ବ୍ରହ୍ମପୁର: ଦକ୍ଷିଣ ଓଡିଶାର ଚର୍ଚ୍ଚିତ ଲୋକସଭା ଆସନ ଆସିକା । ପ୍ରଥମେ ଉଭୟ ବିଜୁ ଏବଂ ନବୀନ ପଟ୍ଟନାୟକ ଏଠାରୁ ଜିତି ପାର୍ଲାମେଣ୍ଟ ଯାଇଥିବା ବେଳେ ଏବେ ମଧ୍ୟ ବଜେଡି ଧାରା ଜାରି ରହିଛି । ଚଳିତ ବର୍ଷ ମଧ୍ୟ ଗୋଟି ଚାଳନା ପାଇଁ ସିଦ୍ଧହସ୍ତ ପରିବାରରୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ଜିଲ୍ଲାର ସାତୋଟି ବିଧାନସଭା ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡା, ସାନଖେମୁଣ୍ଡି ଓ ହିଞ୍ଜିଳିକାଟୁ ବିଧାନସଭା ନେଇ ଗଠିତ ହୋଇଥିବା ଏହି ସଂସଦୀୟ କ୍ଷେତ୍ରରେ ଚଳିତ ନିର୍ବାଚନକୁ ନେଇ ଲାଗି ରହିଛି ନାନା କଳ୍ପନା ଜଳ୍ପନା । ଏହି ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ରହିଥିବା ବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହି ଆସିଥାଏ ଏହି ସଂସଦୀୟ କ୍ଷେତ୍ର । ହେଲେ ଚଳିତବର୍ଷ ଏଠାରୁ ବିଜେଡି ଦଳରୁ ପ୍ରାର୍ଥୀ କରାଯାଇଛି କୋଦଳା ଅଞ୍ଚଳର ବରିଷ୍ଠ ବିଜେଡି ନେତା ହର ସାହୁଙ୍କ କନ୍ୟା ରଞ୍ଜିତା ସାହୁ । ସେପଟେ ବିଜେପି ଦଳରୁ ପୁଣି ଥରେ ଗଞ୍ଜାମର ପୂର୍ବତନ ବରିଷ୍ଠ ମନ୍ତ୍ରୀ ତଥା ଏକଦା ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହି ଆସୁଥିବା ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା ଅନୀତା ଶୁଭଦର୍ଶନୀ । ଅନ୍ୟପଟେ କଂଗ୍ରେସ ଦଳରୁ ଏଥର ଜଣେ ଯୁବ ପ୍ରତିଭା ଦେବକାନ୍ତ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି । ରାଜ୍ୟର ପ୍ରମୁଖ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ଚଳିତଥର ମୋଟ ୭ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମଇଦାନରେ ରହିଛନ୍ତି ।
ଘନ ଘନ ଗସ୍ତ କରି ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ: ଚଳିତଥର ଏଠାରେ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟର ମତଦାନ ସମୟରେ ନିର୍ବାଚନ ହେଉଥିବାରୁ ତିନି ପ୍ରମୁଖ ଦଳର ପ୍ରଚାର ଯୋରଦାର ରହିଛି । ବିଜେପି ଦଳ ପକ୍ଷରୁ ମୋଦିଙ୍କ ଅବକି ବାର ଚାରି ଶହ ପାର ନାରା ଦେଇ ଏହି ଆସନକୁ ଅକ୍ତିଆର କରିବାକୁ କ୍ରମାଗତ ଭାବରେ କେନ୍ଦ୍ରମନ୍ତ୍ରୀଙ୍କ ଘନଘନ ଗସ୍ତ କରିଥିଲେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସମେତ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଆସି ମାରାଥନ ପ୍ରଚାର କରିଥିଲେ ।
ନବୀନ ସହ ମିଶି ପ୍ରଚାର କରିଥିଲେ ପାଣ୍ଡିଆନ:ଭାଜପାର କେନ୍ଦ୍ର ଷ୍ଟାର ପ୍ରଚାରକଙ୍କ ମାରାଥନ ପ୍ରଚାର ମଧ୍ୟରେ ଶାସକ ବିଜେଡି ଦଳ ମଧ୍ୟ ପଛରେ ପଡିନାହିଁ । ଏଠାରେ ପୂର୍ବରୁ ଅକ୍ତିଆର କରିଥିବା ଆସନକୁ ଯେଣେତେଣେ ପ୍ରକାରେ ପୁଣି ହାସଲ କରିବେ ତାହାକୁ ନେଇ ମାରାଥନ୍ ଶୋଭାଯାତ୍ରା ଠାରୁ ଆରମ୍ଭ କରି ଦଳର ଷ୍ଟାର କ୍ୟାମ୍ପେନର ଭାବରେ ମୁଖ୍ୟମନ୍ତ୍ରୀ ଏବଂ ୨ୟ ଷ୍ଟାର କ୍ୟାମ୍ପେନର୍ ଭିକେ ପାଣ୍ଡିଆନ ମାରାଥନ ପ୍ରଚାର କରିଥିଲେ । ନିର୍ବାଚନୀ ବୈତରଣୀ ପାର୍ ହେବା ପାଇଁ ଜନମଙ୍ଗଳକାରୀ ଯୋଜନାକୁ ମୁଦ୍ଦା କରିଥିଲା ବିଜେଡି । ସବୁ ସ୍ଥାନରେ ଆପଣ ମାନେ ଖୁସି ତ ? ବୋଲି ଜନସାଧାରଣଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପୁରାତନ ଗଡକୁ ହାତେଇବା ପାଇଁ କଂଗ୍ରେସର କସରତ:ଶାସକ ଦଳ ବିଜେଡି ଏବଂ ବିଜେପିର ଘନ ଧନ ପ୍ରଚାର ମଧ୍ୟରେ ମଧ୍ୟ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଥିଲା କଂଗ୍ରେସ । କଂଗ୍ରେସ ଦଳର ପ୍ରାର୍ଥୀ ମଧ୍ୟ ନିଜର ପୁରାତନ ଗଡରେ ଜାରି ରଖିଥିଲେ କସରତ । ସେପଟେ ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟ ଦଳୀୟ ପ୍ରାର୍ଥୀ ମାନେ ମଧ୍ୟ ନିଜ ସପକ୍ଷରେ ଶକ୍ତି ଯୋଗାଡ କରିବାରେ ନିର୍ବାଚନ ରଣାଙ୍ଗନାରେ ଜାରି ରଖିଥିଲେ ଉଦ୍ୟମ ।
ରାଜନୀତି ସମୀକ୍ଷକଙ୍କ ମତ:ଏନେଇ ରାଜନୀତି ସମୀକ୍ଷକ ସନ୍ତୋଷ ପାଣିଗ୍ରାହୀ କହିଛନ୍ତି, ରାଜ୍ୟର ଅନ୍ୟ ଲୋକସଭା ଆସନର ଜିଲ୍ଲାର କେନ୍ଦ୍ର ବିନ୍ଦୁ କିମ୍ୱା ସଦର ମହକୁମ୍ମାରେ ରହିଥାଏ ହେଲେ ଆସିକା ଲୋକସଭା କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ପୂର୍ବରୁ ଯେଉଁମାନେ ସଂସଦକୁ ଯାଉଥିଲେ ସେହି ସମୟରେ ବିତର୍କରେ ଭାଗ ନେଉଥିଲେ । ହେଲେ ତାହା ବର୍ତ୍ତମାନ ତାହା ବ୍ୟତିକ୍ରମ ଦେଖିବାକୁ ମିଳୁଛି । ହେଲେ ଚଳିତଥର ଏଠାରେ ବିଜେଡିର ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କ ସହିତ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶନୀଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ରହିଥିବା ବେଳେ ସେପଟେ କଂଗ୍ରେସ ନିଜର ପୁରାତନ ଗଡରୁ କେତେ ଭୋଟ ନେଇପାରୁଛି ତାହା ଉପରେ ରହିଛି ସମସ୍ତଙ୍କର ନଜର ।
ଆସିକାରେ 2009 ନିର୍ବାଚନ ଫଳାଫଳ:ଯଦି ପୂର୍ବ ନିର୍ବାଚନ କଥା ଦେଖିବା ତେବେ 2009 ମସିହାରେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ପ୍ରଧାନ 4,19,862 ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥଙ୍କୁ ହରାଇଥିଲେ । ସେ 1,87,028 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ଅନ୍ୟପଟେ ବିଜେପି ପ୍ରାର୍ଥୀ ଶାନ୍ତି ଦେବୀ ମାତ୍ର 42,165 ଭୋଟ ପାଇଥିଲେ ।
2014 ନିର୍ବାଚନ ଫଳାଫଳ: ଏହି ନିର୍ବାଚନ ମଧ୍ୟ ବିଜୟୀ ଧାରାକୁ ବଜାୟୀ ରଖିଥିଲା ବିଜେଡି । ଶାସକ ଦଳର ପ୍ରାର୍ଥୀ ଲଡୁ କିଶୋର ସ୍ୱାଇଁ 5,41,473 ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଲୋକନାଥ ରଥ 2,29,476 ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପିର ମହେଶ ଚନ୍ଦ୍ର ମହାନ୍ତି 67361 ଭୋଟ ପାଇଥିଲେ ।
ଗତ 2019 ନିର୍ବାଚନ ଫଳାଫଳ:ତେବେ 2019 ମସିହାରେ ପ୍ରାର୍ଥୀ ଚୟନରେ ହଟକେ କରିଥିଲା ବିଜେଡି । ଚର୍ଚ୍ଚାରେ ରହି ଆସୁଥିବା ପ୍ରମିଳା ବିଷୋୟୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ସେ 552749 ଭୋଟ ପାଇ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀଙ୍କୁ ହରାଇ ବିଜୟୀ ହୋଇଥିଲେ । ଅନିତା 3,48,042 ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ 1,42,632 ଖଣ୍ଡ ଭୋଟ ପାଇଥିଲେ ।