ଭୁବନେଶ୍ବର:ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଭୁବନେଶ୍ୱର ବିଜେଡିର ଅନ୍ତର୍ଦ୍ୱନ୍ଦ । ଦଳର ଅନ୍ତଃ ବିଦ୍ରୋହ ଏତେ ତୀବ୍ର ହେଲଣି ଯେ, ବିଜେଡିର ଦଳୀୟ କନ୍ଦଳ ହାଟରେ ପଡ଼ି ବାଟରେ ଗଡିଲାଣି । ଏହାକୁ ନେଇ ଭୁବନେଶ୍ୱର ବିଜେଡି ଏବେ ଦୁଇ ଫଳ । ଗତ କିଛିଦିନ ତଳେ ଶଙ୍ଖ ଭବନରେ ହୋଇଥିବା କନ୍ଦଳର ଛାପ ଏବେ ବିଏମ୍ସିର ମାସିକିଆ ବୈଠକରେ ଦେଖିବାକୁ ମିଳିଥିଲା । ବୈଠକକୁ ଆସିନଥିଲେ ଅଧିକାଂଶ ବିଜେଡି କର୍ପୋରେଟର । ଦଳର ଦୁଇଜଣ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହସୁପକାରଙ୍କ ବିରୋଧରେ ଏବେ ଅନ୍ୟ ବିଜେଡି କର୍ପୋରେଟରମାନେ ମେଳି ବାନ୍ଧିଛନ୍ତି । ଆଉ ଏହି ମେଳିର ଚର୍ଚ୍ଚା ଏବେ ବାହାରକୁ ଆସିଥିବା ବେଳେ ବିଜେଡି ଭିତରେ ଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ମେୟର ।
ତାଳ ପଡ଼ିବାକୁ କାଉ ରଡ଼ିବା ଭଳି କଥା:
କର୍ପୋରେସନ ମିଟିଂରେ କର୍ପୋରେଟର ଅନୁପସ୍ଥିତ ରହି ଅନ୍ୟତ୍ର ମେଳି କରିବା ପ୍ରସଙ୍ଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, "ଅଲଗା ମେଳି କଥା ହେଉଛି ଭୁଲ୍ । ଏହା ତାଳ ପଡ଼ିବାକୁ କାଉ ରଡ଼ିବା ଭଳି କଥା । କର୍ପୋରେସନ ମିଟିଂ ଯୋଗ ଦେବା ଆମ ଦାୟିତ୍ଵ । ଲୋକଙ୍କ ସମସ୍ୟା ଉପସ୍ଥାପନା ଏହା ଏକ ଫୋରମ । କାହାର କ'ଣ କାମ ରହିଯାଇଥିବ, ସେହି କାରଣରୁ ସେମାନେ ଆସିପାରିନାହାନ୍ତି । କର୍ପୋରେଟର ଭାଇ-ଭଉଣୀ ଗେଟ ଟୁ ଗେଦର୍ କରିବା ବା ଏକାଠି ବସିବାର ଯଦି ଅନ୍ୟ ଅର୍ଥ ବାହାର କରିବେ ତେବେ କ'ଣ କରାଯିବ । ତାଳ ପଡ଼ିବାକୁ କୁଆ ରଡ଼ିବା ଏହି ନୀତିରେ ଏହି କଥା ସବୁ ଆଲୋଚନା ହେଉଛି । ମଧ୍ୟ ଏବଂ ଏକାମ୍ରର କିଛି କର୍ପୋରେଟର ବୈଠକରେ ମଧ୍ୟ ଆସିଥିଲେ । ବିଜୁ ଜନତା ଦଳ ଲୋକଙ୍କ ସେବା ପାଇଁ, ତେଣୁ ଅନ୍ୟ କୌଣସି ବିଷୟ ଚିନ୍ତା କରି ଲୋକଙ୍କ ସେବା ଠାରୁ ଦୂରେଇବା କଥା କେବେବି ହେବନି ।"
ବିଏମ୍ସିର ବୈଠକ କର୍ପୋରେଟର ଅନୁପସ୍ଥିତ:
ସୂଚନା ଥାଉକି, ଗତ ଶୁକ୍ରବାର ଆୟୋଜିତ ବିଏମ୍ସିର ମାସିକିଆ ବୈଠକରେ ମଧ୍ୟ ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ୩୨ ଜଣ କର୍ପୋରେଟର ଯୋଗଦେଇ ନ ଥିଲେ । ଗୋଟେପଟେ ବିଏମ୍ସିର ବୈଠକ ଚାଲିଥିବା ବେଳେ, ଅନ୍ୟପଟେ ସେହିଦିନ ଲକ୍ଷ୍ମୀସାଗର ସ୍ଥିତ ଏକ ମନ୍ଦିରରେ ଏହି କର୍ପୋରେଟରମାନଙ୍କ ଅନ୍ୟ ଏକ ବୈଠକ ହୋଇଥିଲା । ଦଳର କିଛି ବିଦ୍ରୋହୀ କର୍ପୋରେଟର ଦଳକୁ ଭାଙ୍ଗିବାକୁ ଚାହୁଁଥିବାବେଳେ, ଦଳର ସଭାପତି ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଏପରିକି ସମ୍ପୃକ୍ତ କର୍ପୋରେଟରଙ୍କୁ ତାଗିଦ୍ ମଧ୍ୟ କରାଯାଉନାହିଁ । ତେଣୁ ଯଥାଶୀଘ୍ର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ୩୨ କର୍ପୋରେଟର ଅସହଯୋଗ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହା ବେଶ ଚର୍ଚ୍ଚର ଶିରୋନାମା ପାଲଟିଛି ।