ହାଇଦ୍ରାବାଦ: ଭାରତୀୟ ବାୟୁ ସେନା (IAF)ର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିବାକୁ ଯାଉଛନ୍ତି । ଆମେରିକୀୟ ସ୍ପେଶ ଏଜେନ୍ସି ନାସାର ଏକ ମିଶନ Ax-4ର ପାଇଲଟ ଭାବେ ସେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରରୁ ISSକୁ ଯାତ୍ରା କରିପାରିବେ । ଏ ନେଇ ଗୁରୁବାର ଆମେରିକୀୟ ସ୍ପେଶ ଏଜେନ୍ସି ଘୋଷଣା କରିଛି ।
ଏହା ଘୋଷଣା ହେବା ପରେ IAF ଗ୍ରୁପ କ୍ୟାପ୍ଟେନ ବେଶ ଖୁସି ବ୍ୟକ୍ତି କରିଥିବା ବେଳେ ତାଙ୍କ ମହାକାଶ ଯାତ୍ରା ସମୟରେ ସେ ଭାରତବାସୀଙ୍କ ସହିତ ନିଜର ଅନୁଭୂତିକୁ ସେୟାର କରିବେ ବୋଲି କହିଛନ୍ତି । ଏହାସହିତ ଦେଶକୁ ପ୍ରତିନିଧିତ୍ବ କରୁଥିବା କିଛି ସାମଗ୍ରୀକୁ ସେ ନିଜ ସାଥୀର ନେବେ ବୋଲି ଯୋଜନା କରୁଥିବା କହିଛନ୍ତି । ଏହାବାଦ ମହାକାଶରେ ଯୋଗାସନ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ପ୍ରଥମେ ଆସନ୍ତୁ ଜାଣିନେବା ଶୁଭାଂଶୁ ଶୁକ୍ଲାଙ୍କ ସମ୍ପର୍କରେ ।
କିଏ ଶୁଭାଂଶୁ ଶୁକ୍ଳା ?
ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ଲାଗି ଆକ୍ସିଓମ ମିଶନ4 (Axiom Mission 4)ର ପାଇଲଟ ଭାବେ ତାଙ୍କୁ ଚୟନ କରାଯାଇଛି । ସେ ପ୍ରଥମ ଭାରତୀୟ ଯିଏକି ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ଯିବେ । ଶୁଭାଂଶୁଙ୍କ ଜନ୍ମ 1985 ମସିହା ଅକ୍ଟୋବର 10 ତାରିଖରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ହୋଇଥିଲା । ଜୁନ 2006ରେ ଭାରତୀୟ ବାୟୁ ସେନାରେ ଫାଇଟର ପାଇଲଟ ଭାବରେ ସେ ଯୋଗଦାନ କରିଥିଲେ । ମାର୍ଚ୍ଚ 2024ରେ ତାଙ୍କୁ ଗ୍ରୁପ କ୍ୟାପ୍ଟେନ ଦାୟିତ୍ବ ଦିଆଯାଇଥିଲା । ସେ Su-30 MKI, MiG-21, MiG-29, Jaguar, Hawk, Dornier ଓ An-32 ଭଳି ଅନେକ ବିମାନ ଚଲାଇଥିବା ବେଳେ ତାଙ୍କ ନିକଟରେ 2000ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ାଣ ଅଭିଜ୍ଞତା ରହିଛି । ଖାଲି ସେତିକି ନୁହେଁ ଭାରତର ପ୍ରଥମ ମାନବ ମିଶନ 'ଗଗନ ଯାନ' ଲାଗି ମଧ୍ୟ ତାଙ୍କୁ ମହାକାଶଚାରୀ ଭାବେ ଚୟନ କରାଯାଇଛି ।
Axiom-4 ମିଶନ କଣ ?
ଆକ୍ସିଓମ-4 ମିଶନରେ 4ଜଣ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ଯାତ୍ରା କରିବେ । ଏହି ଟିମରେ କମାଣ୍ଡର ପେଗି ହ୍ବିଟସନ, ଭାରତର ପାଇଲଟ ଶୁଭାଂଶୁ ଶୁକ୍ଳା, ପୋଲାଣ୍ଡରୁ ମିଶନ ବିଶେଷଜ୍ଞ ସାୱୋଜ୍ ଉଜନାସ୍କି ଓ ହଙ୍ଗେରୀରୁ ମିଶନ ବିଶେଷଜ୍ଞ ଟିବର କାପୁ ସାମିଲ । ଏହି ଘରୋଇ ମିଶନରେ ଭାରତ, ପୋଲାଣ୍ଡ ଓ ହଙ୍ଗେରୀରୁ ପ୍ରଥମ ଭାବେ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିବା ଲାଗି ନିଆଯିବ । ଏମାନେ ଏଲନ ମସ୍କଙ୍କ ଏରୋସ୍ପେଶ କମ୍ପାନୀ ସ୍ପେଶଏକ୍ସର ସ୍ସେଶକ୍ରାଫ୍ଟ ବା ମହାକାଶ ଯାନରେ ଯାତ୍ରା କରିବେ ।
Axiom ମିଶନର ଆୟୋଜନ ଓ ପରିଚାଳନ କରୁଥିବା ଆମେରିକୀୟ କମ୍ପାନୀ Axiom Space ୱେବସାଇଟ୍ରେ ଦିଆଯାଇଥିବା ସୂଚନା ଅନୁସାରେ, AX-4 ମିଶନ ମାଧ୍ୟମରେ ଭାରତ, ପୋଲାଣ୍ଡ ଓ ହଙ୍ଗେରୀ ମହାକାଶଚାରୀ ପ୍ରଥମେ ମହାକାଶକୁ ଯାତ୍ରା କରି ISSରେ ରହି ଅନେକ ଗବେଷଣା କରିବେ । 'ମହାକାଶ ସମସ୍ତଙ୍କ ପାଇଁ' ଏହି ଲକ୍ଷ୍ୟରେ Axiom Space କିପରି ବିଶ୍ବ ସ୍ତରରେ ଜାତୀୟ ମହାକାଶ ପ୍ରୋଗ୍ରାମକୁ ଆଗକୁ ନେଉଛି ତାହା ମଧ୍ୟ ଦର୍ଶାଇବ ଏହି ମିଶନ । ନାସା ମହାକାଶଚାରୀ ତଥା Axiom Spaceର ନିର୍ଦ୍ଦେଶିକା ପେଗି ହ୍ବିଟସନଙ୍କ ହାତରେ ଏହି ମିଶନର କମାଣ ରହିବ ।
Axiom ମିଶନର ଲକ୍ଷ୍ୟ କଣ ?
ଆକ୍ସିଓମ ମିଶନର ଲକ୍ଷ୍ୟ ହେଉଛି ବାଣିଜ୍ୟିକ ସ୍ପେଶ୍ ଫ୍ଲାଇଟ୍ ଅଗ୍ରଗତି, ବୈଜ୍ଞାନିକ ଅନୁସନ୍ଧାନ ଏବଂ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନକୁ ଏକ ଘରୋଇ କ୍ରୁ ପଠାଇ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ।
କେତେ ଦିନ ରହିବେ ଓ କଣ କରିବେ ?
ଏହି 4 ମହାକାଶଚାରୀ ପ୍ରଥମେ ମହାକାଶକୁ ଯାତ୍ରା କରି ନିଜ ମହାକାଶ ଯାନକୁ ISS ସହି ଡକିଂ (ସଂଯୋଗ) କରିବେ । ଏହାପରେ ସେମାନେ ସେଠାରେ ପ୍ରାୟ 14 ଦିନ ରହି ମହାକାଶ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଗବେଷଣା କରିବେ । ପୃଥିବୀର ନିମ୍ନ କକ୍ଷପଥରେ ରହି ସେମାନେ ବିଜ୍ଞାନ, ପ୍ରସାର ଏବଂ ବ୍ୟବସାୟିକ କାର୍ଯ୍ୟକଳାପରେ ଲିପ୍ତ ରହିବେ ।
ISSକୁ ଘରୋଇ ମିଶନ
- ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ପ୍ରଥମ ଘରୋଇ ମିଶନ 2022 ଏପ୍ରିଲ 8ରେ Axiom Mission 1 ସହ ଆରମ୍ଭ ହୋଇଥିଲା । ଏହି ମିଶନ ଜରିଆରେ ଆମେରିକା, ଇସ୍ରାଏଲ ଓ କାନାଡାରୁ 4ଜଣ ମହାକାଶଚାରୀ ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେଶ ସେଣ୍ଟରରୁ ମହାକାଶକୁ 17 ଦିନିଆ ଯାତ୍ରା କରିଥିଲେ ।
- ସେହିପରି 2023 ମେ ମାସରେ Axiom-2 ମିଶନ ସହିତ ISSକୁ ଦ୍ବିତୀୟ ଘରୋଇ ମିଶନ ଥିଲା । ଏଥିରେ ପେଗି ହ୍ବିଟସନ କମାଣ୍ଡର ଥିଲେ । ଏଥିରେ ମଧ୍ୟ 4ଜଣ ମହାକାଶଚାରୀ 8 ଦିନ ଲାଗି ମହାକାଶକୁ ଯାତ୍ରା କରିଥିଲେ ।
- ଏହାପରେ ଗତବର୍ଷ ଜାନୁଆରୀ 2024ରେ Axiom-3 ମିଶନ ଆରମ୍ଭ ହୋଇଥିଲା । ଏଥିରେ ମଧ୍ୟ 4ଜଣ ମହାକାଶଚାରୀ ସ୍ପେଶ ଷ୍ଟେସନକୁ ଯାଇଥିବା ବେଳେ ସେଠାରେ 18 ଦିନ ରହିଥିଲେ ।