ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ବିତିଲାଣି 2 ବର୍ଷ । ସିବିଆଇ ତଦନ୍ତ ନେଇ ଦାବି ଜୋର ଧରିଛି । ହତ୍ୟାକାଣ୍ଡରେ ବହୁ ଲୋକଙ୍କ ସଂଶ୍ଲିଷ୍ଟ ଅଭିଯୋଗ କରି ଆସୁଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ତେଣୁ 2 ବର୍ଷ ହେବ ଘଟଣାରେ ସିବିଆଇ ତଦନ୍ତ ଦାବି ଦୋହରାଇ ଆସୁଛନ୍ତି ଜୟ । ପରିବାର ଲେଖିକି ଦେଲେ ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ମୁଁ ଅନୁରୋଧ କରିବି ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ କହିଛନ୍ତି ।
'ନବଙ୍କ ପରିବାର ଲେଖିକି ଦେଲେ ମୁଁ ସରକାରଙ୍କୁ ଅନୁରୋଧ କରିବି'
ବିଜେପି ବିଧାୟକଜୟ ନାରାୟଣ ମିଶ୍ର କହିଛନ୍ତି, "ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ନିହାତି ହେବାର ଆବଶ୍ୟକତା ରହିଛି । ଯେତେବେଳେ ନବ ଦାସଙ୍କ ପରିବାର ଲୋକ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି, ତାହାଲେ ସିବିଆଇ ତଦନ୍ତ ଛଡା ଅନ୍ୟ କିଛି ବିକଳ୍ପ ଆଉ ନାହିଁ । ଏଥିପାଇଁ ଲେଖିକି ଦେବା ଲାଗି ନବ ଦାସଙ୍କ ପରିବାର ଲୋକ ରାଜି ହେଲେଣି । ନବ ଦାସଙ୍କ ପତ୍ନୀ, ଝିଅ ଓ ପୁଅ ଲେଖିକି ଦେବେ । ତିନି ଜଣ ଲେଖିକି ଦେଲେ ମୁଁ ସରକାରଙ୍କ ପାଖରେ ଅନୁରୋଧ କରିବି । ସରକାରଙ୍କ ଆଗରେ ସିବିଆଇ ତଦନ୍ତ ଦାବି କରିବି । ସରକାର ନିଶ୍ଚୟ ଏହାକୁ ଗ୍ରହଣ କରିବେ ।"
'ସିବିଆଇ ତଦନ୍ତ ପାଇଁ ଦାବି ପୂର୍ବରୁ ଦାବି କରିଛୁ'
ସେ ଆହୁରି ମଧ୍ୟ କହିଛନ୍ତି, "ନବ ଦାସଙ୍କ ହତ୍ୟା ଘଟଣା ବେଳୁ ଆମେ ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଛୁ । କାରଣ ତତ୍କାଳୀନ ବିଜେଡି ସରକାରର ବହୁ ମୁଣ୍ଡ ଏଥିରେ ସମ୍ପୃକ୍ତ । ତେଣୁ ରାଜ୍ୟ ସରକାରଙ୍କ ସଂସ୍ଥା ଦ୍ୱାରା ତଦନ୍ତ ଲୋକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ । ବିଜେଡି ସରକାର ବଦଳି ବିଜେପି ସରକାର ଆସିଛି । କିନ୍ତୁ ରାଜ୍ୟ ସରକାରଙ୍କ ସଂସ୍ଥା ଦ୍ୱାରା ବା କ୍ରାଇମବ୍ରାଞ୍ଚ ଦ୍ୱାରା ପୁନଃ ତଦନ୍ତର ସ୍କୋପ୍ ନାହିଁ । ଯଦି ରାଜ୍ୟ ସରକାରଙ୍କ ସଂସ୍ଥା ଦ୍ୱାରା ତଦନ୍ତରେ ଲୋକେ ସନ୍ତୁଷ୍ଟ ନୁହନ୍ତି, ତାହାଲେ ଅନ୍ୟ ଏକ ସଂସ୍ଥା ଦ୍ୱାରା ତଦନ୍ତ ହସ୍ତାନ୍ତର ହୋଇପାରିବ । କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନହେଲେ ସିବିଆଇ ତଦନ୍ତକୁ ଯାଇ ହେବ। ନବ ଦାସଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ହେଲେ, ଓଡି଼ଶା ପୋଲିସର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ହେବନାହିଁ । ଏହା ଭାରତବର୍ଷର ଆଇନ ବ୍ୟବସ୍ଥାର ନିୟମ । ଯେଉଁ ତଦନ୍ତ ରାଜ୍ୟ ସରକାର ପାରିବେ ନାହିଁ, ତାହା କେନ୍ଦ୍ର ସରକାରଙ୍କ ସଂସ୍ଥା କରିବ । ଭାରତର ସମ୍ବିଧାନରେ ଏହି ନିୟମ ରହିଛି । ମୋତେ ଓଡ଼ିଶା ସରକାରଙ୍କ ଆଡ଼ଭୋକେଟ୍ ଜେନେରାଲ କହିଛନ୍ତି ।"