ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟକୁ ଝଟକା । ଇଣ୍ଡିଆ ମେଣ୍ଟ ସହ ସମସ୍ତ ସମ୍ପର୍କ ତୁଟାଇ ଏନଡିଏ ସହ ହାତ ମିଳାଇଲା ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ ବା RLD । କିଛି ଦିନ ପୂର୍ବରୁ ଆରଏଲଡି ଏନଡିଏ ସହ ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ସମସ୍ତ ଚର୍ଚ୍ଚାର ଅବସାନ ଘଟାଇ ବିରୋଧି ମେଣ୍ଟ ଛାଡି ବିଜେପି ନେତୃତ୍ବାଧିନ ଏନଡିଏରେ ସାମିଲ ହୋଇଛି ଉତ୍ତରପ୍ରଦେଶର ରାଷ୍ଟ୍ରୀୟ ଲୋକ ଦଳ । ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।
ସେ ଏକ୍ସରେ ଲେଖିଛନ୍ତି, ''ଆରଏଲଡି ପାର୍ଟିର ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ଏନଡିଏ ପରିବାରକୁ ସ୍ବାଗତ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଉପରେ ବିଶ୍ବାସ କରି ସେ ଏନଡିଏରେ ଯୋଗଦେବା କୃଷକ, ଗରିବ ଏବଂ ପଛୁଆ ଶ୍ରେଣୀର ଉନ୍ନତି ପାଇଁ ଆମର ସଂକଳ୍ପକୁ ଆହୁରି ଦୃଢ କରିବ । ଆଗାମୀ ଲୋକସଭା ନିର୍ବାଚନରେ ଏନଡିଏ 400 ଅତିକ୍ରମ କରିବ ଏବଂ ଅମୃତ କାଳରେ ଏକ ବିକଶିତ ଭାରତ ଗଠନ କରିବାକୁ ପ୍ରତିବଦ୍ଧ ।'' ଶନିବାର ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ଜୟନ୍ତ ଚୌଧୁରୀ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଏହାପରେ ସେ ଏନଡିଏରେ ସାମିଲ ହୋଇଥିଲେ । ଯାହାକୁ ସୋସିଆଲ ମିଡିଆ ମାଧ୍ୟମରେ ଘୋଷଣା କରିଥିଲେ ଅମିତ ଶାହ । ଏହାର କିଛି ଫଟୋ ମଧ୍ୟ ଏକ୍ସରେ ସେୟାର କରିଥିଲେ ।