ଓଡିଶା

odisha

ETV Bharat / politics

ଯୋଡି ଶଙ୍ଖ ଭିଡିଓ ହଜାଇଲାଣି ଧର୍ମେନ୍ଦ୍ରଙ୍କ ନିଦ: ବିଜେଡି - Lungi Politics

Lungi Politics: ରାଜ୍ୟରେ ଏବେ ଜୋର ଧରିଛି ଲୁଙ୍ଗି ରାଜନୀତି । ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖର ଭିଡିଓକୁ ନେଇ ଧର୍ମେନ୍ଦ୍ରଙ୍କ ସମାଲୋଚନା ପରେ ଲୁଙ୍ଗି ପିନ୍ଧି ପ୍ରେସମିଟ୍‌ କଲେ ବିଜେଡି ମୁଖପାତ୍ର । ଅଧିକ ପଢ଼ନ୍ତୁ

Lungi Politics
Lungi Politics

By ETV Bharat Odisha Team

Published : Apr 23, 2024, 9:22 PM IST

Lungi Politics

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇ ନାହାନ୍ତି । କିନ୍ତୁ ସମ୍ବଲପୁରୀ ଲୁଙ୍ଗି ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖର ଭିଡିଓ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଯୋଡି ଶଙ୍ଖ ଭିଡିଓ ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ନିଦ ହଜିଯାଇଛି ବୋଲି ବିଜେଡି କହିଛି । ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖର ଭିଡିଓ ଇନଷ୍ଟାଗ୍ରାମରେ ୨୪ ଘଣ୍ଟା ଭିତରେ ୪ ନିୟୁତ ଲୋକ ଦେଖିସାରିଲେଣି । ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକପ୍ରିୟତା ବିରୋଧୀ ଦଳର ନେତା ଖାସ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଈର୍ଷାନ୍ବିତ କରିଦେଇଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡଃ ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ରାଜ୍ୟର ବୁଣାକାରଙ୍କୁ ସମର୍ଥନ କରି ସମ୍ବଲପୁରୀ ଲୁଙ୍ଗି ପିନ୍ଧି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ମୁଖପାତ୍ର ।

ଲୁଙ୍ଗି ପଲିଟିକ୍ସ

ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି, "ସ୍ବାଭାବିକ ବିଜେଡି କରୁଥିବା ସାମ୍ବାଦିକ ସମ୍ମିଳନୀ ଓ ଆଜି ମଧ୍ୟରେ ଟିକେ ଫରକ ରହିଛି । ଯାହା ସମସ୍ତେ ଅନୁଭବ କରୁଛନ୍ତି । ଏହି ଫରକ ପଛରେ ସାଢ଼େ ୪ କୋଟି ଓଡିଶାବାସୀଙ୍କୁ କିଛି ବାର୍ତ୍ତା ଦେବାକୁ ଆମେ ପ୍ରୟାସ କରିଛୁ । ଆସନ୍ତାକାଲିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି । ହିଞ୍ଜିଳିରୁ ସେ ପ୍ରଚାର ଅଭିଯାନ ଆରମ୍ଭ କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ଯୋଡି ଶଙ୍ଖର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ମୁଖ୍ୟମନ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ କିଛି ବିରୋଧୀ ଦଳର ନେତାଙ୍କର ବଦହଜମି ଆରମ୍ଭ ହୋଇଗଲାଣି । ଯୋଡି ଶଙ୍ଖର ଭିଡିଓ ଦେଖି ସେମାନଙ୍କର ରାତିର ନିଦ ହଜିଗଲାଣି । କାରଣ ଉକ୍ତ ଭିଡିଓ ଅପଲୋଡ୍‌ ହେବାର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ୪୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ମୁଖ୍ୟମନ୍ତ୍ରୀଙ୍କର ଏହି ଲୋକପ୍ରିୟତା ବିରୋଧୀ ଦଳର ନେତା ଧର୍ମେନ୍ଦ୍ର ପ୍ରଧାନଙ୍କର ଈର୍ଷାନ୍ବିତ କରୁଛି ।"

ଲୁଙ୍ଗି ପଲିଟିକ୍ସ

ସେ ଆହୁରି କହିଛନ୍ତି, "ଈର୍ଷା ଓ କ୍ରୋଧରେ ଧର୍ମେନ୍ଦ୍ର ନିଜର ହିତାହିତ ଜ୍ଞାନ ହରେଇଛନ୍ତି । ମୁଖ୍ୟମନ୍ତ୍ରୀ ଗତକାଲି ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଆଗକୁ ନିର୍ବାଚନ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଉପରକୁ ଉପରକୁ ବଢି ଚାଲିବା ତାଙ୍କୁ ଡରାଉଛି । ଅନ୍ୟ କିଛି ବାଟ ଓ ପ୍ରସଙ୍ଗ ନପାଇ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଲୁଙ୍ଗି କଥା ଉଠାଇଛନ୍ତି । ଆମ ସଂସ୍କୃତି ଓ ପରମ୍ପରାକୁ ସେ ଅପମାନିତ କରିଛନ୍ତି । ଲୁଙ୍ଗି ବୁଣୁଥିବା ହଜାର ହଜାର ବୁଣାକାର ଓ ଲୁଙ୍ଗି ପିନ୍ଧୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅପମାନିତ କରିଛନ୍ତି । କାରଣ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ଆଖପାଖରେ କୌଣସି ବିରୋଧୀ ଦଳର ନେତା ନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...୨୪ରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ, ଧରିବେ ପ୍ରଚାର ମଙ୍ଗ - CM NAVEEN PATNAIK

ସେହିପରି ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ସମ୍ବଲପୁରୀ ଲୁଙ୍ଗି ବନେଇବାରେ ଶହ ଶହ ବୁଣାକାରଙ୍କର ଚେଷ୍ଟା ଓ ପ୍ରଚେଷ୍ଟା ରହିଛି । ରାଜ୍ୟରେ ବୁଣାକାରଙ୍କର ପରିଚୟ ଦେଶ ଓ ବିଦେଶରେ ରହିଛି । ରାଜ୍ୟରେ ବୁଣାକାର ମାନଙ୍କର ଏକ ସଶକ୍ତ ଅର୍ଥନୀତି ରହିଛି । ସେମାନଙ୍କର ଉତ୍ପାଦ ବେଶ ଲୋକପ୍ରିୟ । ଯାହାର ବେଶ ଚାହିଦା ମଧ୍ୟ ରହିଛି । ଏହି ସଶକ୍ତ ଅର୍ଥନୀତି ଉପରେ ଆଘାତ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ କରିଛନ୍ତି । ସାରା ଓଡିଶାରେ ଖାସ କରି ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ଆଜି ବି ଲୁଙ୍ଗି ପିନ୍ଧନ୍ତି । ସେହି ଲୁଙ୍ଗିକୁ ଓଡିଶାର ବୁଣାକାରମାନେ ତିଆରି କରନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ଲୁଙ୍ଗି ପିନ୍ଧିଥିଲେ ତାହା ହେଉଛି ସମ୍ବଲପୁରୀ ଲୁଙ୍ଗି । ଯାହା ପଛରେ ଅନେକ ବୁଣାକାରଙ୍କ ପରିଶ୍ରମ ଥିଲା । ଧର୍ମେନ୍ଦ୍ର ପ୍ରଧାନ ଓଡିଶା ବାହାରେ ବହୁ ବର୍ଷ ଧରି ରହିଛନ୍ତି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ଅନେକ ସମୟ ତାଙ୍କର କଟିଛି । ସେଥିପାଇଁ ଓଡିଶାର ପରମ୍ପରା, ସଂସ୍କୃତି ଏବଂ ଅର୍ଥନୀତିକୁ ବୁଣାକାର ଭାଇ ଭଉଣୀଙ୍କ ଅବଦାନକୁ ସେ ଭୁଲି ଯାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଲକ୍ଷ ଲକ୍ଷ ବୁଣାକାର, ଓଡିଶାବାସୀ ଖାସ କରି ସମ୍ବଲପୁରବାସୀଙ୍କ ପାଖରେ ସେମାନଙ୍କ ପରମ୍ପରାକୁ ଅପମାନିତ କରିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details