ସମ୍ବଲପୁରରେ ହେବ ବିଗ୍ ଫାଇଟ; ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ ହେବ କଡା ଟକ୍କର! ସମ୍ବଲପୁର: ନିର୍ବାଚନକୁ ଆଉ କେଇଟା ଦିନ ଥିବା ବେଳେ ଘମାଘୋଟ ହେବାରେ ଲାଗିଛି ରାଜନୈତିକ ଲଢେଇ । ଏହି କ୍ରମରେ ରାଜ୍ୟରେ ରାଜନୈତିକ ରଣାଙ୍ଗନରେ ସମ୍ବଲପୁର ଲୋକସଭା ଆସନ ପାଲଟିଛି ହଟସ୍ପଟ । ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀମାନଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ନିଜର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନକୁ ଓହ୍ଲାଇଛି । ସେହିଭଳି କଂଗ୍ରେସ ଯୁବ ଚେହେରା ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ଉପରେ ଭରସା କରିଛି ।
ତେବେ ଏହି ରୋଚକପୂର୍ଣ୍ଣ ବିଗ୍ ଫାଇଟ ମୁଖ୍ୟତଃ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ ହେବାକୁ ଯାଉଛି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି । 2019 ନିର୍ବାଚନରେ ସମ୍ବଲପୁର ଲୋକସଭା ସିଟରେ ବିଜେପିର ନୀତେଶ ଗଙ୍ଗଦେବ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କୁ ପରାଜିତ କରିଥିଲେ । ତେବେ ନିର୍ବାଚନ ଜିତିବା ପରେ ସାଂସଦ ନୀତେଶ ଗଙ୍ଗଦେବ ସମ୍ବଲପୁରରୁ ପୁରା ପୁରି ଉଭାନ ହୋଇଯାଇଥିଲେ । ଏଭଳି ପରିସ୍ଥିତିରେ ବିଜେପି ଯେଉଁ ଭାବରେ ବଦନାମ ହୋଇଥିଲା ଗତ ଗୋଟିଏ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ସମ୍ବଲପୁର ଗସ୍ତ କରି ଏହାର ଛବିକୁ ସୁଧାରିବାକୁ ଚେଷ୍ଟା କରିଛନ୍ତି । ବର୍ତ୍ତମାନ ସମ୍ବଲପୁରରେ ସେ ବିଜେପି ଲୋକସଭା ପ୍ରାର୍ଥୀ ହୋଇ ଯେଉଁ ଭଳି ଭାବରେ ଅଭିନବ ଢଙ୍ଗରେ ପ୍ରଚାର ଜାରି ରଖିଛନ୍ତି ତାହା ବିଜେପି ଆଗ ଧାଡିରେ ରଖିଛି । ଧର୍ମେନ୍ଦ୍ର ତାଙ୍କ ଆଇଟି ସେଲ ମାଧ୍ୟମରେ ସୋସିଆଲ ମିଡ଼ିଆରେ ଅଭିନବ ପ୍ରଚାର ଜାରି ରଖିଥିବା ବେଳେ ସମ୍ବଲପୁରରେ ବିଜେପି ଓ RSS ର ସଂଗଠନର ଦୃଢତା ଓ ମୋଦି ହାୱା ତାଙ୍କୁ ଫ୍ରଣ୍ଟଫୁଟରେ ରଖିଛି ।
ଏହା ମଧ୍ୟ ପଢନ୍ତୁ...କ୍ରୀଡା ରାଜନୀତିରୁ ଲୋକସଭା ପ୍ରାର୍ଥୀ, ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଟିକେଟ୍ - Lok Sabha Election 2024
ଅନ୍ୟପଟେ ବିଜେଡିର ପ୍ରଣବ ପ୍ରକାଶ ଦାସ ପ୍ରଚାର ମୈଦାନରେ ଟିକିଏ ବିଳମ୍ବର ଆସିଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କୁ କଡା ଫାଇଟ ଦେବେ ବୋଲି ଚର୍ଚ୍ଚା ହେଉଛି । ଗତ ଥର ନିର୍ବାଚନ ଅପେକ୍ଷା ଏଥର ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୀତି ବିଶ୍ଳେଷକ କହୁଛନ୍ତି । କେବଳ ବିଜେଡିର ଅନ୍ତଃଦ୍ବନ୍ଦ ପ୍ରଣବଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ଅନ୍ୟପଟେ ସମ୍ବଲପୁର ବିଧାନସଭା ଆସନରୁ ବିଜେଡି ଟିକେଟର ଆଶାୟୀ ଥିବା ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଥିବା ବେଳେ ଏହା ବିଜେଡି ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି ରାଜନୀତି ବିଶ୍ଳେଷକ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ନିର୍ବାଚନରେ ସମ୍ବଲପୁର ଲୋକସଭା ସିଟଟି ବିଜେପି ଜିତିଥିଲେ ମଧ୍ୟ ଏହାର ଅଧୀନରେ ଥିବା 7ଟି ବିଧାନସଭା ସିଟରୁ 3ଟି ଯଥା ସମ୍ବଲପୁର, ରେଙ୍ଗାଲି ଓ଼ ଦେବଗଡ଼ରେ ବିଜେପି ଓ 4ଟି ଯଥା କୁଚିଣ୍ଡା, ରେଢ଼ାଖୋଲ, ଆଠମଲ୍ଲିକ ଓ ଛେଣ୍ଡିପଦାରେ ବିଜେଡି ବିଜୟୀ ହୋଇଥିଲା । ଅନ୍ୟପଟେ ସମ୍ବଲପୁର ଲୋକସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଦୁଲାଲ ପ୍ରଧାନ କ୍ରୀଡା ସଂଘ ରାଜନୀତିରୁ ଆସିଥିବା ବେଳେ ସେ ଜଣେ ଯୁବ ନେତା ଅଟନ୍ତି । ତେବେ ସେ ବିଜେପି ଓ ବିଜେଡିର 2 ହେଭିୱେଟ ନେତାଙ୍କ ସହ ଲଢେଇ କରିବାକୁ ପୁରାପୁରି ପ୍ରସ୍ତୁତ ବୋଲି ପୂର୍ବରୁ କହିଥିଲେ ମଧ୍ୟ ସେ ଏହି 2 ବରିଷ୍ଠ ନେତାଙ୍କୁ କାଉଣ୍ଟର କରିବେ ନା ନାହିଁ ତାହା ସମୟ କହିବ ।
ସମ୍ବଲପୁର ଲୋକସଭା ଆସନର ନିର୍ବାଚନୀ ଇତିହାସ:
- 2019ରେ ବିଜେପିର ନୀତେଶ ଗଙ୍ଗଦେବ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କୁ 9162 ଭୋଟରେ ପରାଜିତ କରିଥିଲେ । କଂଗ୍ରେସର ଶରତ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ 4,73,770 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ନଳିନୀକାନ୍ତ ପ୍ରଧାନ 4,64,608 ଖଣ୍ଡ ଭୋଟ ଓ କଂଗ୍ରେସର ଶରତ ପଟ୍ଟନାୟକ 1,35,969 ଖଣ୍ଡ ଭୋଟ ପାଇଥିଲେ l
- 2014ରେ ସମ୍ବଲପୁର ଲୋକସଭାରେ ବାଜି ମାରିଥିଲା ବିଜେଡି । ଏହି ନିର୍ବାଚନରେ ବିଜେଡି ନଗେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ମୋଦି ଲହର ସତ୍ତ୍ବେ 30,576 ଭୋଟରେ ପରାଜିତ କରିଥିଲେ । କଂଗ୍ରେସର ଅମରନାଥ ପ୍ରଧାନ ତୃତୀୟ ସ୍ଥାନରେ ରହିଥିଲେ । ବିଜେଡି ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ 3,58,618 ଭୋଟ ପାଇଥିବା ବେଳେ ବିଜେପିର ସୁରେଶ ପୂଜାରୀ 3,28,042 ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ 2,42,131 ଭୋଟ ପାଇଥିଲେ ।
- 2009ରେ ସମ୍ବଲପୁର ଲୋକସଭା ସିଟରେ ବାଜି ମାରିଥିଲା କଂଗ୍ରେସ । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅମରନାଥ ପ୍ରଧାନ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ 14874 ଭୋଟରେ ପରାଜିତ କରିଥିବା ବେଳେ ବିଜେପିର ସୁରେନ୍ଦ୍ର ଲାଠ ତୃତୀୟ ସ୍ଥାନରେ ରହିଥିଲେ । କଂଗ୍ରେସ ପ୍ରାର୍ଥୀ 3,04,890 ଭୋଟ ପାଇଥିବା ବେଳେ ବିଜେଡିର ରୋହିତ ପୂଜାରୀ 2,90,016 ଭୋଟ ପାଇଥିଲେ ଓ ବିଜେପିର ସୁରେନ୍ଦ୍ର ଲାଠ 1,50,910 ଖଣ୍ଡ ଭୋଟ ପାଇଥିଲେ ।
ଇଟିଭି ଭାରତ, ସମ୍ବଲପୁର