ରାଞ୍ଚି: ଶପଥ ଗ୍ରହଣର 3ଦିନ ପରେ ଆସନ୍ତାକାଲି ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବାକୁ ଯାଉଛନ୍ତି ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଆସନ୍ତାକାଲି ହେବାକୁ ଥିବା ଆସ୍ଥା ଭୋଟରେ ଅଂଶଗ୍ରହଣ କରିବା ପାଇଁ ଗତ 3 ଦିନ ହେବ ହାଇଦ୍ରାବାଦରେ ଥିବା ଜେଏମଏମ ସମର୍ଥିତ ବିଧାୟକମାନେ ରାଞ୍ଚି ଅଭିମୁଖେ ବାହାରିଛନ୍ତି । ଆଜି (ରବିବାର) ରାତିରେ ସେମାନେ ରାଞ୍ଚିରେ ପହଞ୍ଚିବେ ।
ଶପଥ ଗ୍ରହଣରେ ବିଳମ୍ବ ହେବା କାରଣରୁ (ଶୁକ୍ରବାର) ସମସ୍ତ ବିଧାୟକଙ୍କୁ କଂଗ୍ରେସଶାସିତ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ପଠାଯାଇଥିଲା । ଆଜି ସଂଧ୍ୟାରେ କଡା ସୁରକ୍ଷା ମଧ୍ୟରେ ଏହି ବିଧାୟକମାନେ ରହୁଥିବା ରିସୋର୍ଟରୁ ବାହାରି ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ରାତି ସୁଦ୍ଧା ସେମାନେ ରାଞ୍ଚିରେ ଅବତରଣ କରିବେ । ଏହାପରେ ତାଙ୍କୁ ସେମାନଙ୍କ ବାସଭବନକୁ ଯିବାକୁ ଦିଆଯାଇ ନପାରେ । ସେମାନେ ରାଞ୍ଚି ସର୍କିଟ ହାଉସରରେ ରାତ୍ରିଯାପନ କରିବା ସହ ଆସନ୍ତାକାଲି ପୂର୍ବାହ୍ନରେ ବିଧାନସଭାରେ ପହଞ୍ଚିବା ନେଇ ସୂଚନା ରହିଛି ।
ବୁଧବାର ସଂଧ୍ୟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ଇଡି ସ୍ପଷ୍ଟ କରିଥିଲା । ସେହିଦିନ ଦଳର ଅନ୍ୟତମ ବରିଷ୍ଠ ନେତା ଚମ୍ପାଇ ସୋରେନ ମଧ୍ୟ ବିଧାୟକଙ୍କ ସମର୍ଥନ ପତ୍ର ସହ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି କରିଥିଲେ । ହେଲେ ରାଜ୍ୟପାଳ ସିପି ରାଧାକୃଷ୍ଣ ଶପଥ ସମାରୋହ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟ ନଦେବା ସହ ବିଳମ୍ବ କରିଥିଲେ ।