ଭୁବନେଶ୍ବର: ଆକ୍ଟିଭ ମୋଡ୍ରେ ଅଛନ୍ତି ରାଜ୍ୟ ସରକାର । ମହାପ୍ରଭୁଙ୍କ ପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ସାହାଣମେଲା ବୋଲି କହିଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଯିଏ ଯେତେବେଳେ ଚାହିଁବ, ଦେଖା କରିପାରିବ । ସଚିବ ଓ ଅଧିକାରୀଙ୍କ ସ୍ବଭାବ ଓ ବ୍ୟବହାର ବଦଳିବାରେ ଲାଗିଲାଣି । ସେହିପରି ତାଙ୍କୁ ମିଳିଥିବା 'ବାହୁବଳୀ' ନାଁ ପାଇଁ ସେ ବହୁତ ଖୁସି ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
Prasant Jagdev Reaction (ETV Bharat Odisha) ଖୋର୍ଦ୍ଧା ବିଧାୟକ କହିଛନ୍ତି, "ସରକାର ଆକ୍ଟିଭ ଅଛନ୍ତି । ସମସ୍ତେ ଜାଣିଛନ୍ତି ମୋଦିଙ୍କ ଷ୍ଟାଇଲ । ଏଠି ମନ୍ତ୍ରୀ ଓ ବିଧାୟକ ଯାହା ହେଲେ ବି ରିମୋଟ କଣ୍ଟ୍ରୋଲ ହେଉଛନ୍ତି ମୋଦି । ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଚାଲିବ । ମୋଦି ଯାହା କହିଛନ୍ତି, ତାହା ହୋଇଛି । ମୋଦି କହିଛନ୍ତି ଓଡ଼ିଶା ୧ ନମ୍ବର ରାଜ୍ୟ ହେବ, ତାହା ହେବ । ଓଡିଶା ୧ ନମ୍ବର ରାଜ୍ୟ ହେବା ଲାଗି ଅସୁବିଧା ନାହିଁ । ଓଡିଶା ଧନୀ । କିନ୍ତୁ ଓଡ଼ିଆ ଗରିବ । ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର । କେନ୍ଦ୍ରୀୟ ସରକାର ଆମକୁ ସେ ସହଯୋଗ ଦେବ ।"
ସେ ଆହୁରି କହିଛନ୍ତି, "ସବୁଠାରୁ ବଡ଼ କଥା ହେଉଛି ଲୋକସେବା ଭବନକୁ ଗଣମାଧ୍ୟମ ଆସିପାରୁନଥିଲା । ବ୍ଲକ ଓ ତହସିଲକୁ ଜନସାଧାରଣଙ୍କୁ ରୋକ ଲାଗିଥିଲା । ଅଫିସର ରାଜ ଆଜି ଧ୍ବଂସ ହୋଇଯାଇଛି । ଏହା ହେଉଛି ବିଜେପି ସରକାରର ବଡ଼ ସଫଳତା । କାମ କଣ ହେବ ପର କଥା, ଏବେ ସବୁଆଡେ ସାହାଣମେଲା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଗନ୍ନାଥ ମନ୍ଦିର ସାହାଣମେଲା ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ସାହାଣମେଲା । ଯିଏ ଯେତେବେଳେ ଚାହିଁବେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିପାରିବେ । ସଚିବ ଓ ଅଧିକାରୀଙ୍କୁ ମୋଡ଼ ବଦଳି ଗଲାଣି । ବ୍ୟବହାର ଓ ଚାଲି ଚଳଣୀ ବଦଳିଛି । ସବୁ କିଛି ଧଡ଼ାଧଡ଼ ବଦଳିବାରେ ଲାଗିଛି । ଏହାକୁ ନେଇ ଆମେ ଖୁସି । ପ୍ରଶାସନ ଓ ଶାସନ ଏକାଠି ହୋଇ କାର୍ଯ୍ୟ କରିବେ ।"
ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି, "ମୁଖ୍ୟ ଶାସନ ସଚିବ କହୁଛନ୍ତି ଅଫିସରମାନେ ହେଉଛନ୍ତି ଢିଙ୍କି । ଶାସକ ଯେମିତି କୁଟିବ, ଚାଉଳ ସେମିତି ବାହାରିବ । ସ୍ବର୍ଗତ ନେତା ପ୍ୟାରୀ ମୋହନ ମହାପାତ୍ର ଘୋଡ଼ା ଓ ସବାର କଥା କହୁଥିଲେ । ସବାର ଠିକ ଥିଲେ, ଘୋଡ଼ା ଚାଲିବ । ସବାର ଟିକେ ଦୁର୍ବଳ ହେଲେ ଘୋଡା ଫୋପାଡ଼ି ଦେବ । ବିଜେପିରେ ସବୁ ଖୋଲା ଓ ବିଜେଡିରେ ସବୁ ବନ୍ଦ । ବିଜେଡି ପାର୍ଟି ଅଫିସକୁ କେହି ଯିବେନାହିଁ । ମାଛି ଉଡିବ ନାହିଁ । ଯିଏ ଯିବେ ଲୁଚି ଛପିକି ଯିବେ । ବିଜେପିରେ ଟିକଟ ପାଇଁ ଭଙ୍ଗାଭାଙ୍ଗି କଲେ । ମୁଁ ଯାଇ ବିଜେପି ସଭାପତିଙ୍କୁ ଏନେଇ କହିଲି, ସେ କହିଲେ ଆମ କର୍ମୀ ଯାହା ଭାଙ୍ଗୁଛନ୍ତି ଭାଙ୍ଗନ୍ତୁ । ତୁମେ ପାରିବ ଯଦି ଯାଇ ତାଙ୍କୁ ପାଣି ପିଆଇ ଥଣ୍ଡା କର । ଏତେ ଭଙ୍ଗାରୁଜା ହେଲା । ପୋଲିସ ଉପସ୍ଥିତ ରହିଲା । କାହାକୁ ନଛୁଇଁବାକୁ ପୋଲିସକୁ କୁହାଗଲା । ସେପଟେ ଶଙ୍ଖ ଭବନରେ ଲୋକ ନାହାନ୍ତି, କିନ୍ତୁ ପୋଲିସ ଛାଉଣୀ । ଏହା ହେଉଛି ଉଭୟ ଦଳ ମଧ୍ୟରେ ପ୍ରଭେଦ ।"
ଏହା ମଧ୍ୟ ପଢ଼ନ୍ତୁ...ରେଗୁଲାର ଜାମିନରେ ଗଲେ ଖୋର୍ଦ୍ଧା ବିଧାୟକ, ପୂର୍ବରୁ ମିଳିଥିଲା ଅନ୍ତରୀଣ ଜାମିନ - MLA Prasanta Kumar Jagadev
ମୋତେ କେବେ କୌଣସି ଅଫିସର ଖରାପ ବ୍ୟବହାର କରିନାହାନ୍ତି ବୋଲି କହିଛନ୍ତି ଜଗଦ୍ଦେବ । ଯିଏ କରିଛି, ସେଇଠି କାମ ବଢ଼େଇ ଦେଇଛି ବୋଲି ସେ କହିଛନ୍ତି । ଯେଉଁଥିପାଇଁ ତାଙ୍କୁ ବାହୁବଳୀ ଆଖ୍ୟା ମିଳିଥିବା କହିଛନ୍ତି । ସେ ସେ କହିଛନ୍ତି, "୯୯ ପ୍ରତିଶତ ଅଫିସର ମୋତେ ଭଲ ବ୍ୟବହାର କରନ୍ତି । ମୁଁ ତାଙ୍କୁ ସମ୍ମାନ ଦେଇ କାର୍ଯ୍ୟ କରିଛି । ବେଗୁନିଆ ଓ ଚିଲିକାରେ ୨ ହଜାର କୋଟି ଲେଖାଏଁ କାର୍ଯ୍ୟ କରିଛି । ସଚିବାଳୟରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ମୋତେ ସମସ୍ତେ ସହଯୋଗ କରିଛନ୍ତି । ମୁଁ ଜନ୍ମରୁ ବାହୁବଳୀ । ଏହା ମୋ ଡିଏନ୍ଏରେ ରହିଛି । ଜୀବନରେ ଭାବିଥିଲି ବିଧାୟକ ହେବି । ମୁଁ ମାୟା ନୁହେଁ, ଦଣ୍ଠା ବିଧାୟକ ହେବି ବୋଲି ଭାବିଥିଲି । ବାହୁବଳୀ ଆଗରୁ ନଥିଲେ, ମୁଁ ହେଲି । ସେଥିପାଇଁ ମୁଁ ବହୁତ ଖୁସି । ମୋବାଇଲରେ ବାହୁବଳୀ ମାରିଲେ ମୁଁ ଆସୁଛି । ଏହା ଖୋର୍ଦ୍ଧାର ଗର୍ବ ଓ ଗୌରବ । ମୋ ଦେହରେ ଶିହରଣ ସୃଷ୍ଟି ହେଉଛି । ବେଗୁନିଆରେ ରାଜନୀତି କରିବା ସମୟରେ ମୁଁ ରାଜନୈତିକ କର୍ମୀ ଥିଲି । ଚିଲିକାରେ ରାଜନୈତିକ ସୈନ୍ୟ ହୋଇଥିଲି । ଖୋର୍ଦ୍ଧାରେ ସିଭିଲିଆନ ସୈନିକ ହୋଇଯାଇଛି । ଅହଂକାର ଓ ସ୍ବାର୍ଥ ଶୂନ୍ୟ ସେବା ପ୍ରଦାନ କରିବା ମୋ ଲକ୍ଷ୍ୟ । ମିଡିଆ ମୋତେ ହିରୋ କରି ଦେଇଛି ।"
ଇଟିଭି ଭାରତ, ଭୁବନେଶ୍ବର