ଭୁବନେଶ୍ବର:ନବୀନ ନିବାସରେ ଆଜି(ଗୁରୁବାର)ସନ୍ଧ୍ୟାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଚଳିତ ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀ ବୈଠକରେ ହୋଇଥିଲେ ସାମିଲ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ପରାଜୟର ସମୀକ୍ଷା ବୈଠକ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଏକ ବଡ଼ ବ୍ୟବଧାନରେ ପରାଜୟ ବରଣ କରିଛି । ଫଳରେ ବିଜେଡି କ୍ଷମତା ରାଜନୀତିରୁ ଅପସରି ଯାଇଛି । ଖାଲି ସେତିକି ନୁହେଁ ଚଳିତ ନିର୍ବାଚନରେ ବିଜେଡି ସାଂସଦ ପ୍ରାର୍ଥୀ ଖାତା ଖୋଲି ପାରି ନାହାନ୍ତି ।
ବିଜେଡି ଗଠନ ପରଠାରୁ ଚଳିତ ନିର୍ବାଚନ ଏପରି ଘଟଣା ପ୍ରଥମ ଥର ହୋଇଛି । ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେଡିରେ ଫାଟ ଜଳଜଳ ହୋଇ ଦିଶୁଛି । ଏହାକୁ ପ୍ରଶମିତ କରିବା ଲାଗି ନବୀନ ଡାକୁଛନ୍ତି ବୈଠକ । ଗତକାଲି ବିଜୟ ହୋଇଥିବା ବିଧାୟକଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଥିଲେ ନବୀନ । ସେହିପରି ଆଜି ପରାଜିତ ହୋଇଥିବା ସାଂସଦ ଓ ବିଧାୟକଙ୍କ ବୈଠକ ଡାକି ନବୀନ ସିଧାସଳଖ ଆଲୋଚନା କରିଛନ୍ତି । ବୈଠକରେ ବିଜେଡିର ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ପ୍ରଦୀପ ମାଝୀ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ସଂତୃପ୍ତ ମିଶ୍ର, ଲମ୍ବୋଦର ନିଆଲ, ଅବିନାଶ ସାମଲ, ରଞ୍ଜିତା ସାହୁ, ସୁଦାମ ମାରାଣ୍ଡି, ମନ୍ମଥ ରାଉତରାୟ ଓ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ସହ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁର, କୌଶଲ୍ୟା ପ୍ରଧାନ, ସୁବ୍ରତ ତରାଇ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡାଇ, ପଦ୍ମନାଭ ବେହେର ଏବଂ ବିଷ୍ଣୁବ୍ରତ ରାଉତରାୟ ପ୍ରମୁଖ ଥିଲେ । ସେହିପରି ବିକ୍ରମ କେଶରୀ ଆରୁଖ, ଶ୍ରୀକାନ୍ତ ସାହୁ, ପ୍ରଭୁ ଜାନି, ବିକ୍ରମ ପଣ୍ଡା, ସୁବାସ ବେହେରା, ଅଶୋକ ପଣ୍ଡା, ସୁଶାନ୍ତ ବେହେରା ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।