ଓଡିଶା

odisha

ETV Bharat / opinion

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଥରର ଋଷ୍ ଗସ୍ତ କାହିଁକି ଭିନ୍ନ ? ଜାଣନ୍ତୁ - PM Modi Russia visit - PM MODI RUSSIA VISIT

PM Modi’s Visit To Russia: ଭାରତ-ଋଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଋଷ୍ ଗସ୍ତ କରିଛନ୍ତି । ମୋଦିଙ୍କ ତୃତୀୟ ପାଳି ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଦ୍ବିପାକ୍ଷିକ ବିଦେଶ ଗସ୍ତ । ଏହିଭଳି ବିଭିନ୍ନ କାରଣ ପାଇଁ ମୋଦିଙ୍କ ଏଥରର ଋଷ ଗସ୍ତକୁ ଭିନ୍ନ ଦୃଷ୍ଟିକୋଣରେ ଦେଖାଯାଉଛି । ପଢନ୍ତୁ ଏନେଇ ଅରୂନିମ ଭୂୟାଁଙ୍କ ଆଲେଖ୍ୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଥରର ଋଷ୍ ଗସ୍ତ କାହିଁକି ଭିନ୍ନ ? ଜାଣନ୍ତୁ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଥରର ଋଷ୍ ଗସ୍ତ କାହିଁକି ଭିନ୍ନ ? ଜାଣନ୍ତୁ (@narendramodi)

By Aroonim Bhuyan

Published : Jul 9, 2024, 12:49 PM IST

ହାଇଦ୍ରାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ଋଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ଜୁଲାଇ ୮ରୁ ଦୁଇ ଦିନିଆ ଋଷ୍ ଗସ୍ତ କରିଛନ୍ତି । ମୋଦିଙ୍କ ତୃତୀୟ ପାଳି ଆରମ୍ଭ ପରେ ଏହା ତାଙ୍କର ପ୍ରଥମ ଦ୍ବିପାକ୍ଷିକ ବିଦେଶ ଗସ୍ତ । ତେବେ ବିଭିନ୍ନ କାରଣ ପାଇଁ ମୋଦିଙ୍କ ଚଳିତ ଥରର ଏହି ଋଷ୍ ଯାତ୍ରାକୁ ପୂର୍ବ ଯାତ୍ରାଗୁଡିକଠାରୁ ଭିନ୍ନ ଦୃଷ୍ଟିକୋଣରେ ଦେଖାଯାଇପାରେ । ୨୦୧୪ରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଭୁଟାନକୁ ତାଙ୍କର ପ୍ରଥମ ଦ୍ବିପାକ୍ଷିକ ବିଦେଶ ଗସ୍ତ କରିଥିଲେ । ୨୦୧୯ରେ ଦ୍ବିତୀୟ ପାଳି ସରକାରରେ ସେ ପ୍ରଥମେ ମାଳଦ୍ବୀପ ଯାଇଥିଲେ । ଏବେ ତୃତୀୟ ଇନିଂସରେ ମସ୍କୋ ଗସ୍ତ କରିଛନ୍ତି ।

ଦ୍ବିତୀୟ କଥା ହେଲା, ନିକଟରେ କାଜିକସ୍ତାନରେ ଆୟୋଜିତ ସାଙ୍ଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ୍ ହୋଇନଥିଲେ । କିନ୍ତୁ ମାତ୍ର କିଛି ଦିନ ବ୍ୟବଧାନ ପରେ ଋଷ୍-ଭାରତ ବାର୍ଷିକ ସମ୍ମିଳନୀରେ ଯୋଗଦେବାକୁ ସେ ଋଷ୍ ଗସ୍ତ କରିଛନ୍ତି । ଏହା ସେତେବେଳେ ହେଉଛି, ଯେତେବେଳେ କି ଆମେରିକା ୱାସିଂଟନଠାରେ ନାଟୋର ବାର୍ଷିକ ସମ୍ମିଳନୀ ଆୟୋଜିତ କରୁଛି । ଆହୁରିମଧ୍ୟ, ଭାରତ-ଋଷର ଏହି ୨୨ତମ ସମ୍ମିଳନୀ ୟୁକ୍ରେନରେ ଯୁଦ୍ଧ କାରଣରୁ ପାଶ୍ଚତ୍ୟ ରାଷ୍ଟ୍ରଗୁଡିକର କଟକଣାର ସାମ୍ନା କରୁଥିବା ଋଷ୍ ଚୀନ ସହ ସମ୍ପର୍କ ବୃଦ୍ଧି କରିବା ମଧ୍ୟରେ ଅନୁଷ୍ଠିତ ହେଉଛି । ଯେତେବେଳେ କି ପୂର୍ବ ଲଦାଖରେ ଭାରତ ଏବଂ ଚୀନ ସୀମା ବିବାଦ ଚତୁର୍ଥ ବର୍ଷରେ ପହଞ୍ଚିଛି ।

ରଣନୀତିକ ସହଯୋଗୀ ଥିବା ଭାରତ ଓ ଋଷ ତିନି ବର୍ଷ ପରେ ବାର୍ଷିକ ଦ୍ବିପାକ୍ଷିକ ଶିଖର ସମ୍ମିଳନୀ କରୁଛନ୍ତି । ଏହାପୂର୍ବରୁ ୨୦୨୨ରେ ଦୁଇ ଦେଶର ନେତା ୟୁଜବେକିସ୍ତାନରେ ଅନୁଷ୍ଠିତ ଏସ୍‌ସିଓ ସମ୍ମିଳନୀରେ ଭେଟାଭେଟି ହୋଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଋଷ୍ ଗସ୍ତ ପୂର୍ବରୁ ବୈଦେଶିକ ସଚିବ ବିନୟ କ୍ବତ୍ରା କହିଛନ୍ତି, ''୨୦୨୧ରେ ୨୧ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହାପରଠୁ ୩ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ସମ୍ମିଳନୀ ହୋଇନଥିଲା । ହେଲେ ଦୁଇ ନେତା ଅନ୍ୟ କେତେକ କାର୍ଯ୍ୟକ୍ରମରେ ଭେଟଘାଟ ହେବା ସହ ଫୋନରେ କଥା ହୋଇଥିଲେ । ତେଣୁ ଏହି ଦ୍ବିପାକ୍ଷିକ ଯାତ୍ରା କେବଳ ଏକ ପୂର୍ବନିର୍ଦ୍ଧାରିତ ସରକାରୀ ଗସ୍ତ । ଆଉ କିଛି ନୁହେଁ ।''

ଅନ୍ୟପଟେ ଭାରତ ମୋଦିଙ୍କ ସାଙ୍ଘାଇ ସହଯୋଗ ସଂଗଠନ (SCO)ର କାଜକିସ୍ତାନ ଶିଖର ସମ୍ମିଳନୀରେ ସାମିଲ ନହେବା ନେଇ କୌଣସି ଅଫିସିଆଲ କାରଣ ଜଣାଇ ନାହିଁ, ହେଲେ ବିଶେଷଜ୍ଞଙ୍କ କହିବା କଥା ଏହି ସଂଗଠନ ଉପରେ ଚୀନର ପ୍ରଭାବ ବଢୁଥିବାରୁ ଏଥିରେ ମୋଦି ଅନୁପସ୍ଥିତ ରହିଥିଲେ । କହିରଖୁଛୁ କି, ଉଭୟ ଋଷ୍ ଏବଂ ଚୀନ SCOର ସଦସ୍ୟ ଅଟନ୍ତି । ଏବେ ପାକିସ୍ତାନ ମଧ୍ୟ ଏହାର ନୂଆ ସଦସ୍ୟ ଭାବେ ଯୋଡି ହୋଇଛି । ତେଣୁ SCO ନିକଟରେ ଭାରତକୁ ଦେବାକୁ ବିଶେଷ କିଛି ନଥିବା ଭାରତ ସରକାର ଭାବୁଛନ୍ତି ।

ଏଥିପାଇଁ ଚଳିତ ବର୍ଷ SCO ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଦଳରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭାରତର ପ୍ରତିନିଧିତ୍ବ କରିଥିଲେ । ଏନେଇ ଜଣେ ଏକ୍ସପର୍ଟ ETV Bharatକୁ କହିଛନ୍ତି, ଭାରତ ଏହି ଆଶାରେ SCOରେ ମିଶିଥିଲା ଯେ ଏହାଦ୍ବାରା ମଧ୍ୟଏସିଆରେ ତା'ର ପ୍ରଭାବ ବୃଦ୍ଧିପାଇବ । ହେଲେ ଏମିତି କିଛି ହେଲାନି । ଓଲଟା SCO ଏବେ ଚୀନର କ୍ଷେତ୍ର ହୋଇସାରିଛି । ଏଠି ଚୀନ ହିଁ ଦବଦବା ରହିଛି । ତେଣୁ ଏସ୍‌ସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ୍ ହେବାର କିଛି ଅର୍ଥ ନାହିଁ । ଏହି ଦୃଷ୍ଟିରୁ ସମ୍ପ୍ରତି ଋଷ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କ ସହ ଆଲୋଚନା ବେଳେ ଚୀନର ବଢୁଥିବା ପ୍ରଭାବ ସମ୍ପର୍କିତ ପ୍ରସଙ୍ଗ ଉଠାଇବାକୁ ଭୁଲିବେ ନାହିଁ ନିଶ୍ଚୟ ।

ଅନ୍ୟପଟେ ୱାସିଂଟନଠାରେ ନାଟୋର ଶିଖର ସମ୍ମିଳନୀ ଆୟୋଜିତ ହେଉଥିବା ସମୟରେ ଭାରତ-ଋଷର ଏହି ବାର୍ଷିକ ସମ୍ମିଳନୀ ହେଉଛି । ନାଟୋର ସମ୍ମିଳନୀରେ ୟୁକ୍ରେନ ଯୁଦ୍ଧ ବଡ ପ୍ରସଙ୍ଗ ରହିଛି । ଏହାକୁ ନେଇ ବିଶେଷଜ୍ଞଙ୍କ କହିବା ହେଲା, ଏହା କେବଳ ସଂଯୋଗ ଅଟେ, ଏହାଠୁ ଅଧିକ କିଛି ଭାବିବା ଠିକ୍ ନୁହେଁ । ନାଟୋ ସବୁବେଳେ ଗ୍ରୀଷ୍ମକାଳରେ ଏହାର ବାର୍ଷିକ ସମ୍ମିଳନୀ ଆୟୋଜିତ କରିଥାଏ । ଭାରତ ଗୋଟିଏ ପଟେ ପାଶ୍ଚାତ ରାଷ୍ଟ୍ର ଏବଂ ଅନ୍ୟପଟେ ଋଷ୍ ସହିତ ନିଜ ସମ୍ପର୍କକୁ ଆଗକୁ ବଢାଉଛି । ଭାରତର ନୀତି କେବଳ ରାଷ୍ଟ୍ରହିତ ଉପରେ ଆଧାରିତ । ଋଷ୍ ସହିତ ଦେଶର ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ଦ୍ବିପାକ୍ଷିକ ଅଟେ ।

ମନୋହର ପାରିକର ଇଷ୍ଟିଚ୍ୟୁଟ ଅଫ ଡିଫେନ୍ସ ଷ୍ଟଡିଜ ଆଣ୍ଡ ଆନାଲିସିସ୍ର ଆସୋସିଏଟ ଫେଲୋ ସ୍ବାତୀ ରାଓ କହିଛନ୍ତି, ଯେତେବେଳେ ବି ଋଷ୍-ୟୁକ୍ରେନ ପ୍ରସଙ୍ଗ ଉଠିଛି, ସବୁବେଳେ ଭାରତ ନିରପେକ୍ଷ ରହିଆସିଛି । ୟୁକ୍ରେନ ପ୍ରସଙ୍ଗ ନେଇ ଡେନମାର୍କ, ସାଉଦି ଆରବ, ମାଲଟା, ସ୍ବିଜରଲ୍ୟାଣ୍ଡରେ ଆୟୋଜିତ ସମସ୍ତ ଚାରୋଟି ଶାନ୍ତି ବୈଠକରେ ଭାରତ ଯୋଗ ଦେଇଛି । ଯଦିଓ ୟୁକ୍ରେନ ଶାନ୍ତି ଘୋଷଣାନାମାରେ ଭାରତ ଦସ୍ତଖତ କରିନଥିଲା ।

ଚଳିତ ବର୍ଷର ଭାରତ-ଋଷିଆର ବାର୍ଷିକ ସମ୍ମିଳନୀର ଖୁବ୍ ଗୁରୁତ୍ବପୂର୍ଣ୍ଣ, କାରଣ ଦୀର୍ଘ ୩ ବର୍ଷର ଅନ୍ତରାଳରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ସମୟ ମଧ୍ୟରେ ଅନେକଗୁଡିଏ ପ୍ରସଙ୍ଗ ରହିଯାଇଛି, ଯେଉଁଗୁଡିକର ସମାଧାନ କେବଳ ଏକ ଉଚ୍ଚସ୍ତରୀୟ ଆଲୋଚନା ଦ୍ବାର ସମ୍ଭବ । ଯଦିଓ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବଢିଛି ତଥାପି ଋଷ ପଟେ ଏକ ବଡ ଅସନ୍ତୁଳ ରହିଛି ।

ବାଣିଜ୍ୟିକ ବିଭାଗ ତଥ୍ୟ ଅୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ଓ ଋଷ୍ ମଧ୍ୟରେ ବାଣିଜ୍ୟ କାରବାର ୬୫.୭୦ ବିଲିୟନ ଡଲାର ସହ ସର୍ବକାଳୀନ ସ୍ତର ଛୁଇଁଥିଲା । ସେଥିମଧ୍ୟରୁ ଭାରତର ରପ୍ତାନୀ ୪.୨୬ ବିଲିୟନ ଡଲାର ଏବଂ ଆମଦାନୀ ୬୧.୪୪ ବିଲିୟନ ଡଲାର ରହିଥିଲା । ଭାରତରୁ ଋଷିଆକୁ ରପ୍ତାନୀ ହୋଇଥିବା ସାମଗ୍ରୀ ମଧ୍ୟରେ ମୁଖ୍ୟତଃ ମେଡିସିନ, ଅର୍ଗାନିକ୍ କେମିକାଲ, ବୈଦ୍ୟୁତିକ ଯନ୍ତ୍ରପାତି ଓ ଚିକିତ୍ସା ଉପକରଣ, ଲୌହ, ଷ୍ଟିଲ୍ ପ୍ରଭୃତି ଥିଲା । ସେହିପରି ଋଷିଆରୁ ତୈଳ, ପେଟ୍ରୋଲଜାତ ପ୍ରଡକ୍ଟ, ସାର, ଖଣିଜ ଦ୍ରବ୍ୟ, ମୂଲ୍ୟବାନ ଧାତୁ ଓ ପଥର, ଖାଇବା ତେଲ ଇତ୍ୟାଦି ଭାରତ ଆମଦାନୀ କରିଥିଲା । ଦୁଇ ଦେଶ ମଧ୍ୟରେ ଏହି ବାଣିଜ୍ୟିକ ଅସନ୍ତୁଳତା କମ୍ କରିବାକୁ ଭାରତ ପ୍ରତିଟି କ୍ଷେତ୍ରରେ ନିଜର ରପ୍ତାନୀ ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ବୈଦେଶିକ ସଚିବ କହିଛନ୍ତି ।

ୟୁକ୍ରେନ ସହ ଯୁଦ୍ଧ ପୂର୍ବରୁ ଋଷ୍ ଭାରତକୁ କେବଳ ପ୍ରତିରକ୍ଷା ଉପକରଣ ଯୋଗାଣ କରୁଥିଲା । କିନ୍ତୁ ଯୁଦ୍ଧ ଯୋଗୁଁ ପାଶ୍ଚତ୍ୟ ଦେଶର କଟକଣା ପରେ ଭାରତ ଋଷ୍ ଠାରୁ ଶସ୍ତା ମୂଲ୍ୟରେ ପ୍ରଚୁର ମାତ୍ରାରେ ଅଶୋଧିତ ତୈଳ ଆମାଦାନୀ କରିଥିଲା । ଯେଉଁଥିପାଇଁ ଏହି ବାଣିଜ୍ୟକ ଅସନ୍ତୁଳ ସୃଷ୍ଟି ହୋଇଛି । ମାତ୍ର ଏହାକୁ ସୁଧାରିବାକୁ ଋଷ୍ ପଟୁ ଯଥେଷ୍ଟ ଉଦ୍ୟମ କରାଯାଉ ନାହିଁ ।

ଆଜି ମୋଦି ଏବଂ ପୁଟିନ ଆଲୋଚନାର ଆଉ ଏକ ପ୍ରସଙ୍ଗ ହେଉଛି, S-400 ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଏହି ସିଷ୍ଟମର ୫ଟି ସ୍କ୍ବାର୍ଡନ ପାଇଁ ଭାରତ ବରାଦ ଦେଇଥିବାବେଳେ ଋଷ୍ କେବଳ ୩ଟି ସ୍କ୍ବାର୍ଡନ ଡେଲିଭର କରିଥିଲା । ଏହି ତିନୋଟିଯାକ ସିଷ୍ଟମ ଭାରତୀୟ ବାୟୁସେନାରେ ମୁତୟନ କରାଯାଇଛି । ବାକି ୨ଟି S-400 ଯୋଗାଣରେ ବିଳମ୍ବ ହେଉଥିବାବେଳେ ଏହା ୨୦୨୬ ସୁଦ୍ଧା ଭାରତ ଆସିବା ନେଇ ଆଶା କରାଯାଉଛି ।

ଆଜିର ସମ୍ମିଳନୀର ଅନ୍ୟତମ ପ୍ରସଙ୍ଗ ରହିପାରେ, ନର୍ଥ-ସାଉତ ଟ୍ରାନ୍ସପୋର୍ଟ କରିଡର (INSTC), ଯାହାକି ଉଭୟ ଋଷିଆ ଏବଂ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । INSTC ହେଉଛି ମାଲ ପରିବହନ ପାଇଁ ଜାହାଜ, ରେଳ ଓ ସଡକ ମାର୍ଗର ୭,୨୦୦ କିମି ଲମ୍ବା ମଲ୍ଟି ମୋଡ ନେଟୱାର୍କ । ୨୦୦୦ ସେପ୍ଟେମ୍ବରରେ ଭାରତ, ଇରାନ ଓ ଋଷିଆ INSTC କରିଡର ନିର୍ମାଣ ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲେ । ଏହି କରିଡର କ୍ଷମତା ବାର୍ଷିକ ୨୦ରୁ ୩୦ ମିଲିୟନ ସାମଗ୍ରୀ ପରିବହନ ନେଇ ଧାର୍ଯ୍ୟ ହୋଇଛି । ଏହି କରିଡର ମାର୍ଗ ମୁଖ୍ୟ ରୂପେ ଭାରତ, ଇରାନ, ଆଜରବାଇଜାନ ଓ ଋଷ୍ ସହ ସଂଯୋଗ ହୋଇଛି । ନିକଟରେ ଋଷିଆ INSTC ଦେଇ ଭାରତକୁ ଦୁଇଟି କୋଇଲା ବୋଝେଇ ଟ୍ରେନ ପଠାଇଥିଲା ।

ABOUT THE AUTHOR

...view details