ଓଡିଶା

odisha

ETV Bharat / politics

ରାଜଧାନୀରେ କାନ୍ଥ ବାଡ଼ରେ ଲାଗିବନି ପୋଷ୍ଟର-ବ୍ୟାନର; ବିଜେପି କହିଲା ବ୍ୟାନର ହଟାଇବାରେ ସ୍ୱଚ୍ଛତା ରହୁ

BMC removes posters and banners: ରାଜଧାନୀର କାନ୍ଥ ବାଡ଼ରେ ଲାଗିବ ନାହିଁ କୌଣସି ରାଜନୈତିକ ଦଳର ପୋଷ୍ଟର, ବ୍ୟାନର କିମ୍ବା ୱାଲ ପେଣ୍ଟିଂ । ଏନେଇ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ବିଭିନ୍ନ ପୋଷ୍ଟର ବ୍ୟାନର ହଟାଇବାରେ ଲାଗିଛି । ତେବେ ଏଥିରେ ପାତରଅନ୍ତର କଲେ ଆନ୍ଦୋଳନ ଚେତାବନୀ ଦେଇଛି ବିଜେପି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Feb 23, 2024, 9:46 PM IST

BMC removes posters and banners
BMC removes posters and banners

BMC removes posters and banners

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏହା ପୂର୍ବରୁ କଠୋର ହୋଇଛନ୍ତି ନିର୍ବାଚନ କମିଶନ । ଆୟୋଗଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ । ଆଉ ରାଜଧାନୀର କାନ୍ଥ ବାଡ଼ରେ ଲାଗିବ ନାହିଁ କୌଣସି ରାଜନୈତିକ ଦଳର ପୋଷ୍ଟର, ବ୍ୟାନର କିମ୍ବା ୱାଲ ପେଣ୍ଟିଂ । ଯେଉଁ ଦଳ ଗୁଡିକ ନିଜ ଦଳ ଓ ନେତାଙ୍କର ମାଇଲେଜ୍‌ ପାଇଁ ପୋଷ୍ଟର, ବ୍ୟାନର ଲଗାଇବା କିମ୍ବା ୱାଲ୍‌ ପେଣ୍ଟିଂ କରିଛନ୍ତି, ସେଗୁଡିକ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ବିଏମ୍‌ସି । ତେଣୁ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ସହରରୁ ପୋଷ୍ଟର ଓ ବ୍ୟାନର ହଟାଯିବ ଆଉ ୱାଲ ପେଟିଂକୁ କାନ୍ଥରୁ ହଟାଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର ।

ଏହି ପ୍ରସଙ୍ଗରେ ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, "ପ୍ରତ୍ୟେକ ଥର ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମ ହୋଇଥାଏ । ତେଣୁ ପ୍ରତ୍ୟେକ ରାଜନୈତିକ ଦଳ ଗୁଡିକ ଏହି କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି ।" ୩ ଜୋନର ଜେଡିସିଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଏମ୍‌ସି କମିଶନର । ଏହି କାର୍ଯ୍ୟକୁ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ସେ କହିଛନ୍ତି । ସେପଟେ ବିଜେଡି କହିଛି ପୋଷ୍ଟର ବ୍ୟାନର ଦ୍ଵାରା ସରକାରୀ ଜାଗା, ମନୁମେଣ୍ଟ ନଷ୍ଟ ହେଉଛି । ଯଦି ଦଳ ଭଲ କାମ କରୁଛି, ତେବେ ଏତେ ପ୍ରଚାରର ଆବଶ୍ୟକତା ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ତେଜିଲା କାଳିଆ ରାଜନିତୀ, କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ବର୍ଷିଲା କଂଗ୍ରେସ

ସେପଟେ ପୋଷ୍ଟର ଓ ବ୍ୟାନର ହଟାକୁ ନେଇ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ବିଏମ୍‌ସି କମିଶନରଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ପୋଷ୍ଟର, ବ୍ୟାନର, ୱାଲ୍‌ ପେଣ୍ଟିଂ ଲଗାଇବା କାମ ବିଜେଡି ପ୍ରଥମେ ଆରମ୍ଭ କରିଥିଲା । ତାହା ପୁଣି ୪ ବର୍ଷ ପୂର୍ବରୁ । ସେତେବେଳେ ବିଏମ୍‌ସି କମିଶନର କଣ କରୁଥିଲେ ? ସେତେବେଳେ କାହିଁକି କମିଶନର ହଟାଇଲେ ନାହିଁ ? ବର୍ତ୍ତମାନ ପ୍ରଥମେ ବିଜେଡି ଲାଗାଇଲା ପରେ ବିଜେପି ବି ଲଗାଇଲା । ତେଣୁ ପ୍ରଥମରୁ ବିଏମ୍‌ସି କାହିଁକି ମନା କଲା ନାହିଁ ? ବିଏମ୍‌ସି କମିଶନର ସରକାରଙ୍କ କୋଠ ପୁଅ ଭାବେ କାମ ନକରନ୍ତୁ । ପୋଷ୍ଟର ବ୍ୟାନର ହଟାଇବାରେ ପାତରଅନ୍ତର କଲେ ବିଜେପି ଆନ୍ଦୋଳନ କରିବ । ତେଣୁ ପୋଷ୍ଟର ହଟାଇବା ବେଳେ ସବୁ ଦଳକୁ ସମାନ ଦୃଷ୍ଟିରେ ରଖି ପୋଷ୍ଟର ହଟାଇବା ପାଇଁ ଅନୁରୋଧ । ଯଦି କମିଶନର ହଟାଇବା କଥା କହୁଛନ୍ତି, ତେବେ ସ୍ବଚ୍ଛତାର ସହ ହଟାନ୍ତୁ । ଏକତରଫା କରି ନୁହେଁ । ଏଭଳି କଲେ ଆମେ ବିରୋଧ କରିବା ସହ ୪ ବର୍ଷ ପୂର୍ବରୁ ଏହା କାହିଁକି ସରକାରୀ ଦଳ ପାଇଁ ଲାଗୁ ହେଲାନାହିଁ, ସେଥିପାଇଁ ବିଏମ୍‌ସି କମିଶନରଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ପାଇଁ ଦାବି କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details