ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନକୁ ନେଇ ସରକାରଙ୍କ ଠାରୁ ନେଇ ବିରୋଧୀଙ୍କ ପର୍ଯ୍ୟନ୍ତ ପ୍ରସ୍ତୁତି ଜୋରଦାର ହୋଇଛି । ଅଧିବେଶନ ପୂର୍ବରୁ ଆଜି (ବୁଧବାର) ଅପରାହ୍ନରେ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବିରୋଧୀ ଦଳ ଭାବେ ଓଡ଼ିଶାବାସୀଙ୍କ ଆକ୍ରୋଶକୁ ବିଧାନସଭାରେ ବିଜେଡି ଉପସ୍ଥାପନ କରିବା ନେଇ ବୈଠକରେ ଆଲୋଚନା ହୋଇଛି ।
ବିରୋଧୀ ଦଳ ଦାୟିତ୍ୱ ତୁଲାଇବ ବିଜେଡି:
ଏନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ଓଡ଼ିଶାର ରାଜନୀତି ଇତିହାସରେ ବିଜେଡି ଶକ୍ତିଶାଳୀ ରାଜନୈତିକ ବିରୋଧୀ ଦଳ । ପୂର୍ବରୁ କୌଣସି ବିରୋଧୀ ଦଳରେ 51 ଜଣ ବିଧାୟକ ନିର୍ବାଚିତ ହୋଇ ବିଧାନସଭା ଆସିନାହାନ୍ତି । ବିରୋଧୀ ଦଳ ଭାବେ ବିଜେଡିର ଦୃଢ଼ ଭୂମିକା ରହିଛି । ଓଡ଼ିଶାର ଜନସାଧାରଣଙ୍କ ପ୍ରତି ଅନେକ କର୍ତ୍ତବ୍ୟ ରହିଛି । 24 ବର୍ଷ ଆମେ ଶାସନରେ ଥିଲୁ । ସେହି ସମୟରେ ଜନସାଧାରଣଙ୍କ ପ୍ରତି ଥିବା ଦାୟିତ୍ୱ ତୁଲାଇବା ପାଇଁ ଚେଷ୍ଟା କରିଛୁ । ବିରୋଧୀ ଭାବେ ମଧ୍ୟ ସେହି ଦାୟିତ୍ୱ ତୁଲାଇବା ଲାଗି ଚେଷ୍ଟା କରୁଛୁ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିରୋଧୀ ଦଳ ଭାବେ ଓଡିଶାବାସୀଙ୍କ ସେବା କରିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ।"
'ମନ୍ତ୍ରୀମାନଙ୍କ ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ':
ସେ ଆଉ ମଧ୍ୟ କହିଛନ୍ତି, "ବିଜେପି ସରକାରରେ ବିଗତ 9 ମାସରେ ଓଡିଶା ବିଭିନ୍ନ କ୍ଷେତ୍ରରେ ନିମ୍ନଗାମୀ ହୋଇଛି । ଏହା ବିରୋଧୀ ଦଳ ସମେତ ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ବହୁ ପ୍ରତିଶ୍ରୁତି ଓ ସ୍ୱପ୍ନ ଦେଖାଇ ବିଜେପି ସରକାରକୁ ଆସିଛି । ଓଡିଶାବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । ଡବଲ ଇଞ୍ଜିନ ସରକାର ଆସିଲେ, ଓଡିଶାର ବିକାଶ ଡବଲ ହେବ । ଓଡ଼ିଶାର ପ୍ରଗତୀର ବେଗ ଦୁଇ ଗୁଣ ହେବ । ଦୁଃଖ, ପରିତାପ ଓ ଆଶ୍ଚର୍ଯ୍ୟର କଥା ଯେ, ଡବଲ ଇଞ୍ଜିନ ସରକାରର ଅଧା ଇଞ୍ଜିନ ଆଜି କାମ କରୁନାହିଁ । ଓଡ଼ିଶାର ପ୍ରଗତି ନିମ୍ନଗାମୀ ଅବସ୍ଥାକୁ ଆସିବା ଆରମ୍ଭ ହୋଇଛି । ସରକାରରେ ସମନ୍ୱୟ ନାହିଁ । ସକାଳେ ଓ ସନ୍ଧ୍ୟାରେ ମନ୍ତ୍ରୀଙ୍କ ମତ ଓ ମତାମତ ବଦଳୁଛି । ମନ୍ତ୍ରୀମାନଙ୍କ ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ କିମ୍ବା କୌଣସି ନେତୃତ୍ୱ ନାହିଁ । ଏଭଳି ପରିସ୍ଥିତିରେ ବିଧାନସଭା ଆରମ୍ଭ ହେଉଛି ।"