ଓଡିଶା

odisha

ETV Bharat / politics

ବାତ୍ୟା ମୁକାବିଲା ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲେ ମୋହନ ମାଝୀ ସରକାର; ଜବାବ ରଖିଲା ବିଜେପି

ବାତ୍ୟା ଦାନାକୁ ନେଇ ତେଜିଲା ରାଜନୀତି । ଲୋକଙ୍କୁ ସ୍ଥାନାନ୍ତରଣଠୁ ଆଶ୍ରୟସ୍ଥଳର ଅବବ୍ୟସ୍ଥା ଅଭିଯୋଗ କରି ଶ୍ୱେତପତ୍ର ମାଗିଲା ବିଜେଡି ।

BJP targets bjd over cyclone politics
BJP targets bjd over cyclone politics (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ୱର: ଦାନା ଯିବା ପରେ ଆରମ୍ଭ ହୋଇଯାଇଛି ବାତ୍ୟାକୁ ନେଇ ରାଜନୀତି । ରାଜ୍ୟ ବିଜେପି ସରକାର ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ବୋଲି ଅଭିଯୋଗ କରିଛି ବିଜେଡି । ରାଜ୍ୟ ସରକାରଙ୍କ ଫୋକସ ବାତ୍ୟା ମୁକାବିଲାରେ ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲା ବୋଲି ଅଭିଯୋଗ କରିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବାତ୍ୟାରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଶୂନ୍ୟ କାଜୁଆଲିଟି ଦାବି ହାସ୍ୟାସ୍ପଦ ବୋଲି ଲେଖାଶ୍ରୀ କହିଛନ୍ତି । ବିଜେଡିର ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ।

ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରିଛନ୍ତି । ସେପଟେ ବିଜେଡି ପକ୍ଷରୁ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରାଯାଇଛି । ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ରାଜ୍ୟ ବିଜେପି ସରକାରଙ୍କ ଫୋକସ ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନୁହେଁ, ବରଂ କେବଳ ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର ଥିବା ପରି ମନେ ହେଉଥିଲା । ଅତିକମରେ ଚାରି ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାର ଶୂନ୍ୟ ମୃତ୍ୟୁ ଦାବି କରିବା ହାସ୍ୟାସ୍ପଦ । ରାଜନଗରରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଛି ।

cyclone politics (ETV Bharat Odisha)



ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରାୟ ୬ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସରକାର ଦାବି କରୁଛନ୍ତି । ଏହି ତଥ୍ୟର ସତ୍ୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାତ୍ୟାର ପୂର୍ବ ଓ ବାତ୍ୟା ପରେ ମଧ୍ୟ କିଛି ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଥିଲା । ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକଙ୍କୁ ଖାଦ୍ୟ ପାନୀୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ବାତ୍ୟା ଦାନାର ସୂଚନା ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମିଳିଥିଲା । ସରକାରଙ୍କ ପାଖରେ ମୁକାବିଲାର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସୂଚନା ଥିଲା । ସରକାର ପ୍ରସ୍ତୁତି କରିବାରେ ବିଫଳ ହୋଇଛନ୍ତି ।"

BJP targets bjd over cyclone politics (ETV Bharat Odisha)



ସେ ଏହା ମଧ୍ୟ କହିଛନ୍ତି, "ବାତ୍ୟାରେ ପବନର ଗତି ୧୦୦ରୁ ୧୨୦ କିମି ହେବ ବୋଲି ସୂଚନା ମିଳିଥିଲା । କିନ୍ତୁ ବାତ୍ୟା ସମୟରେ ୬୦ରୁ ୮୦ କିଲୋମିଟର ଥିଲା । ଯାହା ବିଶେଷଜ୍ଞଙ୍କ ମତରେ ଚିନ୍ତାଜନକ ନୁହେଁ । ଏହା ସତ୍ତ୍ୱେ ସରକାର ନିଜ ପିଠି ଥାପୁଡ଼େଇବାରେ ବ୍ୟସ୍ତ । ଲୋକଙ୍କ ଠାରୁ ନୁହେଁ, ଏ ସରକାର ପ୍ରଧାନମନ୍ତ୍ରୀଙ୍କ ଠାରୁ ସାର୍ଟିଫିକେଟ ପାଇଁ ବ୍ୟଗ୍ର । ବାତ୍ୟା ଦାନାକୁ ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଲୋକଙ୍କ ମୃତ୍ୟୁ ଓ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ ଲୋକ ସଂଖ୍ୟା, କେଉଁ ଆଶ୍ରୟସ୍ଥଳରେ କେତେ ଲୋକଙ୍କୁ ରଖାଯିବାର ତଥ୍ୟ ପ୍ରଦାନ କରନ୍ତୁ ।"

ଏହା ବି ପଢନ୍ତୁ- ମହଙ୍ଗା ପଡ଼ିଲା ବାତ୍ୟା ଦାୟିତ୍ବରେ ଅବହେଳା, ୬ ସରକାରୀ କର୍ମଚାରୀ ସସପେଣ୍ଡ

ଏହା ବି ପଢନ୍ତୁ- ପାଗ ଖରାପ, ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ବାତିଲ୍‌


ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ରାଜ୍ୟରେ ଏକ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ହୋଇଛି । ଓଡ୍ରାଫ ଗଠନ ସହ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ ହୋଇଛି । ୨୦୦୦ ମସିହାରେ ରାଜ୍ୟରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳ ଥିଲା, ଯାହା ମଧ୍ୟରୁ ଅଧିକାଂଶ ବ୍ୟବହାର ଉପଯୋଗୀ ନଥିଲା । ଏହି ଆଶ୍ରୟସ୍ଥଳ ଗୁଡିକର ପୁନଃରୁଦ୍ଧାର ସହିତ ନୂତନ ଓ ଅତ୍ୟାଧୁନିକ ଆଶ୍ରୟସ୍ଥଳ ବାତ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ନିର୍ମାଣ କରାଯାଇଛି ।୨୦୨୪ ମସିହାରେ ରାଜ୍ୟରେ ୯୦୦ରୁ ଅଧିକ ଆଶ୍ରୟସ୍ଥଳ ରହିଛି । ଯାହା ମଧ୍ୟରୁ ଅନୂନ୍ୟ ୪୫୦ଟି ଆଶ୍ରୟ ସ୍ଥଳରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ବାତ୍ୟା ଆସିବାର ଯଥେଷ୍ଟ ପୂର୍ବରୁ ବାତ୍ୟାର ପୂର୍ବାନୁମାନ ପାଇଁ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି ।



ସେହିପରି ବାତ୍ୟା ପରିଚାଳନା ପାଇଁ ଆବଶ୍ୟକ କୌଶଳ ଓ ଅତ୍ୟାଧୁନିକ ଯନ୍ତ୍ରପାତିର ସଠିକ ବ୍ୟବହାର ପାଇଁ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ମିଳିଛି । ବାତ୍ୟାର ସଠିକ ମୁକାବିଲା ଓ ପରିଚାଳନା ପାଇଁ ଏସଓପି ସ୍ଥିର ହୋଇଛି । ନବୀନଙ୍କ ସମୟରେ ପ୍ରତିଷ୍ଠା ହୋଇଥିବା ଏହି ବ୍ୟବସ୍ଥା ଯେକୌଣସି ବଡ଼ ବାତ୍ୟାକୁ ମୁକାବିଲା କରିବା ପାଇଁ ସକ୍ଷମ । ଯାହା ଅତୀତରେ ଅନେକ ବାତ୍ୟାରେ ପ୍ରମାଣିତ ହୋଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ସଫଳ ବାତ୍ୟା ପରିଚାଳନା ପାଇଁ ଓଡିଶା ରାଜ୍ୟ ତଥା ଦେଶ ବାହାରେ, ଏପରିକି ମିଳିତ ଜାତିସଙ୍ଘ ଦ୍ୱାରା ପ୍ରଶଂସିତ ହୋଇଛି । ଏଭଳି ଏକ ସୁଦୃଢ଼ ବ୍ୟବସ୍ଥା ଥିବା ସତ୍ତ୍ୱେ ରାଜ୍ୟ ବିଜେପି ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ବାତ୍ୟା ଦାନାର ପରିଚାଳନାରେ ବିଫଳ ହେବା ଦୁଃଖଦାୟକ ।



ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ରିଭ୍ୟୁ କରିବା ପାଇଁ ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ । କିନ୍ତୁ ଏହି ରିଭ୍ୟୁ ସମୟରେ ସ୍ଥାନୀୟ ବିଧାୟକଙ୍କୁ ସାମିଲ ନକରି କେବଳ ଦଳୀୟ ଲୋକଙ୍କୁ ଧରି ରିଭ୍ୟୁ କରୁଥିବା ଦେଖାଯାଇଛି ।ବାଲେଶ୍ୱରର ଭୋଗରାଇ ଓ କେନ୍ଦ୍ରାପଡ଼ାରେ ରିଭ୍ୟୁ ସମୟରେ ଏପରି ହୋଇଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ।



ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି, "ବିରୋଧୀ ଦଳ ଅନେକ କଥା କହିବେ । କିନ୍ତୁ ବିଜେପି ସରକାର ସୁଚାରୁରୂପେ ବାତ୍ୟା ପରିଚାଳନା କରିଛି । କାହାର କିଛି କ୍ଷତି ହୋଇ ପାରିଥାଏ । କିନ୍ତୁ ଯାହା ବି ଗ୍ରାଉଣ୍ଡରେ ସ୍ଥିତି ଅଛି, ତଥା ଗଣମଧ୍ୟମକୁ ଆସୁଛି । ୨୪ ବର୍ଷ ଶାସନ କଲା ପରେ ଏବେ ବିଜେଡିର ହଜମ ହେଉନାହିଁ । ବିଜେଡି ସମୟରେ ବାତ୍ୟା ନାଁ'ରେ ହଜାର ହଜାର କୋଟି ଟଙ୍କା ଆତ୍ମସାତ ହେଉଥିଲା । କିନ୍ତୁ ମୋହନ ସରକାରରେ ସୁନ୍ଦର ପରିଚାଳନା ହେଲା । ଲୋକଙ୍କ ପାଖରେ ସରକାର ପହଁଚିଲେ । ବିଜେପି ସରକାରରେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଆଶା କର୍ମୀ କେମିତି କାମ କରୁଛନ୍ତି ତାହା ହିଁ ସୂଚନା । ଏଥିରୁ ସ୍ପଷ୍ଟ ପ୍ରଶାସନିକ ଦାୟିତ୍ୱ କେମିତି ନିଭାଉଛନ୍ତି ।


ନବୀନଙ୍କ ବନ୍ଦନା କରିବା ବିଜେଡିର ବ୍ରତ, ପ୍ରାକୃତିକ ବିପର୍ଯୟ ବେଳେ ରାଜନୀତି ହୋଇନଥାଏ-

ବାତ୍ୟା ପରେ ଏବେ କଥା କଟାକଟି ଶାସକ ଓ ବିରୋଧୀ । ଆଜି ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଶାସକ ଦଳକୁ ଟାର୍ଗଟେ କରିଥିଲେ । ବିଜେଡି ମୁଖପାତ୍ର ଲେଖାଶ୍ରୀଙ୍କ ପ୍ରତିକ୍ରିୟାର ଜବାବ ରଖିଲା ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ବିଜେଡ଼ିକୁ କାଉଣ୍ଟର କରି କହିଛନ୍ତି, "ନବୀନଙ୍କ ବନ୍ଦନା କରିବା ବିଜେଡିର ବ୍ରତ । ପ୍ରାକୃତିକ ବିପର୍ଯୟ ବେଳେ ରାଜନୀତି ହୋଇନଥାଏ । ସରକାର ସଫଳ ପରିଚାଳନା କରିଛନ୍ତି । ବିଜେଡିର କିଛି ନେତା ନେତ୍ରୀ ହେଉଛନ୍ତି ହାବିଚୁଆଲ କମ୍ପ୍ଲେନାଣ୍ଟ । ନବୀନଙ୍କ ବନ୍ଦନା କରିବା ବିଜେଡିର ବ୍ରତ। ପ୍ରାକୃତିକ ବିପର୍ଯୟ ବେଳେ ରାଜନୀତି ହୋଇନଥାଏ । ସରକାର ସଫଳ ପରିଚାଳନା କରିଛନ୍ତି। ୟାସ ବାତ୍ୟା ବେଳେ କଣ ବିଜେଡି ସରକାର ଇଭାକ୍ୟୁସନ କରିନଥିଲେ, ସେତେବେଳେର ଶ୍ୱେତପତ୍ର ଦିଅନ୍ତୁ । ବିଜେଡି ସଭାପତି ବାତ୍ୟା ବେଳେ ନବୀନ ନିବାସରେ ତାଟି ଯାକିକି ଲୁଚନ୍ତି । ହେଲେ ଏବେ ମୁଖ୍ୟମନ୍ତ୍ରୀ କେମିତି ଲୋକଙ୍କ ସୁଖ ଦୁଃଖ ବୁଝୁଥିଲେ । ପୂରା ଆକ୍ଟିଭ ଥିଲେ । ନବୀନ କେବେ ଏମିତି କରିନାହାନ୍ତି । ଆମେ ଲୋକଙ୍କ ସହ ଅଛୁ ଏବେ ବି ସୁଖ ଦୁଃଖ ବୁଝୁଛୁ। ପୂର୍ବ ବାତ୍ୟାରେ ମୃତ୍ୟୁ ବରଣ ଘଟିଛି କିନ୍ତୁ ଚିତ୍ରଗୁପ୍ତ ଏହାକୁ ଚପେଇଦେଇ ଜିରୋ କାଜୁୟାଲିଟି କଥା କହୁଥିଲେ ।"

ABOUT THE AUTHOR

...view details