ଭୁବନେଶ୍ବର: ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପରେ କୁହୁଳିବାରେ ଲାଗିଛି ରାଜନୈତିକ ତାତି । ବ୍ରହ୍ମପୁରର କନିଷି ଗସ୍ତରେ ପ୍ରଧାନମନ୍ତ୍ରୀ ଜୁନ 4ରେ ବିଜେଡିର ଏକ୍ସପାଏରୀ ଡେଟ୍ ଲେଖାହୋଇଛି ବୋଲି କଟାକ୍ଷ କରିଥିଲେ । ଏପରିକି ଜୁନ ୬ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ ଏବଂ ଜୁନ 10 ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରାଯିବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି ସେ କହିଥିଲେ । ଯାହାକୁ କଂଗ୍ରେସ କଡ଼ା ସମାଲୋଚନା କରିଛି । ବିଜେଡି ଓ ବିଜେପିର ଶପଥ ଗ୍ରହଣ ନିମନ୍ତ୍ରଣ ପତ୍ର ନୁହଁ ବରଂ ସେମାନଙ୍କର ଫେୟାରୱେଲ ଉତ୍ସବର କାର୍ଡ ବୋଲି କହିଛି କଂଗ୍ରେସ ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଦିଙ୍କ ନାଁ ନନେଇ ବିଜେପି ଦିନରେ ସ୍ବପ୍ନ ଦେଖୁଛି ବୋଲି କହିଛନ୍ତି । ବିରୋଧୀ ମିଛ ପ୍ରଚାର କରୁଛନ୍ତି ଓ ନିର୍ବାଚନ ସମୟ ଆସିଲେ ଲୋକଙ୍କ କଥା ମନେ ପଡେ ବୋଲି ସମାଲୋଜନା କରିଛନ୍ତି । ବିଜେଡି ନେତା ଭିକେ ପାଣ୍ଡିଆନ ମୋଦିଙ୍କୁ ପାଲଟା ଜବାବ ଦେଇ ଓଡ଼ିଶାରେ ଜୁନ 9 ତାରିଖରେ ନବୀନଙ୍କ ଶପଥ ଗ୍ରହଣ ହେବ ବୋଲି ଦୃଢ଼ ଜବାବ ଦେଇଛନ୍ତି । ସାହସ ଅଛି ଯଦି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଆହ୍ବାନ ଦେଇଛନ୍ତି ଭିକେ ପାଣ୍ଡିଆନ । ଉଭୟ ଦଳ ମାନଙ୍କ ମଧ୍ୟରେ ଚାଲିଥିବା ଟଣାଓଟରା ମଧ୍ୟରେ କଂଗ୍ରେସ ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି ।