ଓଡିଶା

odisha

ETV Bharat / opinion

ପଲାସୀ ଯୁଦ୍ଧ: ଏକ ପ୍ରତିଶୋଧର ଟ୍ରାଜେଡି - BATTLE OF PLASSEY - BATTLE OF PLASSEY

The Battle of Plassey as a Revenge Tragedy: ଷଡଯନ୍ତ୍ରରୁ ଆରମ୍ଭ ହୋଇଥିବା ପଲାସୀ ଯୁଦ୍ଧ ଭାରତରେ ରଖିଥିଲା ବ୍ରିଟିଶ ରାଜର ମୂଳଦୁଆ । ଅପରିପକ୍ବ ନବାବଙ୍କୁ ଧୋକା ଦେଇ ହତ୍ୟା କରିଥିଲେ ନିଜ ସେନାପତି । ପଢନ୍ତୁ ଅରୂପ କେ ଚାଟାର୍ଜୀଙ୍କ ଏହି ଆଲେଖ୍ୟ

ପଲାସୀ ଯୁଦ୍ଧ, ଏକ ପ୍ରତିଶୋଧ ଟ୍ରାଜେଡି
ପଲାସୀ ଯୁଦ୍ଧ, ଏକ ପ୍ରତିଶୋଧ ଟ୍ରାଜେଡି (ETV Bharat Odisha)

By ETV Bharat Odisha Team

Published : Jun 23, 2024, 10:54 AM IST

ହାଇଦ୍ରାବାଦ: ସମୟ ଥିଲା 1757 ମସିହା ଜୁଲାଇ 2ତାରିଖ ଅପରାହ୍ନ । ବଙ୍ଗଳା (ଅଭିଭକ୍ତ ବଙ୍ଗ)ର ଶେଷ ସ୍ବାଧୀନ ନବାବ ସିରାଜ ଉଦ-ଦଉଲାଙ୍କୁ ଜାଫରଗଞ୍ଜ ଦୂର୍ଗରେ ହତ୍ୟା କରାଯାଇଥିଲା । ହୁଗୁଳି ନଦୀର ପୂର୍ବ କୂଳରେ ଅବସ୍ଥିତ ଏହି ଦୂର୍ଗରେ ହତ୍ୟାର ଶିକାର ହୋଇ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବଙ୍ଗଳାର ଏହି ଶେଷ ନବାବ । ଏହି ହତ୍ୟାକାଣ୍ଡ ଥିଲା ଭାରତୀୟ ରାଜତନ୍ତ୍ରର ଏକ ଚରମ ବିଶ୍ବାସଘାତକତାର ଉଦାହରଣ । ସିରାଜଙ୍କ ସେନାପତି ମିରଜାଫରଙ୍କ ପୁତ୍ର ମହମ୍ମଦ ବେଗ, ନବାବ ସିରାଜଙ୍କ ହତ୍ୟା କରିଥିଲା । ଏହି ଚର୍ଚ୍ଚିତ ପଲାସୀ ଯୁଦ୍ଧର ପରବର୍ତ୍ତୀ ଘଟଣାକ୍ରମ ଏହା ପୁରା ଦେଶର ଦୃଶ୍ୟପଟ୍ଟକୁ ପରିବର୍ତ୍ତିତ କରିଦେଇଥିଲା । ଏହା ସହ ଭାରତରେ ପଡିଥିଲା ବ୍ରିଟଶ୍‌ ରାଜତ୍ବର ମୂଳଦୁଆ । ଏହି ଘଟଣା ଉଭୟ ଭାରତ ଓ ବାଂଲାଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଥିଲା ।

ପଲାସୀ ଯୁଦ୍ଧ:-ବାଣିଜ୍ୟ କରିବାକୁ ବଙ୍ଗ ନବାନଙ୍କ ଠାରୁ ଅନୁମତି ପାଇଥିବା ‘ଇଷ୍ଟ ଇଣ୍ଡିଆ କମ୍ପାନୀ’ ଓ ତତ୍କାଳୀନ ନବାବ ସିରାଜ ଉଦ-ଦଉଲାଙ୍କ ମଧ୍ୟରେ ବିଭିନ୍ନ କାରଣରୁ ତିକ୍ତତା ବଢିଥିଲା । ପରେ ଚତୁର ବ୍ରିଟିଶ ସେନାପତି ରବର୍ଟ କ୍ଲାଇବ ନବାବଙ୍କ ସେନାପତି ମିରଜାଫରଙ୍କ ସହ ଗୁପ୍ତ ବୁଝାମଣା କରି ସିରାଜଙ୍କୁ ଗାଦିଚ୍ୟୁତ କରିବାକୁ ଯୋଜନା କରିଥିଲେ । ରାଜା ହେବା ଇଚ୍ଛାରେ ମିରଜାଫର ମଧ୍ୟ ତାହା କରବା ପାଇଁ ନବାବ ସିରାଜଙ୍କ ବିରୋଧରେ ବିଶାଳ ଷଡଯନ୍ତ୍ର ରଚନା କରିଥିଲେ । 1757 ଜୁନ 23 ତାରିଖରେ ପଲାସିରେ ରବର୍ଟ କ୍ଲାଇବଙ୍କ ସେନା ଓ ସୁରାଜଙ୍କ ସେନା ମୁହାଁମୁହିଁ ହୋଇଥିଲେ । ଏଥିରେ ସିରାଜଙ୍କ ବିଶାଳ ସେନାକୁ, ଏକ କ୍ଷୁଦ୍ର ସେନା ମାଧ୍ୟମରେ ମୁକାବିଲା କରିବାକୁ ଉଦ୍ୟମ କରିଥିଲେ ବ୍ରିଟିଶ କମାଣ୍ଡର କ୍ଲାଇବ ।

ଐତିହାସିକଙ୍କ ଅନୁସାରେ, ସେତେବେଳେ ସିରାଜଙ୍କ ସେନା, ବ୍ରିଟିଶ ସେନାଠାରୁ ପ୍ରାୟ 20 ଗୁଣା ବିଶାଳ ଥିଲା । ପ୍ରାୟ 50,000 ପଦାତିକ, 15,000 ଅଶ୍ୱାରୋହୀ, 300 ତୋପ ଏବଂ 300 ହସ୍ତୀବାହିନୀଙ୍କୁ ନେଇ ଗଠିତ ହୋଇଥିଲା ସିରାଜଙ୍କ ବିଶାଳ ସୈନ୍ୟବାହିନୀ । ରବର୍ଟ କ୍ଲାଇବଙ୍କ ସେନାରେ ମାତ୍ର 9,000 ସୈନିକ ଥିଲେ । ମାତ୍ର ସେନାପତି ମିରଜାଫରଙ୍କ ଧୋକା ପାଇଁ ସିରାଜଙ୍କ ସେନା ଇଂରେଜଙ୍କ ଠାରୁ ପରାଜିତ ହୋଇଥିଲା । ହେଲେ ଏଥିରେ କେବଳ ରାଜ୍ୟ ନୁହେଁ ବରଂ ଜୀବନ ମଧ୍ୟ ହରାଇଥିଲେ ନବାବ ସିରାଜ । ଯୁଦ୍ଧ ହାରିବାର କିଛି ଦିନ ମଧ୍ୟରେ ତାଙ୍କୁ ମିରଜାଫରଙ୍କ ପୁତ୍ର ଜାଫରଗଞ୍ଜ ଦୂର୍ଗରେ ହତ୍ୟା ମଧ୍ୟ କରିଥିଲେ । ଏହା ପରେ ବଙ୍ଗର ଅଖଣ୍ଡ କ୍ଷମତା ଭାର ବ୍ରିଟଶରଙ୍କ ‘ଇଷ୍ଟ ଇଣ୍ଡିଆ’ କମ୍ପାନୀ ହାତକୁ ଚାଲିଯାଇଥିଲା ।

Representational image (Getty Images Photo)

ବ୍ଲାକହୋଲ ଟ୍ରାଜେଡିର ପ୍ରତିଶୋଧ -

ଭାରତରେ ବ୍ରିଟିଶ ସାମ୍ରାଜ୍ୟବାଦର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପଲାସୀ ଯୁଦ୍ଧ, ରବର୍ଟ କ୍ଲାଇବଙ୍କ ନେତୃତ୍ବାଧୀନ ଇଂରେଜ ସେନା ଓ ବଙ୍ଗ ନବାବ ସିରାଜଙ୍କ ସେନା ମଧ୍ୟରେ ଲଢାଯାଇଥିଲା । ଏହି ଯୁଦ୍ଧକୁ ଏକ ପ୍ରତିଶୋଧର ଯୁଦ୍ଧ ବୋଲି ମଧ୍ୟ ଐତିହାସିକ ବର୍ଣ୍ଣନା କରିଛନ୍ତି । ଏହାର ଠିକ ବର୍ଷେ ପୂର୍ବରୁ 1756 ଜୁନ 20 ତାରିଖରେ ହୋଇଥିବା କୋଲକାତାର ‘ବ୍ଲାକ ହୋଲ ଟ୍ରାଜେଡି’ର ପ୍ରତିଶୋଧ ବୋଲି ମଧ୍ୟ କୁହାଯାଏ । ପ୍ରାୟ 120 ୟୁରୋପୀୟ ସୈନିକଙ୍କୁ ଫୋର୍ଟ ୱିଲିୟମର ଏକ କ୍ଷୁଦ୍ର କୋଠରୀରେ ବଳପୂର୍ବକ ବନ୍ଦୀ ରଖାଯାଇଥିଲା । ଏଥିରେ ସମସ୍ତ ଇଂରେଜ ସୈନିକଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାକୁ ରାଜା ନବାବଙ୍କ ନିର୍ଦ୍ଦେଶରେ ତାଙ୍କ ସେନା କରିଥିବା ଅଭିଯୋଗ ହୋଇଥିଲା । ଯାହା ଇଂରେଜମାନଙ୍କୁ ଜର୍ଜରିତ କରିଥିଲା । ଅନ୍ୟଏକ ସୂତ୍ର ଅନୁସାରେ, ଏହି ହତ୍ୟାକାଣ୍ଡର କାରଣ ସିରାଜଙ୍କ ମାଉସୀ ଘସେତୀ ବେଗମଙ୍କ ପ୍ରେମୀ ହୁସେନ କ୍ବାଲୀ ଖାନଙ୍କ ହତ୍ୟାର ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ମଧ୍ୟ କୁହାଯାଉଥିଲା । ପଲାସୀ ଯୁଦ୍ଧର ଠିକ ଦୁଇବର୍ଷ ପୂର୍ବରୁ ସିରାଜଙ୍କ ନିର୍ଦ୍ଦେଶରେ ଘସେତୀ ବେଗମଙ୍କ ପ୍ରେମୀ ହୁସେନ କ୍ବାଲୀ ଖାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

ବଙ୍ଗୀୟ ଐତିହାସିକ ସୁଦୀପ ଚକ୍ରବର୍ତ୍ତୀ 2020ମସିହାରେ ଏହି ଯୁଦ୍ଧର ପରବର୍ତ୍ତୀ ଘଟଣାକ୍ରମ ଉପରେ ଏକ ପୁସ୍ତକ ଲେଖିଥିଲେ । ତାଙ୍କ ବର୍ଣ୍ଣନା ଅନୁସାରେ, ସିରାଜଙ୍କ ପରାଜୟ କ୍ଲାଇବଙ୍କ ନେତୃତ୍ବାଧୀନ ‘ଇଷ୍ଟ ଇଣ୍ଡିଆ’ କମ୍ପାନୀ ପ୍ରାୟ 23ନିୟୁତ ଟଙ୍କାର କ୍ଷତିପୂରଣ ରାଶି ସହ 6 ମିଲିୟନ ଟଙ୍କା ନଗଦ ଉପହାର ଭାବେ ସଂଗ୍ରହ କରିଥିଲା । ଏହା ବ୍ୟତୀତ ଯୁଦ୍ଧର ନେତୃତ୍ବ ନେଇଥିବା ବ୍ରିଟଶ କମାଣ୍ଡର କ୍ଲାଇବ ବ୍ୟକ୍ତିଗତ ଭାବେ 3ଲକ୍ଷ ଟଙ୍କା ମୂଲ୍ୟର ଏକ ଜାଗିର ମଧ୍ୟ ନିଜ ଅଧୀନରେ ରଖିଥିଲେ । ଅବଶ୍ୟ ଏହା ପରବର୍ତ୍ତୀ ସମୟରେ ଗ୍ରେଟ-ବ୍ରିଟେନର ଜାତୀୟ ରାଜକୋଷକୁ ଚାଲିଯାଇଥିଲା ।

ପଲାସୀ ଯୁଦ୍ଧର ପ୍ରାୟ ପନ୍ଦର ବର୍ଷ ପରେ, ଏହି ଧନ ରାଶି ଏବଂ ସଂଗ୍ରହ ହୋଇଥିବା ଅନ୍ୟାନ୍ୟ ସମ୍ପତ୍ତିର ଦଲିଲକୁ କ୍ଲାଇବ ବ୍ରିଟିଶ ସଂସଦୀୟ କମିଟି ଆଗରେ ଉପସ୍ଥାପିତ କରିଥିଲେ । ପଲାସୀ ଯୁଦ୍ଧ ପରେ ଇଂରେଜଙ୍କ ପ୍ରଭାବ ବଙ୍ଗରେ ବଢିବାକୁ ଲାଗିଥିଲା । ହେଲେ ହିଂସା ଓ ଅବବ୍ୟସ୍ଥାର ଉତ୍କଟ ରୂପ ମଧ୍ୟ ବଙ୍ଗବାସୀ ଦେଇଥିଲେ । 1757 ରୁ 1765 ମସିହା ମଧ୍ୟରେ,‘ଇଷ୍ଟ ଇଣ୍ଡିଆ’ କମ୍ପାନୀ ବଙ୍ଗଳାର ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ପ୍ରାୟ 20,000 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ । 20 ମିଲିୟନ ଧନରାଶୀ ସଂଗ୍ରହ ସହ ଯେତେବେଳେ କମ୍ପାନୀ 100 ମିଲିୟନ ଟଙ୍କାର ମାଲିକ ହୋଇଥିଲା । ଏହା ସେମାନଙ୍କୁ ବଙ୍ଗଳା ବ୍ୟତୀତ ଭାରତର ଅନ୍ୟ ସ୍ଥାନରେ ମଧ୍ୟ ସେମାନଙ୍କ ଆଧିପତ୍ୟ ବିସ୍ତାର କରିବାକୁ ଏକ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥିଲା ।

କମ୍ପାନୀ ତାର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି କରିବା ସହ ସେନାକୁ ମଧ୍ୟ ଶକ୍ତିଶାଳୀ କରିବା ଆରମ୍ଭ କରିଥିଲା । ବ୍ରିଟେନରୁ ଭାରତକୁ ପର୍ଯ୍ୟାପ୍ତ ପରିମାଣରେ ବାରୁଦ ଅଣାଯାଇଥିଲା । ପରବର୍ତ୍ତୀ ଦଶନ୍ଧିରେ ଡଚ୍ ଏବଂ ଫରାସୀ ନିୟନ୍ତ୍ରଣାଧୀନ ଏରିଆରେ ମଧ୍ୟ ବ୍ରିଟିଶ ସେନା ଆକ୍ରମଣ କରି ଏହାକୁ ଦଖଲକୁ ନେଇଥିଲା । ଗୋଟିଏ ପରେ ଗୋଟିଏ ବିଦେଶୀ ଶକ୍ତିକୁ ଭାରତରୁ ତଡିବା ପରେ ବ୍ରିଟିଶ ଏକମାତ୍ର ଶକ୍ତି ଭାବେ ଭାରତରେ ପ୍ରଭାବ ବିସ୍ତା କରିଥିଲେ । କିଛି ବର୍ଷ ମଧ୍ୟରେ ଦିଲ୍ଲୀ ସଲତନତ ବ୍ରିଟଶ ଅଧୀନକୁ ଆସିବା ସହ ପୁରା ଭାରତ ଇଂରେଜ ଶାସିତ ହୋଇଥିଲା ।

ABOUT THE AUTHOR

...view details