କଟକ:ଲୋକସଭା ନିର୍ବାଚନ ପାଇଁ କଟକରେ ଦେଖାଦେଲାଣି ନିର୍ବାଚନୀ ତାତି । ଉଭୟ ବିଜେପି ଏବଂ ବିଜେଡି ପାର୍ଥୀ ଘୋଷଣା କରିବା ପରେ ଉଷ୍ମତା ବଢ଼ିବାରେ ଲାଗିଛି । ଛଅ ଛଅ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ ଏବଂ ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଥିବା ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ ହେବ ଲଢେଇ । ଆରୋପ ପ୍ରତ୍ୟାରୋପକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ୍ରିକେଟ ଉପାଖ୍ୟାନକୁ ନେଇ ପରସ୍ପର ମଧ୍ୟରେ କଥାକଟା କଟି ଆରମ୍ଭ ହୋଇଯାଇଛି। ଗତକାଲି (ରବିବାର) କଟକ ବିଜେଡି ସାଂସଦ ପାର୍ଥୀ 'କ୍ରିକେଟ ଉପାଖ୍ୟାନ'କୁ ନେଇ ଭର୍ତ୍ତୃହରିଙ୍କୁ ଟାର୍ଗେଟ କରିଛନ୍ତି । ଭର୍ତ୍ତୃହରିଙ୍କ ବାବଦରେ ସଂନ୍ତୃପ୍ତ କହିଥିଲେ, "ତାଙ୍କର ଅଭିଜ୍ଞତାକୁ ମୁଁ ସମ୍ମାନ କରେ । ହେଲେ ନୂଆ ବ୍ୟାଟ୍ସମ୍ୟାନ ବି ଛକା ଚୌକାର ବର୍ଷା କରନ୍ତି । "
ସଂନ୍ତୃପ୍ତଙ୍କ ଏହି କଥାକୁ ତର୍ଜମା କଲେ ମନେ ହୁଏ, ଭର୍ତ୍ତୃହରି ହେଉଛନ୍ତି ଅଭିଜ୍ଞ ବୋଲର। ତେବେ ଜଣେ ନୂତନ ବ୍ୟାଟସମାନ ଛକା ଚୌକା ମାରି ମ୍ୟାଚ ଜିତାଇ ପାରିବ ଅର୍ଥାତ୍ ଭର୍ତ୍ତୃହରିଙ୍କ ବିରୋଧରେ ସଂତୃପ୍ତ ଜିତିପାରିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଏହାକୁ କାଉଣ୍ଟର କରିଛନ୍ତି ଭର୍ତ୍ତୃହରି । ଏହାର ଉତ୍ତରରେ ଭର୍ତ୍ତୃହରି କହିଛନ୍ତି, "ପିଚ୍ ଉପରେ ନିର୍ଭର କରେ କିଏ କେମିତି ବୋଲିଂ ଆଉ ବ୍ୟାଟିଂ କରୁଛି । କଟକ ପିଚକୁ ଦେଖି ଖେଳିବାକୁ ପଡି଼ବ। କାରଣ କେତେବେଳେ ଅଫ ସ୍ପିନ, କେତେବେଳେ ଲେଗ୍ ସ୍ପିନ, ଗୁଗୁଲ ବଲ ପଡିବ। ତେଣୁ କଟକ ପିଚରେ ଦେଖି ଖେଳିବାକୁ ପଡିବ।"