ଭୁବନେଶ୍ବର/କେନ୍ଦୁଝର:ଦଳରେ ଅଣଦେଖା କାରଣରୁ ଇସ୍ତଫା ଦେଲେ ନେତା । ବିଜେଡିରୁ ଆଜି ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ଦଳରୁ ନିଜର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ଇସ୍ତଫା ପତ୍ର ସେ ବିଜେଡି ସଭାପତିଙ୍କୁ ପଠାଇ ଦେଇଛନ୍ତି । ସୁରେନ୍ଦ୍ରଙ୍କ ସହ ଅଞ୍ଚଳର ବହୁ ଲୋକ ପ୍ରତିନିଧି ବିଜେଡି ଛାଡିଛନ୍ତି । ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଅନେକ ବାର ଦେଖା କରିବାକୁ ଚେଷ୍ଟା କରିଛି । ହେଲେ ମୋତେ ଥରେ ବି ଦେଖା କରିବାକୁ ସୁଯୋଗ ମିଳିନାହିଁ । ମୋତେ ଦଳରେ ହତାଦର କରାଯାଇଛି । କାକଟପୁରରେ ବିଜେଡି ସଠିକ ପ୍ରାର୍ଥୀ ଦେଇନାହିଁ । ଯେଉଁମାନେ ଲୋକଙ୍କ ସହ ନାହାଁନ୍ତି ଲୋକଙ୍କ କାମ କରିନାହାନ୍ତି ସେମାନଙ୍କୁ ଦଳ ଟିକେଟ ଦେଇଛି । ତେଣୁ କାକଟପୁରରେ କାହା ମୁହଁରେ ହସ ନାହିଁ ।
ନବୀନ ନିବାସରୁ ଯେତେବେଳେ ଯେଉଁ କାର୍ଯ୍ୟକ୍ରମ ପାଇଁ ମୋତେ ଫୋନ ଆସେ ମୁଁ ଲୋକ ନେଇ ପହଁଚେ । ପ୍ରତ୍ୟେକ କାର୍ଯ୍ୟକ୍ରମରେ ମୁଁ ନିଜକୁ ସାମିଲ କରିଥାଏ । ଶେଷ ମୁହୂର୍ତ୍ତରେ ମୋତେ ଅବହେଳା କରାଗଲା । କାକଟପୁର ବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ମୁଁ ଆଜି ବିଜେଡିରୁ ଇସ୍ତଫା ଦେଉଛି । ଗତ ଦଶ ବର୍ଷ ହେଲା କାର୍ଯ୍ୟ କରିଛି । 2019ରୁ 2024 ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ବହୁତ ଥର ଚେଷ୍ଟା କରିଛି । ଗୋଟେ ଥର ଦେଖା କରିବାକୁ ସୁଯୋଗ ଦିଆଯାଇନାହିଁ । ଯେଉଁ ଦଳରେ ସର୍ବୋଚ୍ଚ ନେତାଙ୍କୁ ଦେଖା କାରିବାକୁ ଦିଆଯାଏ ନାହିଁ ସେ ଦଳରେ ରହି ଲାଭ କଣ ? ଦଳରେ ଏବେ ଅଫିସର ମାନେ ମଙ୍ଗୁଆଳ ସାଜିଛନ୍ତି । ଦୁଃଖର କଥା ବିଜେଡ଼ିର କୌଣସି ନେତା ଓ ମନ୍ତ୍ରୀ ଏ ନେଇ ମୁହଁ ଖୋଲୁ ନାହାନ୍ତି ।
ଆଜି କାକଟପୁରରେ ରାତି ୯ଟା'ରେ ମୋ ସମର୍ଥକଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବି । ତାଙ୍କ ନିଷ୍ପତ୍ତି ଯାହା ହେବ ତାହା ମୁଁ ମାନି ନେବି । 2024 ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେବି । ଯଦି ଆପଣ ଭଲ ନେତା ହୋଇଥିବେ ତେବେ ଲୋକେ ଆପଣଙ୍କ ସହିତ ରହିଥିବେ । ଅନ୍ୟ ଦଳ ଆପଣଙ୍କୁ ଡାକିବେ ବୋଲି କହିଛନ୍ତି ସୁରେନ୍ଦ୍ର । କାକଟପୁର ବ୍ଲକ ଚେୟାରମ୍ୟାନ ଶ୍ରୀଧର ନାୟକ ଓ ଅସ୍ତରଙ୍ଗ ବ୍ଲକ ଚେୟାରମ୍ୟାନ ଆରତୀ ନାୟକ, ଅନେକ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଛାଡିଛନ୍ତି ।