ଲେଖକ-ନୱାବ ମୟନା ମୁକରମ
ହାଇଦ୍ରାବାଦ:"ମୁଁ ଏଇଠି ଅଛି...ମୁଁ ଶୁଣୁଛି"...୫ ବର୍ଷ ତଳେ ଏହି ସ୍ଲୋଗାନ ଦେଇଥିଲେ ଜଗନ । ସେ କହିଛନ୍ତି ଯେ, ସେ ଶୁଣିଛନ୍ତି ଏବଂ ସେ ଶୁଣିବେ । ତେଣୁ ସମସ୍ତେ ଭାବିଥିଲେ ସେ ଲୋକଙ୍କ ଦୁଃଖ ଶୁଣିବେ । ହେଲେ ଏହା ପଛରେ ଲୁଚିଥିବା ରହସ୍ୟର ଗଭୀରତାକୁ କେହି ଯାଇପାରିନଥିଲେ । ବ୍ୟକ୍ତିଗତ ସୂଚନା ଶୁଣାଯିବା ଏବଂ ତଥ୍ୟ ଚୋରି କରାଯିବ ବୋଲି କେହି ଭାବିନଥିଲେ । ଯେତେବେଳେ ବି କେହି ଫୋନରେ କଥା ହୁଅନ୍ତି, ଆନ୍ନା (ବଡ ଭାଇ) ତୁରନ୍ତ ସମସ୍ତ ତଥ୍ୟ ଜାଣନ୍ତି । ଯେତେବେଳେ ବି କେହି ସରକାର ବିରୁଦ୍ଧରେ କଥା ହୁଅନ୍ତି, ସରକାରଙ୍କ ବିରୁଦ୍ଧରେ କିଛି କୁହନ୍ତି, ବଡ ଭାଇର ଲୋକେ ତୁରନ୍ତ ତାଙ୍କ ବାସଭବନ ସମ୍ମୁଖକୁ ଯାଆନ୍ତି । କେବଳ ବିରୋଧୀ ନୁହଁନ୍ତି, ତାଙ୍କ ଦଳର ସଦସ୍ୟ, ବରିଷ୍ଠ ଆଇଏଏସ ଏବଂ ଆଇପିଏସ କ୍ୟାଡର ଅଧିକାରୀ, ବିଭିନ୍ନ ଆନ୍ଦୋଳନ ସହ ଜଡି଼ତ କାର୍ଯ୍ୟକର୍ତ୍ତା, ମାନବାଧିକାର କର୍ମୀ ଏବଂ ସାମ୍ବାଦିକ ତଥା ସାଧାରଣ ଲୋକ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ।
ସମସ୍ତଙ୍କୁ ଏବେ ଘାରିଛି ଫୋନ ଟ୍ୟାପିଂ ଭୟ । ପରିସ୍ଥିତି ଏପରି ଯେ, ଲୋକମାନେ ମୁହଁ ଖୋଲିବାକୁ ମଧ୍ୟ ଭୟ କରୁଛନ୍ତି । ଏହା ହେଉଛି ଗୁପ୍ତ ରହସ୍ୟ ଆନ୍ଧ୍ରପ୍ରଦେଶରେ ଲୁଚି ରହିଛି । YSRCP ସରକାରର 'ଟ୍ୟାପ୍' ଷ୍ଟୋରୀ ଏବେ ସାମନାକୁ ଆସିଛି । ଜନ ପ୍ରତିନିଧି, ଅଧିକାରୀ, ଆଇନ ବିଶେଷଜ୍ଞ, ସାମ୍ବାଦିକ, ନେତା ଏବଂ ଅନ୍ୟ ସମସ୍ତଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଯେମିତି କେହି ଅନୁସରଣ କରୁଥିବା ଭଳି ମନେ କରୁଛନ୍ତି ଅନେକ ବ୍ୟକ୍ତିବିଶେଷ । ସେମାନଙ୍କ ଫୋନ୍ ଟ୍ୟାପ୍ ହୋଇଛି ଏବଂ ଫୋନ୍ ଟ୍ୟାପ୍ ହେତୁ ସମ୍ଭାବ୍ୟ ବିପଜ୍ଜନକ ପରିସ୍ଥିତି ବିଷୟରେ ସମସ୍ତେ ଅବଗତ ଅଛନ୍ତି । ଏପରିକି ଯେତେବେଳେ ଅନେକ ଆଇଏଏସ ଏବଂ ଆଇପିଏସ ଅଧିକାରୀ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ସେମାନେ ପରସ୍ପର ସହ ଖୋଲାଖୋଲି କଥାବାର୍ତ୍ତା କରିବା ସ୍ଥିତିରେ ନାହାନ୍ତି । ଏହି ଅବସ୍ଥା ବୋଧହୁଏ କେବଳ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳୁଛି । ଏପରିକି କେହି କେହି ନିଜ ପରିବାର ସଦସ୍ୟଙ୍କ ସହ ଘରେ ମଧ୍ୟ କଥାବାର୍ତ୍ତା କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି, କାରଣ କେହି ନିଜ ମୋବାଇଲ ଫୋନରୁ ସେମାନଙ୍କ କଥା ଶୁଣୁଛି ।
ପ୍ରଥମେ ପ୍ରଥମେ ଯେଉଁ ଲୋକଙ୍କ ମନରେ ଏପରି ଭୟ ଥିଲା ସେମାନେ ସାଧାରଣ ଫୋନ କଲରୁ ହ୍ବାଟ୍ସଆପ କଲକୁ ଚାଲିଗଲେ । ପରେ ପରେ ସେଠାରୁ ସେମାନେ ଟେଲିଗ୍ରାମକୁ ବାଛିଥିଲେ । କାରଣ ପ୍ରଥମେ ଫୋନ୍ କଲ ଓ ପରେ ହ୍ବାଟସ ଆପ୍ କଲ୍ ଟ୍ୟାପ ହେବାର ଭୟ କରିଥିଲେ । ହେଲେ ବର୍ତ୍ତମାନ ସେମାନେ ଟେଲିଗ୍ରାମ କଲ୍ ଟ୍ୟାପ୍ କରିବାର ଭୟ ହେତୁ ସେମାନେ 'ସିଗନାଲ୍ ଆପ୍' ବ୍ୟବହାର କରୁଥିବା ଜଣାପଡ଼ିଛି । ଶେଷରେ ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, କଲ୍ କରିବା ପାଇଁ ଏକ ଆଇଫୋନ୍ କିଣିବା ଆବଶ୍ୟକ । ୟେଉଁଥିପାଇଁ ସେମାନେ ଋଣ ନେବାକୁ ମଧ୍ୟ ବିଚାର କରୁଛନ୍ତି । ଦେଖିବାକୁ ଗଲେ ଯେଉଁମାନଙ୍କ ପାଖରେ ସାମର୍ଥ୍ୟ ଅଛି, ସେମାନେ ପ୍ରତି 15 ଦିନରେ ଥରେ କିମ୍ବା ମାସକୁ ଥରେ ଫୋନ୍ ବଦଳାନ୍ତି । ଜଗନ ସରକାରଙ୍କ ମନିଟରିଂ ସିଷ୍ଟମକୁ ସେମାନେ ସମସ୍ତେ ଭୟ କରନ୍ତି । ଯାହା ଅରାଜକତା ବୋଲି ମତ ପ୍ରକାଶ ପାଇଛି । ଫଳରେ ସମସ୍ତେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସୋସିଆଲ ମିଡିଆରେ ନିଜର ମତ ପୋଷ୍ଟ କରୁଥିବା ଲୋକଙ୍କୁ ହଇରାଣ କରୁଥିବା ସରକାର ଏପରି ପରିସ୍ଥିତି ସୃଷ୍ଟି କରିଛନ୍ତି ଯେ, ଲୋକମାନେ ମୁକ୍ତ ଭାବରେ କହିବାକୁ ଭୟ କରୁଛନ୍ତି । ନିଜ ଫୋନ ବ୍ୟବହାର କରିବାକୁ ମଧ୍ୟ ସମସ୍ତେ ଡରୁଛନ୍ତି।
ଆପଣଙ୍କ ପାଖରେ ମୋବାଇଲ ଫୋନ ଥିଲେ ମୁହଁ ଖୋଲନ୍ତୁନି !
ଯଦି ଆପଣଙ୍କର ଫୋନ୍ ଆପଣଙ୍କ ପକେଟରେ ଥାଏ, ତେବେ ଆପଣଙ୍କ ନିକଟରେ କେହି ବି ଆପଣଙ୍କୁ ଟ୍ରାକ୍ କରିପାରିବେ । ଏହା ସହିତ, ଆପଣ କହିଥିବା ପ୍ରତ୍ୟେକ ଶବ୍ଦ ଗୁପ୍ତ ଭାବରେ ଶୁଣାଯାଇପାରିବ ଏବଂ ଦୂରସ୍ଥାନରେ ବସିଥିବା ବ୍ୟକ୍ତିଙ୍କ ଦ୍ବାରା ରେକର୍ଡ ମଧ୍ୟ ହୋଇପାରିବ । ତେଣୁ ଜନପ୍ରତିନିଧି, ବରିଷ୍ଠ ଅଧିକାରୀ, ଆଇନ ବିଶେଷଜ୍ଞ ଏବଂ ଗଣମାଧ୍ୟମର ସଦସ୍ୟମାନଙ୍କୁ ସେମାନଙ୍କ ମୁହଁ ବନ୍ଦ ରଖିବାକୁ ପଡୁଛି । ଏପରିକି ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ଫୋନରେ କହିଥିବା ପ୍ରତ୍ୟେକ ଶବ୍ଦକୁ ବୁଝି ବିଚାରି କହିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ଯେ ଟ୍ୟାପରମାନେ ଅନ୍ୟମାନଙ୍କୁ ନିଜ କବଜାରେ ରଖିଛନ୍ତି । ବିଗତ ୫ ବର୍ଷ ଧରି ସାଧାରଣ ଅଧିକାରୀଙ୍କ ବିଷୟରେ ଅନେକ ଅଧିକାରୀ ଏବଂ ନେତା ପ୍ରାୟ ଭୁଲି ଯାଇଛନ୍ତି । ପ୍ରାୟ 90% ସରକାରୀ କର୍ମଚାରୀ ଯେକୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେବାକୁ ଭୟ କରୁଛନ୍ତି ।
ଏକ ଲିଙ୍କ୍ ଦ୍ବାରା କରାଯାଉଛି ଟ୍ୟାପ୍:-ଟାର୍ଗେଟରେ ଥିବା ଲୋକଙ୍କୁ ଲିଙ୍କ ପଠାଯାଉଛି । ଅନେକ ସମୟରେ ପଠାଯାଇଥିବା ଲିଙ୍କରେ କ୍ଲିକ୍ କରିବାକୁ ଲକ୍ଷ୍ୟ ବ୍ୟକ୍ତି ପ୍ରଲୋଭିତ ହୁଅନ୍ତି । ଯେତେବେଳେ ଲିଙ୍କ୍ କ୍ଲିକ୍ ହୁଏ, ଫୋନ କ୍ରମାଗତ ଭାବରେ ଟ୍ରାକ୍ କରିବାକୁ ସକ୍ଷମ ହୁଏ । ଅନ୍ୟପଟେ, ଯେତେବେଳେ ଟ୍ରାକିଂ ଆରମ୍ଭ ହୁଏ ମାଇକ୍ରୋଫୋନ୍ କାମ ଜାରି ରହେ । ଟାର୍ଗେଟରେ ଥିବା ବ୍ୟକ୍ତି ଯାହା କହୁଛନ୍ତି ତାହା କେବଳ ଫୋନରେ ନୁହେଁ ବରଂ ଫୋନ୍ ତାଙ୍କ ପାଖରେ ଥିଲେ ବି ରେକର୍ଡ କରାଯାଇପାରିବ । ଫୋନର ଭିଡିଓ ମଧ୍ୟ ଦୂରରୁ ଟର୍ନ୍ ଅନ୍ କରାଯାଇପାରିବ, ଯାହାଫଳରେ ଆପଣ ବାର୍ତ୍ତାଳାପରେ ଜଡିତ ଲୋକଙ୍କ ଚେହେରା ଦେଖିପାରିବେ । ଏହାକୁ ସହଜ କରିବାକୁ ଅନେକ ସ୍ପାଏୱେଆର (Spywares) ବ୍ୟବହାର କରାଯାଉଛି । ଯାହାକି ବ୍ୟକ୍ତିବିଶେଷଙ୍କ ହ୍ୟାଣ୍ଡସେଟରେ ଭର୍ତ୍ତି କରାଯିବା ଫଳରେ ମୋବାଇଲ ଫୋନ ଟ୍ୟାପରଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି । ତେଣୁ, ଏନେଇ ସଚେତନ ଥିବା ବ୍ୟକ୍ତି ସେମାନଙ୍କ ଫୋନ୍ ସେମାନଙ୍କ ସହିତ ଥିବାବେଳେ ଗୁରୁତ୍ବପୂର୍ଣ୍ଣ କଥା କହିବାକୁ ଭୟ କରୁଛନ୍ତି । ଏପରିକି ଅନେକ ଲୋକ ନିଜ ଫୋନକୁ ନିଜ ଶୋଇବା ଘରଠାରୁ ମଧ୍ୟ ଦୂରରେ ରଖୁଛନ୍ତି ।
ଅଧିକାର ପାଇଁ ସଂଗ୍ରାମ… ତାହା ମଧ୍ୟ YSRCP ସରକାରରେ ? :ବେସରକାରୀ ତଥା ସରକାରୀ କର୍ମଚାରୀ ୟୁନିଅନର ନେତା ତଥା ଜନ ସଂଗଠନ ଓ କଣ୍ଟ୍ରାକ୍ଟର ୟୁନିଅନର ନେତାମାନେ ସେମାନଙ୍କ ଅଧିକାର ପାଇଁ ଲଢେଇ କରୁଛନ୍ତି । ଏଭଳି ସଂଗଠନର ନେତାମାନଙ୍କ କହିବା କଥା, ସେମାନେ କାହା ସହ କଥା ହେବା ମାତ୍ରେ ପୋଲିସ କିଛି ଘଣ୍ଟା ମଧ୍ୟରେ ସେମାନଙ୍କ ନିକଟରେ ପହଞ୍ଚିଯାଉଛି । "ଆମେ ଫୋନ୍ ମାଧ୍ୟମରେ କଥା ହୋଇଥିବା ବ୍ୟକ୍ତିବିଶେଷଙ୍କ ନିକଟରେ ପହଞ୍ଚୁଛୁ ଏବଂ ୟୁନିଅନ୍ ବୈଠକରେ ଯୋଗଦେବାକୁ ନୋଟିସ୍ ଦେଉଛୁ । ଯଦି ଫୋନ୍ ଟ୍ୟାପ୍ ନାହିଁ, ସେମାନେ କିପରି ଜାଣିବେ ଯେ ଆମେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସହ କଥା ହୋଇଛୁ?"ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।