ଭୁବନେଶ୍ବର: ନବୀନଙ୍କୁ କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବସର୍ମା । ଭୁବନେଶ୍ବରରେ ଆୟୋଜିତ ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ବିଜେପି ପାଇଁ ଭୋଟ ମାଗିବା ସହ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ । ଏହି ଅବସରରେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ କଟାକ୍ଷ କଲେ ହିମନ୍ତ । କହିଲେ ଯେଉଁ ମୁଖ୍ୟମନ୍ତ୍ରୀଙ୍କୁ ମାଇକ ଧରିବା ପାଇଁ ଆଉ ଜଣେ ଲୋକ ଦରକାର, ସେଭଳି ଲୋକ ଜିତିଲେ ରାଜ୍ୟକୁ ଆଗକୁ ନେବାରେ କେତେ ସଫଳ ହେବେ ?
ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ବିଜେଡି ବିରୋଧରେ ନୁହେଁ, ବିଜେପି କାମର ହିସାବ ଦେଇ ଭୋଟ ମାଗୁଛି । ଆମେ ଡବଲ ଇଞ୍ଜିନ ସରକାରରେ ଯେତିକି ଲାଭ ଉଠାଇଛୁ, ଓଡିଶା ତାହା ଉଠାଇ ପାରିଲାନି । ଆସାମରେ ବିଜେପି ସରକାର ହେଲାପରେ ବିକାଶ ବଢିଛି, ବମ ବ୍ଲାଷ୍ଟ ବନ୍ଦ ହୋଇଛି । ଏଥର ବିକାଶ ଯାତ୍ରାରେ ଓଡିଶା ବି ସାମିଲ ହେବ । ଓଡ଼ିଶାରେ ବି ଡବଲ ଇଞ୍ଜିନ ସରକାର ହେବ । ଓଡ଼ିଶାବାସୀ ମୋଦିଙ୍କୁ ରେକର୍ଡ ଭୋଟରେ ଜିତାଇବା ସହ ଡବଲ ଇଞ୍ଜିନ ସରକାର ଗଢିବେ । କାରଣ ଓଡ଼ିଶାରେ ଏବେ ପରିବର୍ତ୍ତନ ଦେଖାଦେଇଛି । ଆଉ ଲୋକମାନେ ତାହା ବୁଝିଲେଣି । ମୋଦିଙ୍କ ୧୦ ବର୍ଷର କାମକୁ ଦେଖି ଲୋକେ ବିଜେପିକୁ ଭୋଟ ଦେବେ । ମୁଖ୍ୟମନ୍ତ୍ରୀଙ୍କ ମାଇକ ଧରିବାକୁ କାହିଁକି କେବଳ ଜଣଙ୍କୁ ସୁଯୋଗ ମିଳୁଛି ? ଆଉ କେହି ଓଡ଼ିଆଙ୍କୁ କାହିଁକି ନୁହେଁ ? ଓଡ଼ିଆ ଲାକଙ୍କର କଣ ଏତିକି ଯୋଗ୍ୟତା ନାହିଁ ? ଏଥିପାଇଁ ହିଁ ଓଡ଼ିଶାରେ ପରିବର୍ତ୍ତନ ଆସିବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବ । ମୋଦି ସୁନାମୀ ଯୋଗୁଁ ମୋଦି ଲହର ଦେଖା ଯାଉନି । ଓଡିଶା ପରିବର୍ତ୍ତନ ଆଡକୁ ବଢୁଛି । ଏହା ଓଡ଼ିଶାର ରାଜନୈତିକ ସ୍ଥିତି ପରିସ୍ଥିତିରୁ ସ୍ପଷ୍ଟ ଜଣାପଡୁଛି ।"
ଅନ୍ୟପଟେ ଆୟୋଜିତ ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ଭାରତୀୟ ସମ୍ବିଧାନ ବିଷୟରେ ଆଲୋଚନା ପାଇଁ ଆସିଥିବା ବେଳେ ଭାରତର ଧର୍ମନିରପେକ୍ଷତା ଓ ସାର୍ବଭୌମତ୍ବ ବିଷୟରେ ସରଳ ଭାଷାରେ ବୁଝାଇଥିଲେ ହିମନ୍ତ। ଏହି କ୍ରମରେ ସମ୍ବିଧାନ ପ୍ରଧାନମନ୍ତ୍ରୀ କାହିଁକି ୪୦୦ ସିଟ୍ ଚାହୁଁଛନ୍ତି, ସେନେଇ ମଧ୍ୟ ନିଜର ମତ ରଖିଥିଲେ । ସେ କହିଥିଲେ, "ପ୍ରଧାନମନ୍ତ୍ରୀଙ୍କ ୪୦୦ ପାର୍ ନାରାକୁ ନେଇ ବିରୋଧୀମାନେ ଗୋଟିଏ ମିଛ ନ୍ୟାରେଟିଭ ତିଆରି କରିଛନ୍ତି । ମୋଦି ସମ୍ବିଧାନ ବଦଳାଇବାକୁ ଚାହୁଁଛନ୍ତି ବୋଲି କହୁଛନ୍ତି । ବିଜେପି ପାଖରେ ବହୁ ପୂର୍ବରୁ ୪୦୦ ସିଟ୍ ଥିଲା । ୩୭୦ ଧାରା ଉଚ୍ଛେଦ, ନାରୀ ଶକ୍ତି ବନ୍ଦନ ଅଧିନିୟମ ଭଳି ବିଲ ପାସ ବେଳେ ସଂସଦରେ ଆମ ସରକାରକୁ ୪୦୦ରୁ ଅଧିକ ବହୁମତ ମିଳିଛି । ଆମ ସହ ଯେତେବେଳେ ୪୦୦ ବହୁମତ ଥିଲା, ସେତେବେଳେ ଆମେ ମହିଳାମାନଙ୍କୁ ସଂସଦରେ ସଂରକ୍ଷଣ ଦେଲୁ, ସିଏଏ ଲାଗୁ କରି ପଡୋଶୀ ଦେଶରୁ ଆସିଥିବା ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେଲୁ । ଆମ ଦେଶର ସଭ୍ୟତା ୫ ହାଜର ବର୍ଷରୁ ବି ଅଧିକ ପୁରୁଣା । ଆମ ଦେଶ ୧୯୪୭ ପରେ ତିଆରି ହୋଇନାହିଁ । ଆମ ସଭ୍ୟତା ଆରମ୍ଭରୁ ହିଁ ଦେଶ ଧର୍ମନିରପେକ୍ଷ ଥିଲା । ଭାରତ ସବୁବେଳେ ପୁରା ବିଶ୍ବର କଲ୍ୟାଣ ଚାହେଁ । ଭାରତର ଲୋକମାନେ ହିଁ ୫ ହାଜର ବର୍ଷ ହେଲା ଧର୍ମନିରପେକ୍ଷତାକୁ ସୁରକ୍ଷା ଦେଇ ଆସୁଛନ୍ତି । ଦେଶ ବିଭକ୍ତ ହେଲା ପରେ ଯଦି ପାକିସ୍ତାନ ମୁସଲିମ ରାଷ୍ଟ୍ର ହୋଇପାରିଲା, ତେବେ ଭାରତ କାହିଁକି ହିନ୍ଦୁ ରାଷ୍ଟ୍ର ହୋଇପାରିଲା ନାହିଁ ? ଭାରତ କେବେ ହିନ୍ଦୁ ପ୍ରଧାନ ରାଷ୍ଟ୍ର ହେବ ନାହିଁ, ଭାରତ ସବୁବେଳେ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇରହିବ । ଭାରତରେ ଥିବା ମୁସଲମାନ କିମ୍ବା ଖ୍ରୀଷ୍ଟିଆନମାନେ ଦେଶକୁ ମୁସଲମାନ ରାଷ୍ଟ୍ର କି ଖ୍ରୀଷ୍ଟିଆନ ରାଷ୍ଟ୍ର କରିପାରିବେ ନାହିଁ ।"