ଭବାନୀପାଟଣା: ନିର୍ବାଚନ ପାଇଁ ଏବେ ସବୁଠି ରାଜନୀତି ସରଗରମ । ଏହି କ୍ରମରେ କଳାହାଣ୍ଡି ଲୋକସଭା ଆସନରେ ମଧ୍ୟ ନିର୍ବାଚନୀ ପାରା ହାଇ ରହିଛି ।ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଲାଗି ପଡିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ । ସଭା, ସମିତି, ଶୋଭାଯାତ୍ରାରେ କମ୍ପୁଛି ମୈଦାନ । ଚାରିଆଡେ ଜିନ୍ଦାବାଦର ନାରା । ହେଲେ କାହାର ହେବ କଳାହାଣ୍ଡି, କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ, ତାହା ଫଇସଲା କରିବେ ଜନତା ଜନାର୍ଦ୍ଦନ । ତେବେ ଗତ ନିର୍ବାଚନରେ ଭୋଟରଙ୍କ ଆଶୀର୍ବାଦ ପାଇଁ ଦିଲ୍ଲୀ ଦରବାରକୁ ଯାଇଥିବା ନେତା କଳାହାଣ୍ଡିରେ ସେମିତି ଆଖିଦୃଶିଆ କାର୍ଯ୍ୟ କରିନଥିବାରୁ ଚଳିତ ନିର୍ବାଚନରେ ବିକାଶବାଦୀଙ୍କୁ ହିଁ ନିର୍ବାଚିତ କରିବା ପାଇଁ ସ୍ଥିର କରିଛନ୍ତି ଜନତା ।
କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ନେଇ ଗଠିତ । ଏଠାରେ ସମୁଦାୟ ଭୋଟର ସଂଖ୍ୟା ୧୬ ଲକ୍ଷ ୯୬ ହଜାର ୭୫୯ । ସେଥିମଧ୍ୟରୁ ୮ ଲକ୍ଷ ୪୮ ହଜାର ୯୧୬ ପୁରୁଷ ଭୋଟର ଭୋଟର ଥିବାବେଳେ ୮ ଲକ୍ଷ ୪୭ ହଜାର ୭୩୬ ଜଣ ମହିଳା ଭୋଟର ଅଛନ୍ତି । ସେହିପରି ୩୪ ହଜାର ୬୫୮ ଜଣ ନୂଆ ଭୋଟର ଏବଂ ୬୯ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଏବେ ଏହି ଆସନରେ ବିଜେପିରୁ ବସନ୍ତ ପଣ୍ଡା ସାଂସଦ ଅଛନ୍ତି ।
କଳାହାଣ୍ଡିରେ 2009 ଫଳାଫଳ
- ଯଦି ବିଗତ ୩ଟି ନିର୍ବାଚନ ଫଳାଫଳକୁ ଦେଖାଯାଏ, ୨୦୦୯ରେ କଂଗ୍ରେସ ନେତା ଭକ୍ତ ଚରଣ ଦାସ ୪ ଲକ୍ଷ ୧ ହଜାର ୭୩୬ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିଲେ । ବିଜେଡି ପ୍ରାର୍ଥୀ ସୁବାଷ ନାଏକ ୨ ଲକ୍ଷ ୪୭ ହଜାର ୬୯୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ନେତା ବିକ୍ରମ କେଶରୀ ଦେଓ ୨ ଲକ୍ଷ ୨୧ ହଜାର ୮୫୧ ସହ ତୃତୀୟରେ ରହିଥିଲେ ।
କଳାହାଣ୍ଡିରେ 2014 ଫଳାଫଳ
- ୨୦୧୪ ନିର୍ବାଚନରେ ଏହି ଆସନ ବିଜେଡି ହାତକୁ ଚାଲିଯାଇଥିଲା । ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଅର୍କକେଶରୀ ଦେଓ । ସେ ୩ ଲକ୍ଷ ୭୦ ହଜାର ୮୭୧ ଖଣ୍ଡ ଭୋଟ ପାଇ ସାଂସଦ ନିର୍ବାଚନ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକ ୩ ଲକ୍ଷ ୧୪ ହଜାର ୫୨୪ ଭୋଟ ଏବଂ କଂଗ୍ରେସ ନେତା ଭକ୍ତ ଚରଣ ଦାସ ୩ ଲକ୍ଷ ୭ ହଜାର ୯୬୭ ଭୋଟ ସହ ପରାଜିତ ହୋଇଥିଲେ ।
କଳାହାଣ୍ଡିରେ 2019 ଫଳାଫଳ
- ୨୦୧୯ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନର ତିନି ଟାଣୁଆ ନେତାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ବିଜେପି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ପୁଷ୍ପେନ୍ଦ୍ର ସିଂହଦେଓ କଂଗ୍ରେସରୁ ଭକ୍ତଚରଣ ଦାସ ମୈଦାନକୁ ଓହ୍ଲାଇଥିଲେ । ହେଲେ ଦୁଇ ଜଣଙ୍କ ମାତ୍ ଦେଇ ବସନ୍ତ ପଣ୍ଡା ୪ ଲକ୍ଷ ୩୩ ହଜାର ୭୪ ଖଣ୍ଡ ଭୋଟ ସାଂସଦ ହୋଇଥିଲେ । ସେଥର ନିର୍ବାଚନରେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ ୪ ଲକ୍ଷ ୬ ହଜାର ୨୬୦ ଭୋଟ ଏବଂ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ୩ ଲକ୍ଷ ୧୯ ହଜାର ୨୦୨ ଭୋଟ ମିଳିଥିଲା ।
2024ରେ କିଏ କେଉଁ ଦଳରୁ ପ୍ରାର୍ଥୀ ?
ବିଜେଡିରୁ ଲମ୍ବୋଦର: ଚଳିତ ନିର୍ବାଚନରେ ତିନୋଟି ଯାକ ପ୍ରମୁଖ ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ଲମ୍ବୋଦର ନିଆଲ । ଛାତ୍ର ଜୀବନରୁ ରାଜନୀତିକୁ ପ୍ରବେଶ କରିଥିବା ଲମ୍ବୋଦର ନିଆଲ ପରବର୍ତ୍ତୀ ସମୟରେ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଓ ତା' ପରେ ବ୍ଲକ ଅଧ୍ୟକ୍ଷ ହେବା ସହ ଦୁଇ ଦୁଇ ଥର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ଚଳିତ ନିର୍ବାଚନରେ ବିଜେଡି ତାଙ୍କୁ ସାଂସଦ ପ୍ରାର୍ଥୀ କରିଛି । ତେବେ ଜଣେ ଦକ୍ଷ ଓ ସୁସଂଗଠକ ଭାବରେ ରାଜନୀତି କରିଆସୁଛନ୍ତି ଲମ୍ବୋଦର ।