ଗୌହାଟୀ:ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ବିଜେପି ନେତାମାନେ ମାରାଥନ ପ୍ରଚାର ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଶାହ ଓ ରାଜନାଥଙ୍କ ପରି ଶୀର୍ଷ ନେତାମାନେ ବିଭିନ୍ନ ରାଜ୍ୟରେ ଦଳ ପାଇଁ ପ୍ରଚାର କରି ଭୋଟ ମାଗୁଥିବା ବେଳେ ପ୍ରତିଦ୍ବନ୍ଦୀ କଂଗ୍ରେସକୁ କଡା ଟାର୍ଗେଟ କରିବା ଜାରି ରଖିଛନ୍ତି । ଆଜି ଆସାମରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ଭିନ୍ନ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଅମିତ ଶାହ । କଂଗ୍ରେସ ଯଦି କ୍ଷମତାକୁ ଆସେ, ତେବେ ଦେଶରେ ମୁସଲିମ ପର୍ସନାଲ ଲ’ କାର୍ଯ୍ୟକାରୀ କରାଯିବ । ଏକଥା କଂଗ୍ରେସ ନିଜେ ଘୋଷଣା କରିଛି ବୋଲି ଶାହ ଅଭିଯୋଗ କରିଛନ୍ତି ।
ଆଜି ଆସାମର ଲକ୍ଷ୍ମୀପୁରରେ ଏକ ସଧାରଣ ସଭାକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି, ନିର୍ବାଚନରେ ଜନାଦେଶ ପାଇ କ୍ଷମତାକୁ ଆସିବା ପରେ ଦେଶରେ ମୁସଲିମ ପର୍ସନାଲ ଲ’ କାର୍ଯ୍ୟକାରୀ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ମେଣ୍ଟ ନା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ । କିଏ କ୍ଷମତାକୁ ଆସିବା ଉଚିତ ଦେଶବାସୀ ନିଶ୍ଚୟ ନିଷ୍ପତ୍ତି ନେବେ ବୋଲି ଶାହ କହିଛନ୍ତି ।