କେନ୍ଦ୍ରାପଡ଼ା: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଲାଗିଲାଣି ନେତାଙ୍କ ଗହଳି । ନିର୍ବାଚନ ଆଗରୁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ନବୀନ ଓଡ଼ିଶା ଏବଂ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ । ରାଜ୍ୟ ସରକାରଙ୍କର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ବିଏସ୍କେୱାଇ କାର୍ଡ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଭୂମିକାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ପାଣ୍ଡିଆନ ବିଜେଡି ଦଳ ଏବଂ ନବୀନ ପଟ୍ଟନାୟକଙ୍କ ଜୟଗାନ କରୁଥିବା ଦେଖିବାକୁ ମିଳୁଛି । ସେପଟେ ରାଜ୍ୟପାଳ ରଘୁବର ଦାସ ମଧ୍ୟ ବିଭିନ୍ନ ଜିଲ୍ଲା ଗସ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ତଦାରଖ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ତେଜିଛି କେନ୍ଦ୍ରାପଡ଼ା ରାଜନୀତି ।
ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର କରୁଛନ୍ତି ପାଣ୍ଡିଆନ: ନିକଟରେ ପ୍ରଶାସକରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ଗତ ଡିସେମ୍ବର ୧୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ରାଜନଗର ଓ କେନ୍ଦ୍ରାପଡା ବ୍ଲକ ବୁଲି ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ବାର୍ତ୍ତା ପହଞ୍ଚାଇଥିଲେ । ତାଙ୍କ ଗସ୍ତ ସମୟରେ ଅଙ୍ଗନବାଡି କେନ୍ଦ୍ରରେ ହେଉଥିବା ଛତୁଆ, ପୌଷ୍ଟିକ ଆହାର, ଉତ୍ପାଦ ଗୋଷ୍ଠୀ ଦ୍ବାରା ହେଉଥିବା କାଇଞ୍ଚ କାମ ଦେଖିଥିବା ବେଳେ ସନ୍ଧ୍ୟାରେ ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି ସାଧାରଣ ସଭାରେ ଯୋଗ ଦେଇଥିଲେ । ଡିସେମ୍ବର ମାସ ଗସ୍ତର କିଛି ମାସ ଆଗରୁ ଦୁଇ ଦିନିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ପାଣ୍ଡିଆନ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲଟିର ସମୀକ୍ଷା କରି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ତଦାରଖ କରିଥିବା ଦେଖାଯାଇଥିଲା । ଅବଶ୍ୟ ସେତେବେଳେ ପାଣ୍ଡିଆନ 5T ସଚିବ ଭାବେ ଗସ୍ତ କରିଥିଲେ । ହେଲେ ଏଥର ବିଜେଡିରେ ସାମିଲ ହୋଇଥିବା କାରଣରୁ ଜିଲ୍ଲାରେ ବିଜେଡି କର୍ମୀ ଚଳିତଥର ଗସ୍ତରେ ଖୁବ ଉତ୍ସାହିତ ହୋଇଥିଲେ । ପାଣ୍ଡିଆନ ମଧ୍ୟ ସୁଯୋଗ ହାତଛଡା ନକରି ଏହା ତାଙ୍କ ଶ୍ବଶୁର ଘର ଜିଲ୍ଲା ଓ ଏହି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଫୋକସ କରୁଥିବା ନିଜ ଅଭିଭାଷଣରେ କହିଥିଲେ ।
ଏହା ମଧ୍ଯ ପଢ଼ନ୍ତୁ...ରାଜ୍ୟପାଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ: ଲୋକଙ୍କୁ ଭେଟିଲେ, ସମସ୍ୟା ବୁଝିଲେ