ବଲାଙ୍ଗୀର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ପ୍ରତିବାଦରେ ଆମ୍ ଆଦମୀ ପାର୍ଟି ସାରା ଦେଶରେ ପ୍ରତିବାଦ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରରେ ମଧ୍ୟ ଆପ୍ ଆନ୍ଦୋଳନ କରୁଥିବା ବେଳେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ଆପ୍ । ବିଜେପି ତାର ସ୍ୱାର୍ଥ ପାଇଁ ଯେଉଁଭଳି ଇଡିକୁ ଅପବ୍ୟବହାର କରି ବିରୋଧୀଙ୍କୁ ଗିରଫ କରୁଛି ଏହାର ଜବାବ ଦିଆଯିବା ସହ ଆଗକୁ ବିଜେପି ବିରୋଧରେ ତୀବ୍ର ଆନ୍ଦୋଳନର ଧମକ ଦେଇଛି ଆପ୍ ।
କେଜ୍ରିୱାଲ ଗିରଫକୁ ପ୍ରତିବାଦ କରି ବଲାଙ୍ଗୀରରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଜେପି ଅସହିଷ୍ଣୁ ଭାବ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଛ ମାମଲାରେ ଇଡି ଦ୍ୱାରା ଗିରଫ କରାଇଥିବାର ଅଭିଯୋଗ ଆଣିଛି ଆପ୍ । ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଜିଲ୍ଲା ସଭାପତି ଆଶିଷ ପାଣ୍ଡେ କହିଛନ୍ତି, "ବିଜେପି ଦଳ ଇଡି ଓ ସିବିଆଇକୁ ବ୍ୟବହାର କରି ବିରୋଧୀଙ୍କୁ ଜେଲରେ ପୁରାଉଛି । ଗଣତନ୍ତ୍ରର ହତ୍ୟା କରୁଛି । ଦେଶର ଜଣେ ସଚ୍ଚୋଟ ରାଜନେତା ଅରବିନ୍ଦ କେଜ୍ରିୱାଲଙ୍କୁ ମିଛ ମାମଲାରେ ଇଡି 9 ଥର ସମନ କରିବା ପରେ ଗିରଫ କରିଛି । ପୂର୍ବରୁ ଚନ୍ଦ୍ର ରେଡ୍ଡୀ ବୋଲି ଜଣେ ବ୍ୟବସାୟୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ କୌଣସି ଅଭିଯୋଗ ଆଣି ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଜେପି ଓ ଇଡିର ଚାପରେ ଶହେ କୋଟି ଟଙ୍କା ଦେଇଥିବାର ବୟାନ ଦେଇଥିଲେ । ଯାହାକୁ ଭିତ୍ତି କରି ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି ।"