ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କାଦୁଅ ଫିଙ୍ଗା ରାଜନୀତି ଜୋର ଧରିଛି । ପ୍ରତିଦିନ ପରସ୍ପର ବିରୋଧରେ ନାନା ଅଭିଯୋଗ ଆଣୁଛନ୍ତି ବିଜେଡି ଓ ବିଜେପି । ଏହି କ୍ରମରେ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ କରି ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ପୁଣି ବର୍ଷିଛନ୍ତି ବିଜେଡି ସାଂସଦ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡଃ ସସ୍ମିତ ପାତ୍ର । ଢେଙ୍କାନାଳ, ଅନୁଗୋଳ ଓ ଦେବଗଡ଼ ଜିଲ୍ଲାରେ ଧର୍ମେନ୍ଦ୍ର ଗୋଟିଏ ବି ଜାତୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିନାହାନ୍ତି ବୋଲି କହିବା ସହିତ ନିଜ ଗାଁରେ ସ୍ମାର୍ଟ କ୍ଲାସରୁମଟିଏ ମଧ୍ୟ ନିର୍ମାଣ କରିପାରିନାହାନ୍ତି ବୋଲି କହି କଟାକ୍ଷ କରିଛନ୍ତି ସସ୍ମିତ । କେନ୍ଦ୍ରମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଉପରେ ମତ ରଖି ଏଭଳି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡଃ ସସ୍ମିତ ପାତ୍ର ।
ସସ୍ମିତ ପାତ୍ର କହିଛନ୍ତି, "ଢେଙ୍କାନାଳ ଓ ସମ୍ବଲପୁରବାସୀ ବାରମ୍ବାର ୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇଛନ୍ତି । ଏହା ସହିତ ଏହି ସଡକର ଅବସ୍ଥା ଅତ୍ୟନ୍ତ ବିପଜ୍ଜନକ ରହିଛି । ଶହ ଶହ ମୂଲ୍ୟବାନ ଜୀବନ ଯାଉଛି, ତାହା ଦର୍ଶାଇ ଆସୁଛନ୍ତି । ହେଲେ କେନ୍ଦ୍ରମନ୍ତ୍ରୀ ଏହି ସମସ୍ୟାର ସମାଧାନ କରିବାକୁ କିମ୍ବା ଏହି ପ୍ରସଙ୍ଗରେ କହିବାକୁ ମନା କରିଦିଅନ୍ତି । ଏବେ ସେ ସମ୍ବଲପୁରରୁ ନିର୍ବାଚନ ଲଢୁଛନ୍ତି ।" ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରକୁ କିଭଳି ସାମ୍ନା କରିବେ ସେ ନେଇ ପ୍ରଶ୍ନ କରିଛନ୍ତି ସସ୍ମିତ ।