ଭୁବନେଶ୍ୱର: 'ଜାନୁଆରୀରୁ ପୋଲାଭରମ ପ୍ରକଳ୍ପ ବିରୋଧରେ ହେବ ଜୋରଦାର ଆନ୍ଦୋଳନ । ମୋଟୁରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ହେବ ଆନ୍ଦୋଳନ ।' ମୁଁ ବି ଲଢ଼ିବି, ତୁମେ ବି ଶେଷ ଯାଏଁ ଲଢ଼ ବୋଲି ଆହ୍ୱାନ ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଏନେଇ ସୂଚନା ଦେଇଛନ୍ତି ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ।
ଜାନୁଆରୀରୁ ପୋଲାଭରମ ପ୍ରକଳ୍ପ ବିରୋଧରେ ଜୋରଦାର ଆନ୍ଦୋଳନ:
ପୋଲାଭରମ ପ୍ରକଳ୍ପ ବିରୋଧରେ ବିଜେଡି କରିବ ଜୋରଦାର ଆନ୍ଦୋଳନ । ପ୍ରକଳ୍ପକୁ ବିରୋଧ କରି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଯାଇ ବିଭିନ୍ନ କେନ୍ଦ୍ର ଅଧିକାରୀଙ୍କୁ ଭେଟିଥିଲେ । ବିଜେଡିର ଉକ୍ତ ପ୍ରତିନିଧି ମଣ୍ଡଳୀ ଆଜି (ଶନିବାର) ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି ।
ପ୍ରକଳ୍ପ ହେଲେ ମାଲକାନଗିରିର ଶତାଧିକ ଗ୍ରାମ ହେବ ସମ୍ପୂର୍ଣ୍ଣ ଜଳମଗ୍ନ:
ଏହି ରିପୋର୍ଟ ଅନୁଯାୟୀ ପୋଲାଭରମ ପ୍ରକଳ୍ପ ହେଲେ ମାଲକାନଗିରି ଜିଲ୍ଲାର ଶତାଧିକ ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହେବ । ଏନେଇ ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,"ବିଜେଡି ମାଲକାନଗିରି ଜିଲ୍ଲାର ସ୍ୱାର୍ଥରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବ ବୋଲି ଦଳର ମୁଖ୍ୟ ନବୀନ ପଟ୍ଟନାୟକ କହିଛନ୍ତି । ବିଜେଡି ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ ଭେଟିଥିବା ଅଧିକାରୀମାନଙ୍କ ଠାରୁ ଉତ୍ତର ଆସିବା ପରେ ବିଜେଡି ତାର କାର୍ଯ୍ୟକ୍ରମ ସ୍ଥିର କରିବ ବୋଲି ନବୀନ କହିଛନ୍ତି ।"
ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ନବୀନଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ନିରଞ୍ଜନ ବିଶି, ସୁବାଶିଷ ଖୁଣ୍ଟିଆ, ବିଧାୟକ ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝି, ମାନସ ମାଡକାମୀ, ଭୃଗୁ ବକ୍ସିପାତ୍ର, ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିଥିଲା ବିଜେଡି ଟିମ:
ବିଜେଡି ପ୍ରତିନିଧି ମଣ୍ଡଳୀ ଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲଙ୍କୁ ଭେଟିଥିଲେ । ଓଡ଼ିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ଶତାଧିକ ଗ୍ରାମ ଜଳମଗ୍ନ ହେବ ବୋଲି ବିଜେଡି ଟିମ ଉଲ୍ଲେଖ କରିଥିଲେ । ଏହା ସହିତ ଏହି ପ୍ରକଳ୍ପର କ୍ଷମତା ୩୬ ଲକ୍ଷ କ୍ୟୁସେକ ଜଳରୁ ଏକତରଫା ଭାବେ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯାଇ ଥିବାରୁ ଓଡିଶା ପାଇଁ ଏହି ବିପଦ ସୃଷ୍ଟି ହୋଇଛି । ଏହି କାରଣରୁ ଓଡିଶା ବାରମ୍ବାର ସ୍ୱର ଉତ୍ତୋଳନ କରି ଆସୁଥିଲେ ହେଁ ପ୍ରକଳ୍ପର ପଛୁଆ ପାଣି କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବେ ବୋଲି ସର୍ଭେ କରାଯାଉନାହିଁ ବୋଲି କହିଥିଲେ ଟିମ୍ ।
ବିଜେଡି ପ୍ରତିନିଧି ମଣ୍ଡଳୀ ଅଧ୍ୟକ୍ଷ କେନ୍ଦ୍ର ଜଳ କମିଶନ, ଆଦିବାସୀ ବ୍ୟାପାର ବିଭାଗର ସଚିବ, ପରିବେଶ ଓ ଜଙ୍ଗଲ ବିଭାଗର ସଚିବ ଓ ଜାତୀୟ ଜନଜାତି କମିସନଙ୍କୁ ମଧ୍ୟ ଭେଟି ପୋଲାଭରମ ପ୍ରକଳ୍ପ ହେଲେ ଓଡ଼ିଶାର ହେବାକୁ ଥିବା କ୍ଷତି ସମ୍ପର୍କରେ ଅବଗତ କରିଛନ୍ତି । ଜାତୀୟ ଜନଜାତି କମିଶନ ଏହି ପ୍ରସଙ୍ଗକୁ ଗୁରୁତର ସହିତ ନେଇ ସେ ଅତିଶୀଘ୍ର ପ୍ରଭାବିତ ହେବାକୁ ଥିବା ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ଥିତିର ଆକଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଅନ୍ୟ ଅଧିକାରୀମାନେ ମଧ୍ୟ ପ୍ରସଙ୍ଗକୁ ଗୁରୁତର ସହିତ ନେଇ ଓଡ଼ିଶାର ଆଶଙ୍କା ପ୍ରତି ବିଚାର କରାଯିବ ବୋଲି କହିଛନ୍ତି ।