ଭୁବନେଶ୍ୱର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ବିଜେପିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧା ନିଶାନା । ଓଡିଶାକୁ ଏକ ନମ୍ବର କରିବା ନେଇ ବିଜେପି ନେତାଙ୍କ ମନ୍ତବ୍ୟରେ କଢା ପ୍ରତିକ୍ରିୟା ରଖିଲେ ନବୀନ । ଏପରି ମନ୍ତବ୍ୟ ହାସ୍ୟସ୍ପଦ । ହିମନ୍ତଙ୍କ ରାଜ୍ୟରେ ମୁଣ୍ଡପିଛା ଋଣ ଓଡିଶାର ଦୁଇଗୁଣ, ତେଣୁ ବିଜେପି ନେତା ନିଜ ରାଜ୍ୟ ଉପରେ ଧ୍ୟାନ ଦେବା ଉଚିତ ବୋଲି ନ୍ୟୁଜ ଏଜେନ୍ସି ANIକୁ ସାକ୍ଷାତକାର ସମୟରେ ହିମନ୍ତଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
'ଆସାମ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟ ଉପରେ ଧ୍ୟାନ ଦିଅନ୍ତୁ': ANIକୁ ନବୀନ ପଟ୍ଟନାୟକ କହିଛନ୍ତି, “ ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ ଓଡ଼ିଶାକୁ ଆସୁଛନ୍ତି ଏବଂ ସେମାନେ ଓଡ଼ିଶାକୁ ଭାରତରେ ଏକ ନମ୍ବର ରାଜ୍ୟ କରିବ ବୋଲି କହୁଛନ୍ତି । ସମାନ କଥା ସେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କହୁଛନ୍ତି । ଏହା ଓଡିଶାର ଲୋକଙ୍କ ପାଇଁ ହାସ୍ୟସ୍ପଦ । ଆସାମ ସିଏମ ଏଠାକୁ ଆସି ଓଡିଶା ନଂ 1 କରିବାକୁ ପ୍ରତିଶୃତି ଦେଇଛନ୍ତି, ଆସାମର ମୁଣ୍ଡପିଛା ଋଣ ଓଡିଶାର ଦୁଇଗୁଣ ଅଟେ, ତେଣୁ ସେ ନିଜ ରାଜ୍ୟରେ ଉପରେ ଅଧିକ ଧ୍ୟାନ ଦେବା ଉଚିତ, ଯାହାକି କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆବଶ୍ୟକ କରେ ।"
ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଉପରେ 'ପଲିଟିକାଲ ଟୁରିଷ୍ଟ'ଙ୍କ କୌଣସି ପ୍ରଭାବ ପଡ଼ିବ ନାହିଁ: ମୁଖ୍ୟମନ୍ତ୍ରୀ ନବୀନ - CM Naveen Patnaik targets BJP
ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରଜାନୀତି। ପ୍ରଚାର ସାଙ୍ଗକୁ ଦଳ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଓଡିଶାକୁ କେନ୍ଦ୍ରୀୟ ନେତା ଘନ ଘନ ଗସ୍ତ କରି ପ୍ରଚାର କରିବା ସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଓଡିଶା ଗସ୍ତ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଯାହାର କଡା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରଚାର ପାଇଁ ନିକଟରେ 2 ଦିନିଆ ଓଡିଶା ଗସ୍ତରେ ଆସିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏହି ସମୟରେ ସେ ବିଜେପିର ନିର୍ବାଚନୀ ସଭାରେ ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ଜଟଣୀରେ ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ପାଣ୍ଡିଆନ ଚାବି ଲୁଚାଇଛନ୍ତି ବୋଲି କହିଥିଲେ । ଏଥିସହ ରାଜ୍ୟରେ ବିଜେପି ସରକାରକୁ ଆସିଲେ ପାତାଳରୁ ବି ଚାବି ଖୋଜି ଆଣିବ ବୋଲି କହିଥିଲେ ହିମନ୍ତ । କଣ୍ଟାବାଞ୍ଜି ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କରିବା ସମୟରେ 5ଟି ମାନେ ବୁଝାଇଥିଲେ । 5ଟି ମାନେ ଟିମ ୱର୍କ୍ ହେଲେ ଏଠି ଏହାର ଅର୍ଥ ହେଉଛି ନବୀନ ଓ ପାଣ୍ଡିଆନଙ୍କ ଟିମ୍ ବୋଲି କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ।