ହାଇଦ୍ରାବାଦ:ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଚିଠି ଲେଖି ଯୋଗାଯୋଗ କରିଛନ୍ତି । ଚିଠିରେ ବାଇଡେନ ଲେଖିଛନ୍ତି, ୱାଶିଂଟନ ଇସଲାମାବାଦ ସହ ବର୍ତ୍ତମାନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ତଥା ଆଞ୍ଚଳିକ ଆହ୍ବାନର ମୁକାବିଲା ଦିଗରେ ସମସ୍ତ ସହଯୋଗ କରିବ । ଦୁଇ ଦେଶର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ କୌଣସି ଯୋଗାଯୋଗ ନଥିଲା । ଜୁଲାଇ 2019ରେ ହ୍ବାଇଟ ହାଉସରେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ । ଏଥିରେ ଜଳବାୟୁ ପରିବର୍ତ୍ତନ, ମାନବାଧିକାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ଦ୍ବିପାକ୍ଷିକ ସହଯୋଗ ବିଷୟରେ ଉଭୟ ନେତା ଆଲୋଚନା କରିଥିଲେ ।
ଇସଲାମାବାଦ ବର୍ତ୍ତମାନ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ରୁ ଅତିରିକ୍ତ ଋଣ ନେବାକୁ ଚାହୁଁଛି । ଯେଉଁଥିପାଇଁ ଆମେରିକାର ସମର୍ଥନ ନିହାତି ଆବଶ୍ୟକ ରହିଛି । ତେବେ ଏହି ପତ୍ରରେ ବାଇଡେନ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବାର ଶୁଭେଚ୍ଛା ମଧ୍ୟ ଜଣାଇନଥିବା ଦେଖିବାକୁ ମିଳିଛି । କେବଳ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବାଇଡେନ ସମବେଦନା ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ବିବାଦୀୟ ଢଙ୍ଗରେ ଶେଷ ହୋଇଥିବା ପାକିସ୍ତାନ ନିର୍ବାଚନ ଫଳାଫଳକୁ ହୁଏତ ଆମେରିକା ପୂର୍ଣ୍ଣ ରୂପରେ ସ୍ବୀକାର କରିବାକୁ ସହମତ ନୁହେଁ ।
ବାଇଡେନଙ୍କ ଯୋଗାଯୋଗ ପରେ ଆମେରିକାର ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନ୍ ଏବଂ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ ମଧ୍ୟ ହୋଇଥିଲା । ସରକାରୀ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ ପାରସ୍ପରିକ ସ୍ୱାର୍ଥର ସମସ୍ତ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ହୋଇଛି । ଏହି ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆଞ୍ଚଳିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ଗାଜା ଯୁଦ୍ଧ, ଲୋହିତ ସାଗରେରେ ଅସ୍ଥିରତା ଏବଂ ଆଫଗାନିସ୍ତାନର ଜାରି ରହିଥିବା ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
କେତେକ ଏହାକୁ ପାକିସ୍ତାନ ପ୍ରତି ଆମେରିକାର ନୀତିରେ ପରିବର୍ତ୍ତନ ବୋଲି ଅନୁମାନ କରୁଛନ୍ତି । ଚଳିତବର୍ଷ ଫେବୃଆରୀ 8 ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଶେଷ ହେବା ହୋଇଛି । ଏହା ବିବାଦରୁ ଦୂରରେ ନଥିଲା । ନିର୍ବାଚନ ପରେ ଆମେରିକା କଂଗ୍ରେସର 30ଜଣ ସଦସ୍ୟ ରାଷ୍ଟ୍ରପତି ବାଇଡେନ ଏବଂ ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଚିଠି ଲେଖି ପାକିସ୍ତାନର ନୂତନ ସରକାରକୁ ମାନ୍ୟତା ନଦେବା ପାଇଁ ଅନୁରୋଧ କରିଥିଲେ । ପାକିସ୍ତାନ ନିର୍ବାଚନରେ ମନିପୁଲେସନ ହୋଇଥିବା ସେମାନେ ଦାବି କରି ଏହି ସରକାରକୁ ଗ୍ରହଣ ନକରିବାକୁ କହିଥିଲେ । ସମ୍ଭବତଃ ଏହା ହିଁ ବିଡେନଙ୍କୁ ଶେହଓ୍ବାଜଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପାଇଁ ଅଭିନନ୍ଦନ ନଜଣାଇବାକୁ ବାଧ୍ୟ କରିଥାଇପାରେ । ପାକିସ୍ତାନ ମଧ୍ୟ ବେଜିଂ ଏବଂ ୱାଶିଂଟନ ମଧ୍ୟରେ ସମ୍ପର୍କକୁ ସନ୍ତୁଳିତ କରିବା ପାଇଁ କାର୍ଯ୍ୟ ଜାରି ରଖିଛି । ଆଫଗାନିସ୍ତାନରୁ ଆମେରିକା ସେନାର ପ୍ରତ୍ୟାହାର ପରେ ଚୀନ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଆରମ୍ଭ କରିଥିଲା । ଶେଷରେ ଆଫଗାନିସ୍ତାନକୁ ସମର୍ଥନ ପାଇଁ ପାକିସ୍ତାନକୁ ଦାୟୀ କରାଯାଇଥିଲା ।