ରାଉରକେଲା: ରାଜ୍ୟରେ ବଢିଲାଣି ରାଜନୈତିକ ଉଷ୍ମତା । ନିର୍ବାଚନର ପାଖେଇବା ସାଙ୍ଗକୁ ପ୍ରଚାରରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ସେପଟେ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଉରକେଲା ନିର୍ବାଚନ ମଣ୍ଡଳୀ । ଗତକାଲି(ମଙ୍ଗଳବାର) ବିଜେଡ଼ିର ବରିଷ୍ଠ ନେତା ସାରଦା ନାୟକ ରାଉରକେଲା ଆସି ପ୍ରଚାର କରି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖିବାକୁ ମିଳିଛି । ସାରଦା ନାୟକ ଏକ ବିଶାଳ ରାଲି କରି ରାଉରକେଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ରାଲିରେ ବହୁ ସଂଖ୍ୟାରେ ସାରଦାଙ୍କ ସମର୍ଥକ ମଧ୍ୟ ଆସି ଯୋଗ ଦେଇଥିବା ଦେଖିବାକୁ ମିଳିଛି ।
ରାଉରକେଲା ଆସନ ପାଇଁ ପ୍ରାର୍ଥୀ ଭାବରେ ପୁନଃ ସାରଦା ନାୟକଙ୍କୁ ଭରସା କରିଛି ବିଜେଡି । ପ୍ରାର୍ଥୀ ପତ୍ର ଘୋଷଣା ହେବା ପରେ ମନ୍ଦିର ଯାଇ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ସାରଦା ନାୟକ । ଗତକାଲି ରାଉରକେଲା ରେଳଷ୍ଟେସନ ହନୁମାନ ମନ୍ଦିର ଯାଇ ଦର୍ଶନ କରିବା ସହ ଲୋକଙ୍କ ସହ ସାକ୍ଷାତ ପରେ ପ୍ରଚାର ଆରମ୍ଭ କରିଛନ୍ତି । ରାଉରକେଲା ସହରରେ ବିଜେଡି ପକ୍ଷରୁ ଆୟୋଜନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଗତକାଲି ରାଉରକେଲାରେ ବିଜେଡି ଦଳର ଏକ ବୈଠକ ଆୟୋଜନ କରାଯାଇଛି । ଏହି ବୈଠକରେ ଜିଲ୍ଲାରେ ବିଜେଡିର କାର୍ଯ୍ୟକ୍ରମ ଏବଂ ନିର୍ବାଚନରେ ରଣନୀତି ନେଇ ଆଲୋଚନା ହୋଇଛି ।