ଓଡିଶା

odisha

ETV Bharat / politics

ପୁଣି ମଇଦାନରେ ଜୁଏଲ ବନାମ ଦିଲ୍ଲୀପ ଫାଇଟ, କିଏ ଜିତିବ ଜନତାଙ୍କ ବିଶ୍ବାସ - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: ସୁନ୍ଦରଗଡ ଲୋକସଭା ଆସନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ଜୋରଦାର ଲଢେଇ । ପୁଣି ମୁହାଁମୁହିଁ ହେବେ ଜୁଏଲ ଓରାମ ଓ ଦିଲ୍ଲୀପ ତିର୍କୀ । କଣ କହୁଛି ରାଜନୈତିକ ପାଣିପାଗ । ପଢନ୍ତୁ ରିପୋର୍ଟ ।

Lok Sabha Election 2024
Lok Sabha Election 2024

By ETV Bharat Odisha Team

Published : Mar 28, 2024, 11:03 AM IST

Lok Sabha Election 2024

ରାଉରକେଲା: ସୁନ୍ଦରଗଡ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଜିଲ୍ଲାରେ ବଢିଛି ରାଜନୈତକ ଉଷ୍ମତା । ବିଜେପିରୁ ପ୍ରାର୍ଥୀ ହୋଇଛି ଜୁଏଲ ଓରାମ ଓ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ତିର୍କୀ । ଜୁଏଲ ଓରାମ ରାଜନୀତିର ଜଣେ ପୁରୁଖା ନେତା ହୋଇଥିବା ବେଳେ ଏହି ଆସନରେ କ୍ରମାଗତ 2 ଥର ବିଜୟୀ ହୋଇଛନ୍ତି । ଅନ୍ୟପଟେ ଏହି ଆସନରୁ ଦ୍ବିତୀୟ ଥର ପାଇଁ ଲୋକସଭା ନିର୍ବାଚନ ଲଢିବେ ଦିଲ୍ଲୀପ । ଏହି ଦୁଇ ଜଣଙ୍କ ମଧ୍ୟରେ ଚଳିତ ନିର୍ବାଚନରେ ହେବ ଜୋରଦାର ଫାଇଟ । କାହାକୁ ଭରସା କରିବେ ଜନତା ତା ଉପରେ ଏବେ ସମସ୍ତଙ୍କ ନଜର । ବର୍ତ୍ତମାନ ଚା ଖଟି ଠାରୁ ନେଇ ଜାଗା ଜାଗାରେ ଗୋଟିଏ ଚର୍ଚ୍ଚା ନିର୍ବାଚନରେ କିଏ ମାରିବ ବାଜି ? ସେପଟେ ଟିକେଟ ଘୋଷଣା କରିବାରେ ପଛରେ ପଡିଯାଇଛି କଂଗ୍ରେସ ।

ପୂର୍ବରୁ ଏହି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି ବିଜେଡି ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ରାଜ୍ୟ ସଭା ସଂସଦ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଟିକେଟ ଦେଇଥିଲା । ଦୁଇ ହେବିୱେଟଙ୍କ ମଧ୍ୟରେ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ କଡା ଲଢେଇ ହେବ । ବର୍ତ୍ତମାନ ଦୁଇ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ । ସୁନ୍ଦରଗଡ଼ ଜିଲ୍ଲାରେ ସାତଟି ବିଧାନସଭା ମଣ୍ଡଳୀ ରହିଛି । ବଣାଇ, ରାଉରକେଲା, ରଘୁନାଥପାଲ୍ଲୀ, ବୀରମିତ୍ରପୁର, ରାଜଗାଙ୍ଗପୁର, ତଲସରା, ସୁନ୍ଦରଗଡ଼କୁ ନେଇ ଗଠିତ ଏହି ଲୋକସଭା ମଣ୍ଡଳୀ । ସୁନ୍ଦରଗଡ଼ ଲୋକସଭା ଆସନ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥାଏ । ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ଏହି ସିଟ ପାଇଁ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଲଢେଇ ।

ଏହା ମଧ୍ୟ ପଢନ୍ତୁ-ପୁରୀ ଲୋକସଭା ଓ ବିଧାନସଭାରେ ବିଜେପି କ୍ଲିନସ୍ପିପ୍ କରିବ: ଜୟନ୍ତ ଷଡ଼ଙ୍ଗୀ - GENERAL ELECTION 2024

2014ରେ ଦିଲ୍ଲୀପ ଓ ଜୁଏଲଙ୍କ ମଧ୍ୟରେ ହୋଇଥିଲା ଫାଇଟ:2014 ଲୋକସଭା ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଜୁଏଲ ଓରାମ ଓ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ଦିଲ୍ଲୀପ । ପାଖାପାଖି 19 ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଜୁଏଲ । ବିଜେପିକୁ 3 ଲକ୍ଷ 40 ହଜାର 508 ଭୋଟ ମିଳିଥିବା ବେଳେ ବିଜେଡିକୁ ମିଳିଥିଲା 3 ଲକ୍ଷ 21 ହଜାର 679 ଭୋଟ । କଂଗ୍ରେସର ହେମାନନ୍ଦ ବିଶ୍ବାଳଙ୍କୁ ମିଳିଥିଲା 2 ଲକ୍ଷ 69 ହଜାର 335 ଭୋଟ ।

ଦଳ ପ୍ରାର୍ଥୀ ଫଳାଫଳ
ବିଜେପି ଜୁଏଲ ଓରାମ 3,40,508
ବିଜେଡି ଦିଲ୍ଲୀପ ତିର୍କୀ 3,21,679
କଂଗ୍ରେସ ହେମାନନ୍ଦ ବିଶ୍ବାଳ 2,69,335

2019ରେ ବିପୁଳ ଭୋଟ ବ୍ୟବଧାନରେ ବାଜି ମାରିଥିଲେ ଜୁଏଲ: 2019 ଲୋକସଭା ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ଜୁଏଲ ଓରାମ । ସେହିପରି ବିଜେଡିରୁ ସୁନିତା ବିଶ୍ବାଳ ଓ କଂଗ୍ରେସରୁ ଜର୍ଜ ତିର୍କୀ । ସେତେବେଳେ ବିଜେପିକୁ 5 ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ମିଳିଥିବା ବେଳେ ବିଜେଡିକୁ 2ଲକ୍ଷ 76 ହଜାର 991 ଭୋଟ ପାଇଥିଲା ଓ କଂଗ୍ରେସ 2 ଲକ୍ଷ 68 ହଜାର 218 ଭୋଟ ପାଇଥିଲା ।

ଦଳ ପ୍ରାର୍ଥୀ ଫଳାଫଳ
ବିଜେପି ଜୁଏଲ ଓରାମ 500,056
ବିଜେଡି ସୁନିତା ବିଶ୍ବାଳ 2,76,991
କଂଗ୍ରେସ ଜର୍ଜ ତିର୍କୀ 2,68,218

ବର୍ତ୍ତମାନ ସୁନ୍ଦରଗଡ ଲୋକସଭା ଆସନରେ ରାଜୁତି କରୁଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ପୁଣି ଥରେ ସେ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ ଦିଲ୍ଲୀପ ତିର୍କୀ । ବିଜେଡି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଟିକେଟ ଦେଇ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ସେ କହିଛନ୍ତି, ''ନିକଟରେ ହକି ବିଶ୍ୱକପ ଆୟୋଜନ ଏବଂ ହକି ଇଣ୍ଡିଆର ସଭାପତି ଦାୟିତ୍ବରେ ରହି ସୁନ୍ଦରଗଡ଼ ମାଟି ପାଇଁ ହକି ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି ଦିଲ୍ଲୀପ । ତାଙ୍କୁ ସବୁଠାରୁ ଅଧିକ ଲାଭ ଦେବ ହକି ବିଶ୍ୱକପ ଆୟୋଜନ ସହ ବିଶ୍ୱର ସବୁଠାରୁ ବଡ଼ ହକି ଷ୍ଟାଡିୟମ ଏବଂ ହକିର ବିକାଶ ଏବଂ ନିଜର ସ୍ୱଚ୍ଛ ପ୍ରତିଛବି । ଅନ୍ୟ ପକ୍ଷରେ କିନ୍ତୁ ଜୁଏଲ ମଧ୍ୟ ନିଜ ଗଡ଼କୁ ସଜାଡ଼ିବାକୁ ଏବଂ ରକ୍ଷା କରିବାକୁ ଚେଷ୍ଟା କରିବେ । ଏଥର ଜନତାଙ୍କ ମୁଡ ଟିକେ ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏଥର ଜୁଏଲଙ୍କ କାର୍ଯ୍ୟ କଳାପ ଲୋକଙ୍କୁ ସେତେଟା ଆଶ୍ୱସ୍ତି ଦେଇନଥିବା ବେଳେ ଜଣେ ସାଂସଦ ଭାବରେ ଜିଲ୍ଲାର ସମସ୍ୟା ସମ୍ପର୍କରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରି ନାହାନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି ।''

ସେ ଆହୁରି ମଧ୍ୟ କହିଛନ୍ତି, '' ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ବିଭିନ୍ନ ସମସ୍ୟା । ବର୍ତ୍ତମାନ ଭୋଟର ମାନଙ୍କ ନିକଟରେ ରହିଛି ସମସ୍ୟାର ଲମ୍ବା ତାଲିକା । ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ ଗ୍ରାମାଞ୍ଚଳରେ ବିଭିନ୍ନ ମୌଳିକ ସୁବିଧା ଯୋଗାଇବାରେ ଅସଫଳ ହୋଇଛନ୍ତି ସାଂସଦ ଏବଂ ଲୋକଙ୍କ ଦୁଃଖ ବୁଝିବାରେ ମଧ୍ୟ ଅସଫଳ ହୋଇଛନ୍ତି ସାଂସଦ ବୋଲି ଅଭିଯୋଗ ହୋଇ ଆସୁଛି । ନିଜ ନିର୍ବାଚନ ମଣ୍ଡଳୀ ବଣାଇରେ ମଧ୍ୟ ନିଜର ଲୋକପ୍ରିୟତା ହରାଇ ବସିଲେଣି ଜୁଏଲ । ତେବେ ଏହି ସବୁ ଲୋକଙ୍କ ଏବଂ ନିଜ ଲୋକସଭା ମଣ୍ଡଳୀ ପ୍ରତି ଅବହେଳା ଏଥର ଜୁଏଲଙ୍କ ପାଇଁ ଟିକେ ଅସୁବିଧା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଅନ୍ୟ ପକ୍ଷରେ କଂଗ୍ରେସ ବର୍ତ୍ତମାନ ଯାଏ ନିଜର କୌଣସି ପ୍ରାର୍ଥୀ ଓଡିଶାରେ ଦେଇ ନଥିବାରୁ କଂଗ୍ରେସର ଦୁର୍ବଳତା ଦେଖିବାକୁ ମିଳୁଛି । ''

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details