ବଲାଙ୍ଗୀର:ଟିଟିଲାଗଡ଼ ବିଧାନସଭା ଆସନ ବିଜେଡି ମନ୍ତ୍ରୀଙ୍କ ଗଡ଼ କୁହାଯାଉଥିବା ବେଳେ ଏଠାରେ ପଦ୍ମ ଧରିଲେ ଶତାଧିକ ବିଜେଡି ନେତା ଓ କର୍ମୀ । ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୁଡ଼ଭେଳା ବ୍ଲକରେ ବିଜେପି ଦଳ ତାର ଶକ୍ତି ପ୍ରଦର୍ଶନ କରିଛି । ଯେଉଁଥିରେ ବର୍ତ୍ତମାନ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା ଅଧ୍ୟକ୍ଷତା କରିଥିଲେ । ଗୁଡଭେଳା ବ୍ଲକ ଜିଲ୍ଲାର ସବୁଠୁ ପଛୁଆ ଅଞ୍ଚଳ । ଏଠାରେ ପରିବର୍ତ୍ତନର ଆବଶ୍ୟକ ବୋଲି କହିଛନ୍ତି ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା ।
ଗୁଡ଼ଭେଳା ବ୍ଲକର ବିଭିନ୍ନ ଗ୍ରାମକୁ ଏକ ବିଶାଳ ଶୋଭା ଯାତ୍ରା ଦଳ ପକ୍ଷରୁ କରାଯାଇଥିଲା । ସେହିପରି ସ୍ଥାନୀୟ ଜାମୁଟ ଗ୍ରାମରେ ବକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏହି ଅଞ୍ଚଳର ଏକାଧିକ ସରପଞ୍ଚ, ୱାର୍ଡ ମେମ୍ବର ସହ 65 ଜଣ ବିଜେଡି ନେତା ବିଜେପିରେ ସାମିଲ ହୋଇଥିଲେ । ସେହିପରି କଂଗ୍ରେସ ଦଳର ମଧ୍ୟ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ତେବେ ସ୍ଥାନୀୟ ବିଜେପି ନେତା ତଥା ପୂର୍ବତନ ବିଜେପି ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଅଶୋକ ଦୋରା କହିଛନ୍ତି, "ଏହା ସେବା ଓ ଲୋକଙ୍କ ସହିତ ରହିବାର କାମ ଅଟେ । ଯାହା ବିଜେପି ଦଳ କରୁଛି ଓ ସମସ୍ତଙ୍କ ସୁଖ ଦୁଃଖର ସାଥି ହୋଇ ଅଞ୍ଚଳର ବିକାଶ ପାଇଁ ଆଗକୁ ଆସିଛି । ଗୁଡ଼ଭେଳା ଅଞ୍ଚଳ ଜିଲ୍ଲାର ସବୁଠୁ ପଛୁଆ ଅଞ୍ଚଳ ହୋଇଥିବା ବେଳେ ଏଠି ଦାଦନ ସମସ୍ୟା, ଜଳସେଚନର ଅଭାବ ଶିକ୍ଷା ସ୍ବାସ୍ଥ୍ୟ ସବୁ ଥିରେ ଏହି ଅଞ୍ଚଳ ଏବେ ବି ପଛୁଆ ଅଛି ।"