ଓଡିଶା

odisha

By ETV Bharat Odisha Team

Published : Mar 6, 2024, 9:34 PM IST

ETV Bharat / politics

କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ, ବିଜେପି-ବିଜେଡି ଉପରେ ବର୍ଷିଲେ

Srikant Jena Rejoins Congress: ଦୀର୍ଘବର୍ଷର ବ୍ୟବଧାନ ପରେ କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳକୁ ଫେରିଲେ । ବିଜେପି-ବିଜେଡି ଅପବିତ୍ର ମେଣ୍ଟ କହି ବର୍ଷିଲେ । ଅଧିକ ପଢ଼ନ୍ତୁ

କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ
କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ

କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ

ଭୁବନେଶ୍ବର: କଂଗ୍ରେସକୁ ଫେରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାରଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବିଧିବଦ୍ଧ ଭାବେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୀର୍ଘବର୍ଷର ବ୍ୟବଧାନ ପରେ ଶ୍ରୀକାନ୍ତ ପୁଣି ପୁରୁଣା ଘରକୁ ଫେରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ଶ୍ରୀକାନ୍ତଙ୍କ ଏହି ଘର ବାହୁଡା କଂଗ୍ରେସ କର୍ମୀଙ୍କୁ ଉତ୍ସାହିତ କରିଛି । ସେପଟେ ଦଳରେ ଶ୍ରୀକାନ୍ତଙ୍କ ପ୍ରତ୍ୟାବର୍ତ୍ତନକୁ ପଟ୍ଟନାୟକ ପରିବାର କେତେଦୂର ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରୀକାନ୍ତ ଜେନା ସାମ୍ବାଦିକ ସମ୍ମିଳନୀରେ କହିଥିଲେ, "ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ଖୁଲମଖୁଲା ମେଣ୍ଟ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଆସୁଥିବାବେଳେ ଓଡ଼ିଶାର ଶାସନ ବ୍ୟବସ୍ଥା, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ ମୁହଁ ଖୋଲୁ ନାହାନ୍ତି । ଅନ୍ୟାୟ ବିରୋଧରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପ୍ରତି ଲୋକମାନଙ୍କ ସମର୍ଥନ ବଢ଼ୁଛି । ରାହୁଲ ଗାନ୍ଧୀଙ୍କ ଲଢେଇ ସାମାଜିକ ନିରାପତ୍ତା, ଓବିସି ଓ ଦଳିତ ବର୍ଗଙ୍କ ବିକାଶ ପାଇଁ ରାହୁଲ ଗାନ୍ଧୀଙ୍କ ଲଢେଇ । ଓଡ଼ିଶାର ଲୋକମାନେ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାକୁ ଗ୍ରହଣ କରିବା ସହ ବିଜେଡି ଓ ବିଜେପି ମଧ୍ୟରେ ଥିବା ଅପବିତ୍ର ମେଣ୍ଟକୁ ପ୍ରତ୍ୟାଖାନ କରିବେ ।" ଓଡ଼ିଶାରେ କଂଗ୍ରେସ ସରକାର କରିବ ବୋଲି ଶ୍ରୀକାନ୍ତ କହିଥିଲେ ।

ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସରେ ଯୋଗଦାନ ଦଳକୁ ସଂଗଠିତ ଓ ସୁଦୃଢ଼ କରିବା ସହ ରାଜ୍ୟରେ ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀକାନ୍ତ ଜେନା ଦଳ ପାଇଁ ପୂର୍ବରୁ ଅନେକ କାର୍ଯ୍ୟ କରିଛନ୍ତି ଓ ଅଗାମୀ ଦିନରେ ତାଙ୍କର ଉପସ୍ଥିତି କଂଗ୍ରେସ ପାଇଁ ସଫଳତା ଆଣିଦେବ ବୋଲି ଅଜୟ କୁମାର ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଆଇସିସି ମୁଖପାତ୍ର ଭିନିତ୍‌ ପୁନିଆ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ ! କହିଲେ ଦଳ ନଡାକିଲେ ବି କରୁଛି ପ୍ରଚାର

ତେବେ ଶ୍ରୀକାନ୍ତଙ୍କ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ ପରେ ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇପାରନ୍ତି । ରାଜ୍ୟ କଂଗ୍ରେସ ମଧ୍ୟରେ ଶ୍ରୀକାନ୍ତଙ୍କ ଜଣାଶୁଣା ପ୍ରତିଦ୍ବନ୍ଦ୍ବିତା ପଟ୍ଟନାୟକ ପରିବାର ସହ ବୋଲି ଚର୍ଚ୍ଚା ହୁଏ । ଶ୍ରୀକାନ୍ତ ପୂର୍ବରୁ ବାଲେଶ୍ବର ସଂସଦୀୟ ସିଟରୁ ଜିତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ସାର ଓ ରସାୟନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ତେବେ ଶ୍ରୀକାନ୍ତଙ୍କ ଫେରିବା ପରେ ବାଲେଶ୍ବରରେ ନବଜ୍ୟୋତି ପଟ୍ଟନାୟକଙ୍କ ଅବସ୍ଥା କଣ ହେବ, ତାକୁ ନେଇ ସାଧାରଣରେ ଆଲୋଚନା ଚାଲିଛି । ନବଜ୍ୟୋତି ବାଲେଶ୍ବରରେ ଦୀର୍ଘବର୍ଷ ହେବ ସକ୍ରିୟ ଅଛନ୍ତି । 2019ରେ ତାଙ୍କୁ ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଥିଲା ଦଳ । ତେଣୁ ଏବେ ସମସ୍ତଙ୍କ ନଜର ପଟ୍ଟନାୟକ ପରିବାର ଉପରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details