ଟିକେଟରେ ଲଢି କେନ୍ଦ୍ରାପଡାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଲୋକସଭା ବ୍ୟତୀତ ୨ ଥର ରାଜ୍ୟସଭାକୁ ଯାଇଥିବା ବୈଜୟନ୍ତଙ୍କର ନିର୍ବାଚନ ପରିଚାଳନାରେ ଭଲ ଅଭିଜ୍ଞତା ମଧ୍ୟ ରହିଛି । ଏକ ଜାତୀୟ ଦଳର ପ୍ରାର୍ଥୀ ହୋଇଥିବାରୁ ବୈଜୟନ୍ତଙ୍କ ପାଖରେ ଆତ୍ମବିଶ୍ୱାସ ଦେଖିବା ପାଇଁ ମିଳିଥିଲା । ହେଲେ ଭୋଟରଙ୍କୁ ନିଜ ଆଡକୁ ଆଣିବାରେ ବୈଜୟନ୍ତ କେତେ ସଫଳ ହୋଇଛନ୍ତି ତାହା କିଛି ଘଣ୍ଟା ପରେ ସ୍ପଷ୍ଟ ହେବ ।
ଅନ୍ୟପକ୍ଷରେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ବିଜେଡି ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବରେ ବୈଜୟନ୍ତଙ୍କୁ କଡ଼ା ଟକ୍କର ଦେଇଥିଲେ । ଏକ ରାଜନୈତିକ ପରିବାରରୁ ଆସିଥିବା ଅଂଶୁମାନ ପ୍ରଥମ ଥର ପାଇଁ ଲୋକସଭା ପ୍ରାର୍ଥୀ ହୋଇଥିବା ନିର୍ବାଚନ ଲଢିଛନ୍ତି । ବିଜେଡିର ଗଡ଼ ଭାବରେ ପରିଚିତ ଏହି ଆସନ ଏଥର କାହା ହାତକୁ ଯାଉଛି ତାହା ନିର୍ଣ୍ଣୟ ହେବାକୁ ଆଉ କେଇ ଘଣ୍ଟା ବାକି । ଅନ୍ୟପଟେ ନୂଆ ଓ ଯୁବ ଚେହେରାକୁ ନେଇ ଏକ୍ସପେରିମେଣ୍ଟ କରିଥିଲା କଂଗ୍ରେସ । ଏଠାରେ ଯୁବ ଇଂଜିନିୟର ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା ଦଳ । ନୂଆ ଉତ୍ସାହ ଓ ନୂଆ ଉଦ୍ଦିପନା ନେଇ ରାଜନୀତିକୁ ଆସିଛନ୍ତି ସିଦ୍ଧାର୍ଥ । ଉଭୟ ରାଜନୀତି ଓ ନିର୍ବାଚନ ପରିଚାଳନାରେ ସିଦ୍ଧାର୍ଥ ସମ୍ପୂର୍ଣ୍ଣ ନୂଆ । କଂଗ୍ରେସର ଗ୍ୟାରେଟିଂ ଏବଂ ଦଳୀୟ କର୍ମୀଙ୍କ ସହଯୋଗ କେତେ କାମ ଦେଇଛି ତାହା ଫଳାଫଳ ପରେ ଜଣାପଡ଼ିବ ।
ନିର୍ଣ୍ଣାୟକ ହେବେ ସଂଖ୍ୟାଲଘୁ ଓ ବଙ୍ଗୀୟ ଭୋଟର: କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି ସଂଖ୍ୟାଲଘୁ ଓ ବଙ୍ଗୀୟ ଭୋଟର । ଲୋକସଭାର ମୋଟ ମତଦାତାଙ୍କର ହାରାହାରି ୧୨ ପ୍ରତିଶତ ହେଉଛି ଶରଣାର୍ଥୀ ତଥା ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା । ସାତଟି ବିଧାନସଭା କ୍ଷେତ୍ରକୁ ନେଇ କେନ୍ଦ୍ରାପଡା ଲୋକସଭା ଆସନ ଗଠିତ । ସେଥିମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର 5ଟି ବିଧାନସଭା କେନ୍ଦ୍ରାପଡା, ପାଟକୁରା, ମହାକାଳପଡ଼ା, ଆଳି ଓ ରାଜନଗର ଏବଂ କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଆସୁଛି । ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ଏଥର ଲୋକସଭା କ୍ଷେତ୍ରରେ ମୋଟ ମତଦାତା ଥିଲେ ୧୭ ଲକ୍ଷ ୯୦ ହଜାର ୩୯ । ସେଥି ମଧ୍ୟରୁ ପୁରା ୭ଟି ବିଧାନସଭା ଆସନରେ ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା ପାଖାପାଖି ୧ ଲକ୍ଷ ୩୫ ହଜାର ଥିବା ବେଳେ ବଙ୍ଗୀୟ ଭୋଟର ୭୫ ହଜାରରୁ ଅଧିକ ହେବେ ।