ଭୁବନେଶ୍ବର:‘‘ଓଡିଶାବାସୀ ମତେ ବାରମ୍ବାର ନିର୍ବାଚିତ କରିଥିବାରୁ ସେମାନଙ୍କ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି । ସେମାନେ ହିଁ ସେମାନଙ୍କ ସେବା ପାଇଁ ମତେ ବାରମ୍ବାର ସୁଯୋଗ ଦେଇଛନ୍ତି । ମୋ ଉପରେ ଆଶୀର୍ବାଦର ବର୍ଷା କରିଛନ୍ତି । ଆମେ ସର୍ବଦା ଭଲ କାମ କରି ଆମ ସରକାର ଓ ଦଳକୁ ଗର୍ବିତ କରିବାକୁ ଚେଷ୍ଟା କରିଥିଲୁ । ପାଣ୍ଡିଆନ ମୋର ରାଜନୈତିକ ଉତ୍ତରାଧିକରୀ ନୁହନ୍ତି ବୋଲି ପୂର୍ବରୁ ମୁଁ ସ୍ପଷ୍ଟ କରିସାରିଥିଲି । ଏବେ ମଧ୍ୟ ମୁଁ କହୁଛି, ଯେ ରାଜ୍ୟବାସୀ ମୋ ଉତ୍ତରାଧିକାରୀ ଚୟନ କରିବେ । ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବା ଅତ୍ୟନ୍ତ ଦୁର୍ଭ୍ୟାଗ୍ୟଜନକ ।’’ ବିଧାନସଭା ନିର୍ବାଚନରେ ଧରାଶାୟୀ ପରାଜୟର ସାମ୍ନା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ଥର ଗଣମାଧ୍ୟମରେ ଏହି ପ୍ରତିକ୍ରିୟା ରଖିଛନ୍ତି ।
ଜାତୀୟ ଖବର ସରବରାହ ସଂସ୍ଥା ‘ପିଟିଆଇ’ ଓ ‘ଏଏନଆଇ’କୁ ପ୍ରତିକ୍ରିୟା ଦେଇ ନବୀନ ଜନାଦେଶ ପ୍ରସଙ୍ଗରେ ମତ ରଖିଛନ୍ତି । ପୁଣି ଥରେ ରାଜ୍ୟବାସୀଙ୍କୁ ଏକ ଲମ୍ବା ସମୟ ଶାସନ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି, ଏବେ ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଛି । ମାତ୍ର ଏହା ଦୁର୍ଭାଗ୍ୟଜନକ । ମୁଁ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଥିଲି ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତି । ରାଜ୍ୟବାସୀ ତାହା ସ୍ଥିର କରିବେ । ପାଣ୍ଡିଆନ ବିଜେଡିରେ ସାମିଲ ହୋଇଥିଲେ । ହେଲେ ସେ କୌଣସି ସାଙ୍ଗଠନିକ ପଦପଦବୀରେ ନଥିଲେ । ଏପରିକି ସେ କୌଣସି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ମଧ୍ୟ ଲଢିନାହାନ୍ତି । ସେ ମୋର ରାଜନୈତିକ ଉତ୍ତରାଧିକାରୀ ନୁହନ୍ତି ବୋଲି ମୁଁ ପୂର୍ବରୁ ସ୍ପଷ୍ଟ କରିସାରିଛି ।