ବାଲେଶ୍ବର:ବାଲେଶ୍ବର ଲୋକସେବା କ୍ଷେତ୍ରରୁ ପ୍ରତାପ ଷଡଙ୍ଗୀଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ପ୍ରଦାନ କରିଛି ବିଜେପି । ତେବେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆଶାୟୀ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ସେ ବାଲେଶ୍ବରରୁ ସ୍ବାଧୀନ ଭାବେ ଲଢିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହାସହ ସେ ନିଜକୁ ଅସଲି ବିଜେପି ବୋଲି କହି ପ୍ରତାପ ନନାଙ୍କୁ ତେରଚ୍ଛା ବାଣ ମାରିଛନ୍ତି ।
ସ୍ବାଧୀନ ଭାବେ ଲଢିବି: ଆଜି ସେ ଏକ ସାମ୍ବାଦିକ ସମ୍ମିଳୀନ କରି କହିଛନ୍ତି, "ମୁଁ ସ୍ବାଧୀନ ଭାବେ ଲଢିବି । ଏମିତି କି ଲୋକମାନେ ଚଳିତ ନିର୍ବାଚନରେ ପ୍ରତାପ ଷଡଙ୍ଗୀକୁ ଗ୍ରହଣ ନକରି କେବଳ ଖାରବେଳକୁ ଗ୍ରହଣ କରିବେ । ଏହା ମୋର ଦୃଢୋକ୍ତି । ମୁଁ କୌଣସି ବେଆଇନ କାର୍ଯ୍ୟ କିମ୍ବା କୌଣସି ପ୍ରକାର ଦୁର୍ନୀତିରେ ସମ୍ପୃକ୍ତ ନାହିଁ । 5 ଥର ବିଜେପି ଟିକେଟ ନେଇ ନିର୍ବାଚନ ଲଢି ଆସିଛି । ଏଥର ନିର୍ବାଚନରେ ଦଳ ଆସ୍ଥା ପ୍ରକଟ ନ କରିବା ପଛରେ କିଛି କୁଚକ୍ରୀ ରହିଛନ୍ତି । ଦଳ ଚଳିତ ଥର ମୋତେ ଟିକେଟ ଦେଇ ନାହିଁ ତେଣୁ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ସହ ବହୁଳ ସଂଖ୍ୟାରେ ଜିତିବି । "
ଏହା ମଧ୍ୟ ପଢନ୍ତୁ: ଏକାକି ଲଢିବୁ,ପୂର୍ଣ୍ଣ ବହୁମତ ହାସଲ କରିବୁ: ପ୍ରତାପ ନନା