ଭୁବନେଶ୍ବର/ସମ୍ବଲପୁର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ସମଗ୍ର ରାଜ୍ୟର ନଜର ଅଟକିଛି ସମ୍ବଲପୁର ଲୋକସଭା କ୍ଷେତ୍ରରେ । କାରଣ ଏଠାରେ ଏଥର ଦେଖିବାକୁ ମିଳିବ ହେଭିୱେଟ୍ଙ୍କ ମଧ୍ୟରେ ହାଇଭୋଲ୍ଟେଜ୍ ଲଢ଼େଇ । ବିଜେପି ହାତରେ ଥିବା ଏହି ଆସନରୁ ଏଥର ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡି ମଧ୍ୟ କଡ଼ା ଟକ୍କର ଦେବାକୁ ଓହ୍ଲାଇଛି ଦଳର ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ । ହେଲେ ସମ୍ବଲପୁର ଦଖଲ ନେଇ ଦୃଢୋକ୍ତି ବାଢ଼ିଛି ବିଜେଡି । ସମ୍ବଲପୁରରେ ଦଳ ଏକତରଫା ଭାବେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ଲେନିନ ମହାନ୍ତି କହିଛନ୍ତି, "କିଛି ଲୋକ ବାହସ୍ପଟ ମାରୁଛନ୍ତି । ସମ୍ବଲପୁରରେ ଯେଉଁ ଲଢେଇ ତାହା ଏକତରଫା ଲଢେଇ ଅଟେ । ପ୍ରଣବ ପ୍ରକାଶ ଦାସ ସାଂସଦ ଭାବେ ସମ୍ବଲପୁରରୁ ନିର୍ବାଚିତ ହେବେ । ଜୁନ ୪ରେ ସମସ୍ତେ ଜାଣିପାରିବେ । ସମ୍ବଲପୁରରେ ଯେଉଁ ଭଳି ଭାବରେ ଲୋକଙ୍କ ସମର୍ଥନ ରହିଛି ତାହା ଜଣାପଡ଼ୁଛି ସାରା ରାଜ୍ୟରେ ଏଭଳି ଲୋକଙ୍କ ଭଲ ପାଇବା ସମର୍ଥନ ରହିଛି। ବିଜେଡି ସବୁବେଳେ ଗ୍ରାଉଣ୍ଡରେ ଲୋକଙ୍କ ସହ ଅଛି । ସେଥିପାଇଁ ସଫଳ ଆଞ୍ଚଳିକ ରାଜନୈତିକ ଦଳ ଭାବେ ପରିଚୟ ପାଇଛି ।" ସେହିଭଳି ବାଲେଶ୍ଵର ଓ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ହେଭିୱେଟ ଲଢେଇ ନେଇ ପ୍ରତିକ୍ରିୟାରେ ସେ କହିଛନ୍ତି, "ହେଭିୱେଟଙ୍କ ପାଇଁ ଗାଦି ଦରକାର । କିନ୍ତୁ ବିଜେଡି ନେତା ଓ କର୍ମୀ ସବୁବେଳେ ଗ୍ରାଉଣ୍ଡରେ ଲୋକଙ୍କ ସହ ଅଛନ୍ତି । ଜୁନ ୪ରେ ସବୁ ଉତ୍ତର ମିଳିଯିବ । ଭୁବନେଶ୍ବରରେ ରହି ଯେଉଁମାନେ କହୁଛନ୍ତି ସେମାନେ ବାହାସ୍ପଟ ମାରୁଛନ୍ତି । ଅନେକ ଥର ବାହାସ୍ପଟ ଶୁଣିବାକୁ ମିଳେ, କିନ୍ତୁ ରେଜଲ୍ଟ ଦିନରେ ତାହା ପାଣି ଫୋଟକା ଭଳି ଫାଟିଯାଏ ।"