ମୁମ୍ବାଇ:ସାଧାରଣ ନିର୍ବାଚନ ପୂର୍ବରୁ ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଜାରି ରହିଥିବା କଂଗ୍ରେସର ବହୁଚର୍ଚ୍ଚିତ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଶେଷ ହୋଇଛି । ଉଦଯାପନୀ କାର୍ଯ୍ୟକ୍ରମରେ କଂଗ୍ରେସର ତମାମ ବରିଷ୍ଠ ନେତାଙ୍କ ସହ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳର ନେତାମାନେ ଅଂଶଗ୍ରହଣ କରିଥିଲେ । ତମାମ ନେତା ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ବିଜେପି ପାଇଁ ନରେନ୍ଦ୍ର ମୋଦି କେବଳ ଏକ ମୁଖା ପରି ବୋଲି ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ କହିଛନ୍ତି । ଇଭିଏମ ବିନା ମୋଦି କେବେ ନିର୍ବାଚନ ଜିତି ପାରିବେ ନାହିଁ ବୋଲି କହି ରାହୁଲ ଟାର୍ଗେଟ କରିଛନ୍ତି ।
ଆଜି ଚର୍ଚ୍ଚାରେ ରହିଥିଲା ଯାତ୍ରାର ନେତୃତ୍ବ ନେଉଥିବା କଂଗ୍ରେସର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀଙ୍କ ସମ୍ବୋଧନ । ଯାତ୍ରା ସମୟରେ ଦେଶର ବିଭିନ୍ନ ସ୍ଥାନରେ ମୋଦି ଓ ବିଜେପି ସରକାରର ନୀତିକୁ କଡା ସମାଲୋଚନା କରିଥିବା ରାହୁଲ ଯାତ୍ରାର ଅନ୍ତିମ କାର୍ଯ୍ୟକ୍ରମରେ ମଧ୍ୟ ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାର କୌଣସି ଅବସର ଛାଡିନଥିଲେ । ସେ କହିଥିଲେ, "ମୋଦି ଜଣେ ମୁଖାପିନ୍ଧା ବ୍ୟକ୍ତି ମାତ୍ର । ସେ ବଲିଉଡ କଳାକାରଙ୍କ ପରି କେବଳ ଅଭିନୟ କରିବା ଜାଣିଛନ୍ତି । ସେ 56ଇଞ୍ଚର ଛାତି ରଖିଥିବା ବ୍ୟକ୍ତି ନୁହଁନ୍ତି ବରଂ ଜଣେ ପ୍ରଭାବଶୂନ୍ୟ ବ୍ୟକ୍ତିତ୍ବ ।" ସେ ଇଭିଏମ୍ ବିନା ନିର୍ବାଚନ ଜିତିବାରେ ଅକ୍ଷମ ବୋଲି ରାହୁଲ କହିଥିଲେ । ଇଭିଏମ ଟ୍ୟାମ୍ପରିଂ ନେଇ ମଧ୍ୟ ରାହୁଲ ଆଜି ବିଜେପି ସରକାର ଓ ନିର୍ବାଚନ ଆୟୋଗକୁ ସମାଲୋଚନା କରିଥିଲେ । ସେମାନେ ବାଲାଟରେ ଭୋଟ କରିବାକୁ ଆୟୋଗ ନିକଟରେ ପ୍ରସ୍ତାବ ରଖିଲେ, ହେଲେ ଆୟୋଗ ଏହାକୁ ସ୍ବୀକାର କଲା ନାହିଁ ବୋଲି ରାହୁଲ କହିଥିଲେ ।
ଆଜି ମୁମ୍ବାଇର ଐତିହାସିକ ଶିବାଜୀ ପାର୍କରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ କଂଗ୍ରେସ ମୁଖ୍ୟ ତଥା ‘ଇଣ୍ଡିଆ’ ମେଣ୍ଟ ସଭାପତି ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଲଙ୍କ ସମେତ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଆରଜେଡି ନେତା ତେଜସ୍ବୀ ଯାଦବ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ପିଡିପି ମୁଖ୍ୟ ମେହେବୁବା ମୁଫତି, ଫାରୁକ ଅବଦୁଲ୍ଲା, ଶରଦ ପାଓ୍ବାର, ଆପ୍ ନେତା ସୌରଭ ଭରଦ୍ବାଜ, ସିପିଆଇ ମହାସଚିବ ଦୀପଙ୍କର ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମେଣ୍ଟର ଅନ୍ୟକିଛି ପ୍ରମୁଖ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।