ହାଇଦ୍ରାବାଦ:3 ରାଜ୍ୟରେ 16 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ । ଗୁଜୁରାଟ, ଓଡିଶା, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ ଆସନରେ ପ୍ରାର୍ଥୀ ଦେଇଛି ଦଳ । ହିମାଚଳ ପ୍ରଦେଶ ମଣ୍ଡି ଆସନରେ ରାଜ୍ୟ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂଙ୍କୁ ଲୋକସଭା ନିର୍ବାଚନ ଲଢାଇଛି ଦଳ । ବିକ୍ରମାଦିତ୍ୟ ବିଜେପି ପ୍ରାର୍ଥୀ ତଥା କଙ୍ଗନା ରଣାଓ୍ବାତଙ୍କ ବିରୋଧରେ ନିର୍ବାଚନ ଲଢିବେ । ସେହିପରି ଚଣ୍ଡିଗଡ ଆସନରୁ ଦଳର ବରିଷ୍ଠ ନେତା ମନୀଷ ତିଓ୍ବାରୀଙ୍କୁ ଟିକେଟ ମିଳିଛି । ମନୀଷ ବିଜେପି ଯୋଗାଯୋଗରେ ଥିବା ଓ କୌଣସି ସମୟରେ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ପ୍ରକାଶ କରିଛି ଦଳ ।
ଆଜି ପର୍ଯ୍ୟାୟରେ ଦଳ ଗୁଜୁରାଟରୁ 4, ଓଡିଶାରୁ ସର୍ବାଧିକ 9, ହିମାଚଳ ପ୍ରଦେଶରେ 2ଟି ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡରେ ପ୍ରାର୍ଥୀ ଘୋଷଣା କରିଛି । ଭାରତୀୟ ଜନତା ପାର୍ଟି ମଣ୍ଡି ଆସନରେ ଚର୍ଚ୍ଚିତ ତଥା ବିବାଦୀୟ ଅଭିନେତ୍ରୀ କଙ୍କନା ରଣାଓ୍ବାତଙ୍କୁ ପ୍ରାର୍ଥୀ କରି ନିର୍ବାଚନ ପ୍ରବେଶ ସୁଯୋଗ ଦେଇଛି । ଏହି ଆସନରେ ଏବେ ବିକ୍ରମାଦିତ୍ୟଙ୍କ ମା ପ୍ରତିଭା ସିଂ ସାଂସଦ ରହିଛନ୍ତି । ଚଳିତଥର ସେ ହିଁ ବିଜେପି ପ୍ରାର୍ଥୀ କଙ୍ଗନାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଦଳ ନିଷ୍ପତ୍ତି ନେଲେ ସେ ମଧ୍ୟ ଲଢିପାରନ୍ତି । ହେଲେ ସୁଖବିନ୍ଦର ସିଂ ସୁଖୁ ସରକାରରେ ଏବେ ମନ୍ତ୍ରୀ ଥିବା ବିକ୍ରମାଦିତ୍ୟଙ୍କୁ ଦଳ ସାଂସଦ ଆସନରେ ଲଢାଇବାକୁ ନିଷ୍ପତ୍ତି ନେଇଛି । ନବାଗତ କଙ୍ଗନାଙ୍କ ସହ ଯୁବନେତା ବିକ୍ରମାଦିତ୍ୟଙ୍କ ଲଢେଇ ହେବ । ଚଣ୍ଡିଗଡ ଆସନରେ ବିଜେପି ଏଥର ଚଳିତ ସାଂସଦ କିରଣ ଖେରଙ୍କୁ ଟିକେଟ ଦେଇନି ।